ଅମୃତସରରେ ଜାକିର ମୁସା, ପଞ୍ଜାବରେ ହାଇ ଆଲର୍ଟ

ଅମୃତସର: କୁଖ୍ୟାତ ଆତଙ୍କବାଦୀ ଜାକିର୍‌ ମୁସା ଏବେ ପଞ୍ଜାବର ଅମୃତସରରେ ଅଛି। ମୁସା ଏବଂ ତା’ର ସହଯୋଗୀମାନେ ଏକ ବଡ଼ ଆକ୍ରମଣ ଯୋଜନା କରି ଭାରତରେ ପ୍ରବେଶ କରିଛନ୍ତି। ଅମୃତସରରେ ଜାକିର ମୁସା ରହିଥିବା ସ୍ପଷ୍ଟ ହେବାପରେ ବ୍ୟାପକ ତଲାସି ଅଭିଯାନ ଆରମ୍ଭ ହୋଇଛି। ୩ ଦିନ ତଳେ ୬ ଜଣ ଜୈଶ୍‌ ଆତଙ୍କବାଦୀ ପଞ୍ଜାବରେ ପଶିଥିଲେ। ସେମାନେ ସମସ୍ତେ ଫିରୋଜପୁରରୁ ଦିଲ୍ଲୀ ଯାଇଥିବା ଜଣାପଡ଼ିଥିଲା। ତେବେ କଡ଼ା ସୁରକ୍ଷା ବ୍ୟବସ୍ଥା ଯୋଗୁଁ ସେମାନେ ପୁଣି ଫିରୋଜପୁର ଫେରି ଆସିଥିବା ଜଣାପଡ଼ିଛି। ଜାକିର ମୁସା ଅମୃତସରରେ ରହି ସେମାନଙ୍କୁ ସହାୟତା ଦେଉଥିବା ଗୁଇନ୍ଦା ରିପୋର୍ଟରୁ ଜଣାପଡ଼ିଛି। ପଞ୍ଜାବ ଏବଂ ଦିଲ୍ଲୀର ବିଭିନ୍ନ ସ୍ଥାନରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ଯ‌ଥେଷ୍ଟ ସତର୍କତା ଅବଲମ୍ବନ କରିବା ପାଇଁ ବିଭିନ୍ନ ପ୍ରତିଷ୍ଠାନକୁ ନିର୍ଦ୍ଦେଶ ଦିଆଯାଇଛି। ବିଭିନ୍ନ ହୋଟେଲ, ମଲ୍‌, ଶିକ୍ଷାନୁଷ୍ଠାନଗୁଡ଼ିକରେ ସୁରକ୍ଷା ସ୍ଥିତି ଯାଞ୍ଚ କରାଯାଉଛି । ପଞ୍ଜାବର ବିଭିନ୍ନ ସ୍ଥାନରେ ଏବେ ଜାକିର୍‌ ମୁସାର ପୋଷ୍ଟର ଲାଗିଛି। ଉଲ୍ଲେଖଯୋଗ୍ୟ ଚଳିତ ସପ୍ତାହ ପ୍ରାରମ୍ଭରେ ପଠାନ୍‌କୋଟର ମାଧପୁର ନିକଟରେ ୪ ଜଣ ସନ୍ଦିଗ୍ଧ ଆତଙ୍କବାଦୀ ଜଣେ ଟାକ୍ସି ଡ୍ରାଇଭରଙ୍କଠାରୁ ବନ୍ଧୁକ ଦେଖାଇ ଟାକ୍ସି ହାଇଜାକ୍‌ କରି ନେଇ ପଳାଇଥିଲେ। ଜାକିର ମୁସା ନେତୃତ୍ବରେ ସେମାନେ ପଞ୍ଜାବ ଆସିଥିବା ଜଣାପଡ଼ିଛି। ସେମାନେ କୌଣସି ବଡ଼ ଧରଣର ଆକ୍ରମଣ ଯୋଜନା କରିଥିବା ଗୁଇନ୍ଦା ରିପୋର୍ଟରୁ ଜଣାପଡ଼ିଛି। ଜାକିର ଏବଂ ତା’ର ସହଯୋଗୀମାନଙ୍କୁ ଧରିବାପାଇଁ ଏବେ ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ସ୍ଥାନରେ ସ୍ବତନ୍ତ୍ର ଚେକପଏଣ୍ଟ୍‌ ସ୍ଥାପନ ହୋଇଛି। ସୂଚନାଯୋଗ୍ୟ ଚଳିତ ମାସ ପ୍ରଥମ ସପ୍ତାହରେ ଜମ୍ମୁ କଶ୍ମୀରର ପୁଲୱାମାରେ ଜାକିର୍‌ ଓ ତା’ର ୮ ଜଣ ସହଯୋଗୀ ଲୁଚି ରହିଥିବା ଏକ ଗୁଇନ୍ଦା ରିପୋର୍ଟରୁ ଜଣାପଡ଼ିଥିଲା।

ସମ୍ବନ୍ଧିତ ଖବର