ଆସନ୍ତା କାଲି ମଧ୍ୟବର୍ତ୍ତିକାଳୀନ ବଜେଟ, ଆଗତ କରିବେ ପିୟୁଷ ଗୋଏଲ

ନୂଆଦିଲ୍ଲୀ : ଆସନ୍ତା କାଲି ମୋଦି ସରକାର ନିଜ କାର୍ଯ୍ୟକାଳର ଶେଷ ବଜେଟ ଉପସ୍ଥାପନ କରିବେ । ଏହା ଏକ ପୂର୍ଣ୍ଣାଙ୍ଗ ବଜେଟ ନହୋଇ ଏକ ଲେଖାନୁଦାନ ହେବ । ଅସୁସ୍ଥ ଅରୁଣ ଜେଟଲୀଙ୍କ ଅନୁପସ୍ଥିତିରେ  ଦାୟିତ୍ୱରେ ଥିବା ପିୟୁଷ ଗୋଏଲ ଏହାକୁ ଉପସ୍ଥାପନ କରିବେ ବୋଲି ଜଣାଯାଇଛି । ପୂର୍ବରୁ କଂଗ୍ରେସ ଓ ଅନ୍ୟ ବିରୋଧୀ ଦଳମାନେ ଅଭିଯୋଗ କରୁଥିଲେ ଯେ ସରକାର ଲେଖାନୁଦାନ ବଦଳରେ ପୁର୍ଣ୍ଣାଙ୍ଗ ବଜେଟ ଉପସ୍ଥାପନ କରିବେ । ଏପରି ହେଲେ ଆନ୍ଦୋଳନ ଧମକ ଦେଇଥିଲା କଂଗ୍ରେସ । ଲେଖାନୁଦାନ କେବଳ ୪ ମାସ ପାଇଁ ସରକାରଙ୍କ ପ୍ରଚଳିତ ଯୋଜନା, କର୍ମଚାରୀଙ୍କ ଦରମା ଆଦିର ବ୍ୟୟ ପାଇଁ ଆଗତ କରାଯାଇଥାଏ । ଏଥିରେ ସରକାର ଟିକସ ବ୍ୟବସ୍ଥାରେ ପରିବର୍ତ୍ତନ କରିପାରିବେ ନାହିଁ ।

ତେବେ ଆଗକୁ ସାଧାରଣ ନିର୍ବାଚନ ଥିବାରୁ ଦେଶର ସାଧାରଣ ଲୋକ, ଚାଷୀମାନଙ୍କୁ ଆକୃଷ୍ଟ କରିବାକୁ ସରକାର ଉଦ୍ୟମ କରିପାରନ୍ତି । ବିଶେଷକରି ଚାଷୀମାନଙ୍କ ପାଇଁ ଏକ ବୃହତ ପ୍ୟାକେଜ ଘୋଷଣା କରିପାରନ୍ତି ମୋଦି ସରକାର । କିନ୍ତୁ ଋଣଛାଡ ପ୍ୟାକେଜ ସମ୍ଭାବନା କମ । ବରଂ ସରକାର ଓଡ଼ିଶାର କାଳିଆ ଯୋଜନା ପରି ଚାଷୀମାନଙ୍କ ପାଇଁ କିଛି ପରିମାଣର ଅର୍ଥ ପ୍ରଦାନ ଘୋଷଣା କରିପାରନ୍ତି ।

ସମ୍ବନ୍ଧିତ ଖବର