ପୁଣି ଦୋହରାଯିବ ଇତିହାସ : ୩୬ ବର୍ଷ ତଳେ ବି ଭାରତରେ ୪ ଜଣଙ୍କୁ ଏକ ସଙ୍ଗେ ଦିଆଯାଇଥିଲା ଫାଶୀ, କେଉଁଠି ଜାଣନ୍ତୁ

ପୁନେ: ୨୦୧୨ ନିର୍ଭୟା ଗଣଦୁଷ୍କର୍ମ ଏବଂ ହତ୍ୟାକାଣ୍ଡ ମାମଲାରେ ସମ୍ପୃକ୍ତ ଚାରିଜଣ ଦୋଷୀଙ୍କୁ ଜାନୁଆରି ୨୨ ତାରିଖ ସକାଳ ୭ଟାରେ ତିହାର ଜେଲ୍‌ରେ ଫାଶୀ ଦିଆଯିବ। କିନ୍ତୁ ଆପଣ ଜାଣନ୍ତି କି ପ୍ରଥମ ଥର ଲାଗି ଏପରି ଘଟୁନାହିଁ। ଗୋଟିଏ ଦିନରେ ୪ ଜଣକୁ ଫାଶୀ ଦିଆଯିବା ଭାରତୀୟ ଅପରାଧ  ଇତିହାସରେ ପ୍ରଥମ ଘଟଣା ନୁହେଁ | ଏହା ପୂର୍ବରୁ ବି ଏକାସାଙ୍ଗରେ ୪ ଜଣଙ୍କୁ ଫାଶୀ ଦିଆଯାଇଛି  |୧୯୮୩ ମସିହାରେ ଏହି ଘଟଣା ଘଟିଥିଲା | ସମଗ୍ର ଦେଶରେ  ଚାଞ୍ଚଲ୍ୟ ଖେଳାଇ ଦେଇଥିବା ଯୋଶୀ-ଅଭୟଙ୍କର ହତ୍ୟା ମାମଲାରେ ସମ୍ପୃକ୍ତ ୪ ଜଣ ଦୋଷୀଙ୍କୁ ସମାନ ଦିନରେ ପୁନେର ୟେରୱାଡା ଜେଲରେ ଫାଶୀ ଦିଆଯାଇଥିଲା | ୧୯୮୩ ମସିହା  ଅକ୍ଟୋବର ୨୫ ତାରିଖରେ ରାଜେନ୍ଦ୍ର ଜ୍ୱାକ୍କଲ, ଦିଲ୍ଲୀପ ସୁତାର, ସାନ୍ତରାମ ଜାଗତାପ ଓ ମୁନାବାର ହାରୁନ ସାହାଙ୍କୁ ଫାଶୀ ଖୁଣ୍ଟରେ ଝୁଲାଇଦିଆଯାଇଥିଲା |

କ’ଣ ଥିଲା ଘଟଣା? 
ଏହି ୪ ଅପରାଧୀ  ୧୯୭୬ ମସିହା ଜାନୁୟାରିରୁ ୧୯୭୭ ମସିହା ମାର୍ଚ୍ଚ ମଧ୍ୟରେ ୧୦ ଜଣଙ୍କୁ ହତ୍ୟା କରିଥିଲେ | ଏହି ମାମଲାର ଅନ୍ୟ ଜଣେ ଅଭିଯୁକ୍ତ ସୁଭାଷ ଚନ୍ଦଙ୍କ ସାକ୍ଷ୍ୟ ପରେ ଘଟଣା ଉପରୁ ପରଦା ହଟିଥିଲା। ହତ୍ୟାକାରୀ ପୁନେର ଅଭିନବ କଳା ମହାବିଦ୍ୟାଳୟର ଛାତ୍ର ଥିଲେ | ଅଭିଯୁକ୍ତମାନେ ନିଶା ଦ୍ରବ୍ୟ ସେବନ କରୁଥିବାରୁ ପ୍ରଚୁର ଟଙ୍କା ଆବଶ୍ୟକ ପଡୁଥିଲା | ଏଥିପାଇଁ ବାଇକରେ ଯାଉଥିବା ଲୋକଙ୍କୁ ସେମାନଙ୍କ ଟାର୍ଗେଟ କରୁଥିଲେ | ଏହି ଅଭିଯୁକ୍ତମାନେ ପ୍ରଥମ ହତ୍ୟାକାଣ୍ଡ ୧୯୭୬ ମସିହା ଜାନୁୟାରି ୧୬ ତାରିଖରେ କରିଥିଲେ | ହତ୍ୟାର ଶିକାର ହୋଇଥିବା ପ୍ରସାଦ ହେଗଡେ ହତ୍ୟାକାରୀଙ୍କ ସହପାଠୀ ଥିଲେ | ପ୍ରସାଦଙ୍କ ବାପା କଲେଜ ପଛପଟେ ଏକ ହୋଟେଲ କରିଥିଲେ | ଟଙ୍କା ଆଦାୟ ପାଇଁ ହତ୍ୟାକାରୀମାନେ ପ୍ରସାଦଙ୍କୁ ଅପହରଣ କରି ତାଙ୍କ ବାପାଙ୍କୁ ଟଙ୍କା ମାଗିଥିଲେ | ମାତ୍ର ପରେ ଅତ୍ୟନ୍ତ ନିଷ୍ଠୁର ଭ‌ାବେ ନିଜ ସହପାଠୀକୁ ହତ୍ୟା କରିଥିଲେ |

Photo: Premium Time Nigeria

ସେହିପରି ୩୧ ଅକ୍ଟୋବର ୧୯୭୬ ମସିହାରୁ ୨୩ ମାର୍ଚ୍ଚ ୧୯୭୭ ମଧ୍ୟରେ ହତ୍ୟାକାରୀମାନେ ଅନ୍ୟ ୯ ଜଣକୁ ହତ୍ୟା କରିଥିଲେ | ଏହି ହତ୍ୟାକାରୀମାନେ ଲୋକଙ୍କ ଘରେ ପଶି ଲୁଟ କରିବା ସହ ସଦସ୍ୟମାନଙ୍କୁ ହତ୍ୟା କରୁଥିଲେ | ସେହି ସମୟରେ ଏହି ସିରିଜ ହତ୍ୟାକାଣ୍ଡ ସମଗ୍ର ମହାରାଷ୍ଟ୍ରରେ ଚାଞ୍ଚଲ୍ୟ ଖେଳାଇଦେଇଥିଲା | ସ୍ଥିତି ଏମିତି ହୋଇଥିଲା ଯେ ହତ୍ୟାକାରୀଙ୍କ ଭୟରେ ଲୋକମାନେ ସନ୍ଧ୍ୟା ୬ଟା ପରେ ଘରୁ ବାହାରିବା ବନ୍ଦ କରିଦେଇଥିଲେ | ପରେ ଏମାନଙ୍କୁ ଧରାଯାଇଥିଲା ଓ କୋର୍ଟରେ ହାଜର କରାଯାଇଥିଲା | କୋର୍ଟ ଏମାନଙ୍କୁ ମୃତ୍ୟୁଦଣ୍ଡ ଶୁଣାଇଥିଲେ |

ସମ୍ବନ୍ଧିତ ଖବର