କ୍ୱିତୋଭା, ପ୍ଲିସ୍‌କୋଭା ବିଦା:ପ୍ରି-କ୍ୱାର୍ଟରରେ ନାଦାଲ, ହାଲେପ୍‌, ସେରେନା, ମୁଗୁରୁଜା, ସାରାପୋଭା

ପ୍ୟାରିସ୍‌,: ଦୁଇ ଚେକ୍‌ ଗଣରାଜ୍ୟ ଲଳନା ପେଟ୍ରା କ୍ୱିଟୋଭା ଏବଂ କାରୋଲିନା ପ୍ଲିସ୍‌କୋଭାଙ୍କ ଫ୍ରେଞ୍ଚ୍‌ ଓପନ୍‌ ମହିଳା ଏକକରୁ ଅଭିଯାନ ଶେଷ ହୋଇଯାଇଛି। ଗତମାସରେ ମାଦ୍ରିଦ୍‌ ଟ୍ରଫି ଜିତିଥିବା ଅଷ୍ଟମ ମାନ୍ୟତା ଖେଳାଳି କ୍ୱିତୋଭା ଚଳିତ ବର୍ଷର ଦ୍ୱିତୀୟ ଗ୍ରାଣ୍ଡ୍‌ ସ୍ଲାମ୍‌ ଫ୍ରେଞ୍ଚ୍‌ ଓପନ୍‌ର ମହିଳା ଏକକ ବର୍ଗରୁ ତୃତୀୟ ରାଉଣ୍ଡ୍‌ ପରାଜୟ ସହ ବିଦାୟ ନେଇଛନ୍ତି। ୭ ମହିଳା ଗ୍ରାଣ୍ଡ୍‌ ସ୍ଲାମ୍‌ ବିଜୟିନୀଙ୍କ ମଧ୍ୟରୁ ଅନ୍ୟତମ କ୍ୱିଟୋଭା ଶନିବାର ପ୍ରବଳ ସଂଘର୍ଷ କରିବା ସତ୍ତ୍ୱେ ଶେଷରେ ୨୫ତମ ମାନ୍ୟତା ଇସ୍ତୋନିଆ ପ୍ରତିଦ୍ୱନ୍ଦ୍ୱୀ ଆନେଟ୍‌ କୋଣ୍ଟାଭିଟ୍‌ଙ୍କ ନିକଟରୁ ୬-୭ ଓ ୬-୭ ସିଧାସଳଖ ସେଟ୍‌ରେ ହାରିଗଲେ। ତେବେ ଶୀର୍ଷ ମାନ୍ୟତା ସିମୋନା ହାଲେପ୍‌, ସ୍ପେନ୍‌ ଲଳନା ଗାର୍ବିନେ ମୁଗୁରୁଜା ଏବଂ ରୁଷୀୟ ସୁନ୍ଦରୀ ମାରିଆ ସାରାପୋଭା ମହିଳା ଏକକରେ ନିଜ ନିଜର ତୃତୀୟ ରାଉଣ୍ଡ୍‌ ମ୍ୟାଚ୍‌କୁ ସହଜରେ ଜିତି ପ୍ରି-କ୍ୱାର୍ଟର ଫାଇନାଲ୍‌ରେ ସ୍ଥାନ ସୁରକ୍ଷିତ କରିନେଇଛନ୍ତି। ହାଲେପ୍‌ ସିଧାସଳଖ ୭-୫ ଓ ୬-୦ ସେଟ୍‌ରେ ଆନ୍ଦ୍ରିଆ ପେଟ୍‌କୋଭିକ୍‌ଙ୍କୁ ପରାସ୍ତ କରିଥିଲା ବେଳେ ତୃତୀୟ ମାନ୍ୟତା ମୁଗୁରୁଜା ସିଧାସଳଖ ୬-୦ ଓ ୬-୨ ସେଟ୍‌ରେ ଅଷ୍ଟ୍ରେଲିଆର ସାମନ୍ଥା ସ୍ତୋସୁରଙ୍କୁ, ୫ ଥର ଗ୍ରାଣ୍ଡ୍‌ ସ୍ଲାମ୍‌ ବିଜୟିନୀ ତଥା ଏଠାରେ ୨୮ତମ ମାନ୍ୟତାପ୍ରାପ୍ତ ସାରାପୋଭା ୬-୨ ଓ ୬-୧ ସିଧାସଳଖ ସେଟ୍‌ରେ ଷଷ୍ଠ ମାନ୍ୟତା ପ୍ଲିସ୍‌କୋଭାଙ୍କୁ ପରାସ୍ତ କରି ବିଦାୟ ରାସ୍ତା ଦେଖାଇ ଦେଇଛନ୍ତି। ପ୍ରି-କ୍ୱାର୍ଟର ଫାଇନାଲ୍‌ରେ ସାରାପୋଭାଙ୍କ ମୁକାବିଲା ଆମେରିକାର ସେରେନା ଓ୍ଵିଲିୟମ୍‌ସଙ୍କ ସହ ହେବ। ସେରେନା ଶନିବାର ତୃତୀୟ ରାଉଣ୍ଡ୍‌ ମୁକାବିଲାରେ ଏକାଦଶ ମାନ୍ୟତା ଜର୍ମାନିର ଜୁଲିଆ ଜର୍ଜେସ୍‌ଙ୍କୁ ସିଧାସଳଖ ୬-୩ ଓ ୬-୪ ସେଟ୍‌ରେ ପରାସ୍ତ କରି ପ୍ରି-କ୍ୱାର୍ଟର ଫାଇନାଲ୍‌ ପ୍ରବେଶ କରିଛନ୍ତି। ଶନିବାର ମହିଳା ଏକକର ଅନ୍ୟ ମ୍ୟାଚ୍‌ରେ ସପ୍ତମ ମାନ୍ୟତା କାରୋଲିନେ ଗାର୍ସିଆ, ଦଶମ ମାନ୍ୟତା ସୋଲାନେ ଷ୍ଟିଫେନ୍‌ସ, ଦ୍ୱାଦଶ ମାନ୍ୟତା ଜର୍ମାନିର ଆଞ୍ଜେଲିକ୍‌ କେର୍ବର, ୧୬ତମ ମାନ୍ୟତା ଏଲିସେ ମର୍ତେନ୍‌ସ ତୃତୀୟ ରାଉଣ୍ଡ୍‌ ଅତିକ୍ରମ କରି ପ୍ରି-କ୍ୱାର୍ଟର ଫାଇନାଲ୍‌ରେ ପହଞ୍ଚି ଯାଇଥିଲା ବେଳେ ୧୮ତମ ମାନ୍ୟତା କିକି ବର୍ତେନ୍‌ସ ଓ ୧୯ତମ ମାନ୍ୟତା ମାଗ୍‌ଡେଲେନା ରିବାରିକୋଭା ଏହି ରାଉଣ୍ଡ୍‌ରୁ ବିଦାୟ ନେଇଛନ୍ତି।
ଅନ୍ୟପକ୍ଷରେ ପୁରୁଷ ଏକକରେ ଶୀର୍ଷ ମାନ୍ୟତା ରାଫେଲ ନାଦାଲ, ତୃତୀୟ ମାନ୍ୟତା ମାରିନ୍‌ ସିଲିକ୍‌, ପଞ୍ଚମ ମାନ୍ୟତା ଜୁଆନ୍‌ ମାର୍ଟିନ୍‌ ଡେଲ୍‌ ପୋଟ୍ରୋ, ଆର୍ଜେଣ୍ଟିନାର ଡିଗୋ ସ୍ୱାର୍ଚମ୍ୟାନ୍‌ ଏବଂ ଜର୍ମାନି ତାରକା ମାକ୍ସିମିଲାନ୍‌ ମାର୍ତେରର୍‌ ନିଜ ନିଜର ସିଧାସଳଖ ସେଟ୍‌ ବିଜୟ ସହ ତୃତୀୟ ରାଉଣ୍ଡ୍‌ ପାରି ହୋଇଥିଲା ବେଳେ ଷଷ୍ଠ ମାନ୍ୟତା କେଭିନ୍‌ ଆଣ୍ଡରସନ୍‌, ଅଷ୍ଟମ ମାନ୍ୟତା ଡେଭିଡ୍‌ ଗଫିନ୍‌ ଏବଂ ଅଷ୍ଟାଦଶ ମାନ୍ୟତା ଫାବିଓ ଫୋଗ୍‌ନିନି କଷ୍ଟକର ବିଜୟ ସହ ଏହି ରାଉଣ୍ଡ୍‌ ଅତିକ୍ରମ କରିଛନ୍ତି। ସ୍ପେନ୍‌ ତାରକା ନାଦାଲ ୬-୩, ୬-୨ ଓ ୬-୨ରେ ୨୯ତମ ମାନ୍ୟତା ରିଚାର୍ଡ ଗାସ୍‌କ୍ୱେଟ୍‌ଙ୍କୁ ପରାସ୍ତ କରି ବିଦାୟ ରାସ୍ତା ଦେଖାଇ ଦେଇଥିଲା ବେଳେ ସିଲିକ୍‌ ୬-୩, ୬-୨ ଓ ୬-୪ ସେଟ୍‌ରେ ଷ୍ଟିଭ୍‌ ଜନ୍‌ସନ୍‌ଙ୍କୁ, ଏକାଦଶ ମାନ୍ୟତା ସ୍ୱାର୍ଚମ୍ୟାନ୍‌ ୭-୫, ୬-୩ ଓ ୬-୩ରେ ବର୍ନା କୋରିକ୍‌ଙ୍କୁ ଏବଂ ମାର୍ତେରର୍‌ ୬-୨, ୬-୧ ଓ ୬-୪ରେ ଜୁର୍‌ଗେନ୍‌ ଜୋପ୍‌ଙ୍କୁ ପରାସ୍ତ କରି ପ୍ରି-କ୍ୱାର୍ଟର ଫାଇନାଲ୍‌ରେ ସ୍ଥାନ ସୁରକ୍ଷିତ କରିନେଇଛନ୍ତି। ତେବେ ଆଣ୍ଡରସନ୍‌ ୬-୧, ୬-୭, ୬-୩ ଓ ୭-୬ରେ ମିଶ୍ଚା ଭେରେଭ୍‌ଙ୍କୁ, ଗଫିନ୍‌ ୬-୭, ୬-୩, ୪-୬, ୭-୫ ଓ ୬-୩ରେ ୩୨ତମ ମାନ୍ୟତା ଗେଲ୍‌ ମୋନ୍‌ଫିଲ୍‌ସଙ୍କୁ ଏବଂ ଫୋଗ୍‌ନିନି ୬-୩, ୪-୬, ୩-୬, ୬-୪ ଓ ୬-୪ ସେଟ୍‌ରେ ଷୋଡ଼ଶ ମାନ୍ୟତା କେଲି ଏଡ୍‌ମୁଡ୍‌ଙ୍କୁ ପରାସ୍ତ କରି ପ୍ରି-କ୍ୱାର୍ଟର ଫାଇନାଲ୍‌ ଯାଇଛନ୍ତି।

ସମ୍ବନ୍ଧିତ ଖବର