ଦେଶର ପ୍ରତି ୧୦୦ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୪୦ ଜଣ ଆରୋଗ୍ୟ ହେଉଛନ୍ତି : ଲବ ଅଗ୍ରଓ୍ୱାଲ

ନୂଆଦିଲ୍ଲୀ : ଦେଶରେ କରୋନା ସଂକ୍ରମିତମାନେ ଦ୍ରୁତ ଗତିରେ ଆରୋଗ୍ୟଲାଭ କରୁଛନ୍ତି ଓ ତାହା ଏବେ ୪୨୨୯୮ରେ ପହଞ୍ଚିଛି । ଏହା ସହିତ ଦେଶର ଆରୋଗ୍ୟ ହାର ୪୦ ପ୍ରତିଶତରେ ପହଞ୍ଚିଛି ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ଯୁଗ୍ମ ସଚିବ ଲବ ଅଗ୍ରଓ୍ୱାଲ କହିଛନ୍ତି ।

କେନ୍ଦ୍ର ସରକାରଙ୍କ ଦୈନିକ ସାମ୍ବାଦିକ ସମ୍ମିଳନୀ ଅବସରରେ ସେ କହିଛନ୍ତି ଯେ ଦେଶରେ ଲକଡାଉନ ଆରମ୍ଭ ହେବାବେଳେ ଆରୋଗ୍ୟ ହାର ମାତ୍ର ୭.୧ ପ୍ରତିଶତ ଥିଲା । ୨ୟ ପର୍ଯ୍ୟାୟ କଡାଉନ ବେଳେ ତାହା ୧୧.୪୨ ପ୍ରତିଶତକୁ ବୃଦ୍ଧି ପାଇଲା । ୩ୟ ପର୍ଯ୍ୟାୟ ଲକଡାଉନ ବେଳେ ଆରୋଗ୍ୟହାର ୨୬.୫୯ ପ୍ରତିଶତକୁ ବୃଦ୍ଧି ପାଇଲା । ଏବେ ୪ର୍ଥ ପର୍ଯ୍ୟାୟ ଲକଡାଉନରେ ତାହା ୩୯.୬୨ ପ୍ରତିଶତକୁ ବୃଦ୍ଧି ପାଇଛି ।
ସେ ଆହୁରି ମଧ୍ୟ କହିଛନ୍ତି ଯେ ସମଗ୍ର ବିଶ୍ୱର ଜନସଂଖ୍ୟା ଓ କରୋନା ସଂକ୍ରମିତ ସଂଖ୍ୟାକୁ ଦେଖିଲେ ପ୍ରତି ୧ ଲକ୍ଷ ଜନସଂଖ୍ୟାରେ ୬୨ ଜଣ ଆକ୍ରାନ୍ତ ହୋଇଛନ୍ତି । କିନ୍ତୁ ଭାରତରେ ପ୍ରତି ୧ ଲକ୍ଷ ଜନସଂଖ୍ୟାରେ ମାତ୍ର ୭.୯ ଜଣ ଆକ୍ରାନ୍ତ ହୋଇଛନ୍ତି । ସେହିପରି ବିଶ୍ୱର ପ୍ରତି ୧ ଲକ୍ଷ ଲୋକଙ୍କ ମଧ୍ୟରେ ୪.୨ ଜଣ କରୋନା ସଂକ୍ରମିତ ହୋଇ ମୃତ୍ୟୁବରଣ କରୁଛନ୍ତି, ଯେବେକି ଭାରତରେ ପ୍ରତି ୧ଲକ୍ଷ ଲୋକଙ୍କ ମଧ୍ୟରେ ମାତ୍ର ୦.୨ ଜଣ ମୃତ୍ୟୁବରଣ କରୁଛନ୍ତି ବୋଲି ଶ୍ରୀ ଅଗ୍ରଓ୍ୱାଲ କହିଛନ୍ତି ।

ସମ୍ବନ୍ଧିତ ଖବର