ମୁମ୍ବାଇ: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ଦିନିକିଆ ଶୃଙ୍ଖଳାର ପ୍ରଥମ ମ୍ୟାଚ୍ରେ ଅଷ୍ଟ୍ରେଲିଆର ବୋଲରମାନେ ଦମ୍ଦାର ବୋଲିଂ କରି ଭାରତକୁ ୨୫୫ ରନ୍ରେ ଅଟକାଇଛନ୍ତି। ମୁମ୍ବାଇର ଓ୍ଵାଙ୍ଖେଡେ ଷ୍ଟାଡିୟମ୍ରେ ଖେଳାଯାଉଥିବା ଏହି ମ୍ୟାଚରେ ଟସ୍ ଜିଣି ଅଷ୍ଟ୍ରେଲିଆ ପ୍ରଥମେ ବୋଲିଂ ନିଷ୍ପତ୍ତି ନେବା ପରେ ଭାରତ ବ୍ୟାଟିଂ କରିଥିଲା। ୪୯.୧ ଓଭରରେ ୨୫୫ ରନ୍ କରି ଭାରତ ଅଲଆଉଟ୍ ହୋଇଯାଇଥିଲା । ଦଳର ଓପନର ଶିଖର ଧାଓ୍ଵନ୍ ବିସ୍ଫୋରକ ବ୍ୟାଟିଂ କରି ସର୍ବାଧିକ ୭୪ ରନ୍ କରିଥିଲା ବେଳେ ଲୋକେଶ ରାହୁଲ ୪୭ ରନ୍ କରିଥିଲେ ।
ସୂଚନା ଅନୁସାରେ ଭାରତର ଇନିଂସ ମନ୍ଥର ଗତିରେ ଆଗକୁ ବଢ଼ିଥିଲା। ଓପନର ରୋହିତ ଶର୍ମା ୧୫ଟି ବଲ ଖେଳି ୧୦ ରନ୍ କରିବା ପରେ ମିଚେଲ ଷ୍ଟାର୍କସଙ୍କ ବଲରେ ଆଉଟ୍ ହୋଇ ପାଭଲିଅନ୍ ଫେରିଥିଲେ। ରୋହିତ ଆଉଟ୍ ହେବା ବେଳକୁ ଟିମ୍ର ସ୍କୋର ୧୩ ରନ୍ ଥିଲା। ଏହା ପରେ ତାଙ୍କର ସ୍ଥାନ ନେଇଥିଲେ ଯୁବ ବ୍ୟାଟସ୍ମ୍ୟାନ ଲୋକେଶ ରାହୁଲ। ଲୋକେଶ ୬୧ଟି ବଲ ଖେଳି ୪୭ ରନ୍ କରିବା ପରେ ଆଷ୍ଟନ ଆଗରଙ୍କ ଦ୍ୱାରା ଆଉଟ୍ ହୋଇଥିଲେ। ଲୋକେଶଙ୍କ ଏହି ଇନିଂସରେ ୪ଟି ଚୌକା ସାମିଲ ଥିଲା।
ଲୋକେଶଙ୍କ ସ୍ଥାନ ପୂରଣ କରିବାକୁ ଟିମ୍ ଇଣ୍ଡିଆର ଅଧିନାୟକ ବିରାଟ କୋହଲି ପଡ଼ିଆକୁ ପ୍ରବେଶ କରିଥିଲେ। ମାତ୍ର କୋହଲି ମଧ୍ୟ ଅଧିକ ସମୟ ପର୍ଯ୍ୟନ୍ତ ପଡ଼ିଆରେ ତିଷ୍ଠି ପାରି ନ ଥିଲେ। ସେ ୧୪ଟି ବଲର ସମ୍ମୁଖୀନ ହୋଇ ୧୬ ରନ୍ କରି ଆଦାମ ଜାମ୍ପାଙ୍କ ଶିକାର ବନିଥିଲେ।
/sambad/media/post_attachments/wp-content/uploads/2020/01/adam-zampa.jpg)
ଭାରତର ଇନିଂସକୁ ଶିଖର ଧାଓ୍ଵନ ସମ୍ଭାଳୁ ଥିବା ବେଳେ ପ୍ୟାଟ୍ କମିନ୍ସଙ୍କ ଏକ ବଲ ଆଷ୍ଟନ ଆଗରଙ୍କୁ କ୍ୟାଚ୍ ଦେଇ ପାଭଲିଅନ୍କୁ ଫେରିଥିଲେ। ଧାଓ୍ଵନ ୯୧ ଟି ବଲ ଖେଳି ୯ଟି ଚୌକା ଓ ଗୋଟିଏ ଛକା ବଳରେ ବ୍ୟକ୍ତିଗତ ଭାବେ ୭୪ ରନ୍ କରିଥିଲେ। ଟିମ୍ର ସ୍କୋର ୧୪୦ ରନ୍ ଥିବା ବେଳେ ସେ ଆଉଟ୍ ହୋଇଥିଲେ।
ବିରାଟ କୋହଲି ଆଉଟ୍ ହୋଇ ଫେରିବା ପରେ ଯୁବ ବ୍ୟାଟସ୍ମ୍ୟାନ ଶ୍ରେୟସ ଆୟର ପଡ଼ିଆକୁ ପ୍ରବେଶ କରିଥିଲେ କିନ୍ତୁ ସେ ଟିମ୍ର ଖାତାରେ ମାତ୍ର ୪ ରନ୍ ଯୋଡ଼ିଥିଲେ। ଏହାପରେ ଦଳ ପାଇଁ ଋଷବ ପନ୍ତ ୨୮ ରନ୍, ରବୀନ୍ଦ୍ର ଜାଦେଜା ୨୫ ରନ୍, ଶାର୍ଦ୍ଦୁଲ ଠାକୁର ୧୩ ରନ୍, ମହମ୍ମଦ ସାମି ୧୦ ରନ୍ ଓ କୁଲଦୀପ ଯାଦବ ୧୭ ରନ୍ ଯୋଡ଼ିଥିଲେ।
ଅପରପକ୍ଷେ ଅଷ୍ଟ୍ରେଲିଆର ସମସ୍ତ ବୋଲର ଆଜି ଭଲ ପ୍ରଦର୍ଶନ କରିଥିଲେ। ଯାହା ଫଳରେ ଭାରତ ଏକ ମଜବୁତ୍ ସ୍କୋର କରିବାକୁ ସକ୍ଷମ ହୋଇପାରି ନ ଥିଲା। ମିଚେଲ ଷ୍ଟାର୍କସ ୩ଟି ଓ୍ଵିକେଟ୍ ନେଇଥିବା ବେଳେ ପ୍ୟାଟ୍ କମିନ୍ସ ଓ କେନ୍ ରିଚାର୍ଡସନ୍ ୨-୨ଟି ଓ୍ଵିକେଟ୍ ନେଇଥିଲେ। ଆଦାମ ଜାମ୍ପା ଓ ଆଷ୍ଟନ ଆଗରଙ୍କ ଖାତାକୁ ଗୋଟିଏ ଲେଖାଏଁ ଓ୍ଵିକେଟ୍ ଯାଇଥିଲା।