କୁଶାଲଙ୍କ ପଡ଼ୋଶୀ ଅଭିନେତା ଆଶିଷ ରଏଙ୍କ ଖୁଲାସା: ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ କେବେ ଝଗଡ଼ା ହେଉ ନଥିଲା ସତ, ହେଲେ…

ମୁମ୍ବାଇ: ଡିସେମ୍ବର ୨୭ରେ ନିଜ ଘରେ ଆତ୍ମହତ୍ୟା କରିଥିଲେ ଅଭିନେତା କୁଶାଲ ପଞ୍ଜାବୀ। ତାଙ୍କର ହଠାତ୍ ଏଭଳି ପଦକ୍ଷେପ ନେବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିବା ସହ ବୈବାହିକ ଜୀବନରେ ଅଶାନ୍ତି ଲାଗି ରହିଥିବାରୁ ସେ ଆତ୍ମହତ୍ୟା କରିଥିବା ନେଇ ଚର୍ଚ୍ଚା ଜୋର ଧରିଥିଲା। ଏବେ ଏ ସବୁ ଚର୍ଚ୍ଚା ମଧ୍ୟରେ କୁଶାଲଙ୍କ ପଡ଼ୋଶୀ ତଥା ଅଭିନେତା ଆଶିଷ ରଏ ନିଜର ପ୍ରତିକ୍ରିୟା ରଖିଛନ୍ତି।

ତାଙ୍କ କହିବା ମୁତାବକ, ଏହା ସତ କି, କୁଶାଲ ନିଜ ବୈବାହିକ ଜୀବନକୁ ନେଇ ଖୁସି ନଥିଲେ। ସେ ମୋତେ ନିଜେ ଏହି ବିଷୟରେ ଜଣାଇଥିଲେ। କିନ୍ତୁ ଏତେ ବର୍ଷ ମଧ୍ୟରେ ମୁଁ କୁଶାଲ ଓ ତାଙ୍କ ପତ୍ନୀଙ୍କ ମଧ୍ୟରେ କେବେ ବି ଝଗଡ଼ା ହେବାର ଦେଖିନାହିଁ। ତେବେ ଆଶିଷଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡ଼ିବା ପରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରୁ ଆସିବା ପରେ ସେ ଏଭଳି ବୟାନ ଦେଇଛନ୍ତି।

India TV

ଏହା ପୂର୍ବରୁ କୁଶାଳଙ୍କ ପତ୍ନୀ ନିଜ ବିବାହକୁ ନେଇ ଅନେକ ଖୁଲାସା କରିଥିଲେ। ସେ କହିଥିଲେ କି, ଆମ ବୈବାହିକ ଜୀବନରେ ଅନେକ ସମସ୍ୟା ଆସିଥିଲା ସତ, କିନ୍ତୁ ଆମ ବିବାହ ବିଫଳ ହୋଇ ନଥିଲା। ମୁଁ ସାଂଘାଇରେ ରହୁଥିଲେ ମଧ୍ୟ କିଆନକୁ କେବେ ହେଲେ କୁଶାଲଙ୍କ ସହ କଥା ହେବାକୁ ରୋକୁ ନଥିଲି। କିନ୍ତୁ, କୁଶାଲ କେବେ ନିଜ ପରିବାରକୁ ନେଇ ଗମ୍ଭୀର ନଥିଲେ। ଆମ ଭିତରେ ଯାହାବି ମତଭେଦ ଥିଲା, ତାହାର ସମାଧାନ ପାଇଁ ମୁଁ କୁଶାଲଙ୍କୁ ସାଂଘାଇ ଡ଼କାଇଥିଲେ ମଧ୍ୟ ସେ ଆସି ନଥିଲେ। ଏମିତି କି ମୁଁ ତାଙ୍କର ସମସ୍ତ ଖର୍ଚ୍ଚ ଉଠାଉଥିଲି। ମୁଁ କୁଶାଲଙ୍କ ସହ ମୋ ସଂପର୍କକୁ ସୁଧାରିବା ପାଇଁ ଅନେକ ଚେଷ୍ଟା କରିଥିଲି, କିନ୍ତୁ ତାହା ସମ୍ଭବ ହୋଇ ନଥିଲା। ସେ ମୋତେ ଚାକିରି ଛାଡ଼ି ଆସି ଲଣ୍ଡନରେ ରହିବା ପାଇଁ ବାଧ୍ୟ କରିଥିଲେ। କିନ୍ତୁ କମ୍ପାନି ସହ ମୋର ଅନୁବନ୍ଧ ଥିବାରୁ ତାହା ସମ୍ଭବ ନଥିଲା। କୁଶାଲ ସେ କଥା ନ ବୁଝି ବାରମ୍ବାର ମୋତେ ଚାକିରି ଛାଡ଼ିବାକୁ କହୁଥିଲେ। କିଆନର ଭବିଷ୍ୟତ କଥା ମଧ୍ୟ ଚିନ୍ତା କରୁ ନଥିଲେ। ବିବାହକୁ ବଞ୍ଚାଇବା ପାଇଁ ମୁଁ ଏତେ ଚେଷ୍ଟା କରିବା ପରେ ମଧ୍ୟ କୁଶାଲଙ୍କ ମୃତ୍ୟୁ ପାଇଁ ମୋତେ କାହିଁକି ଦାୟୀ କରାଯାଉଛି, ତାହା ମୁଁ ବୁଝିପାରୁ ନାହିଁ।

ସମ୍ବନ୍ଧିତ ଖବର