୧୨ ବର୍ଷ ଧରି ଖଇ ଖାଇ ବଞ୍ଚିଛନ୍ତି ଅଖ୍ୟାତ ପଲ୍ଲୀର ଏଇ କୁନି ଝିଅ ! ଭାତ ଖାଇଲେ ବାନ୍ତି ହୋଇଯାଉଛି

ମାଲକାନଗିରି : ଶୀର୍ଷକ  ପଢ଼ି  ଆଶ୍ଚର୍ଯ୍ୟ ଲାଗୁ ଥିଲେ ହେଁ ଘଟଣାଟି ସତ । ବର୍ଷେ ନୁହଁ କି ଦୁଇ ବର୍ଷ ନୁହଁ, ଦୀର୍ଘ ୧୨ ବର୍ଷ ଧରି ଖଇ (ଲିଆ) ଖାଇ ଜୀବନଧାରଣ କରୁଛନ୍ତି  ଜଣେ ଆଦିବାସୀ ଝିଅ । ସେ ହେଉଛନ୍ତି ମାଲକାନଗିରି ଜିଲ୍ଲା ଚମ୍ପାପାଣି ଗାଁର କୁନି ଝିଅ ମୁକ ଗୁରାମୀ  । ତେବେ ବଡ କଥା ହେଉଛି ଏଥି ପାଇଁ ନିଜେ ହିଁ ଚୁଲିରେ ଖଇ ଭାଜି ଖାଅାନ୍ତି ମୁକ ।

ମା’ କ୍ଷୀର ଛାଡ଼ିଲା ପରଠାରୁ ମୁକ ଗୁରାମୀ କେବଳ ମୁଢ଼ି ଆଉ ଖଇ ଖାଇ ବଞ୍ଚୁଛନ୍ତି । ମାଲକାନଗିରି ଜିଲ୍ଲା ଟେମରରୁପାଲି ଗ୍ରାମ ପଞ୍ଚାୟତର ଚମ୍ପାପାଣି ଗାଁର ୧୩ ବର୍ଷର ଝିଅ ମୁକ କୁରାମୀଙ୍କ ପରିବାରର ଆର୍ଥିକ ସ୍ଥିତି ଭଲ ନ ଥିବା ଯୋଗୁଁ ପିଲାଟି ଦିନରୁ ମା’ କ୍ଷୀର ଓ ପରେ ପରେ ତାଙ୍କୁ କେବଳ ଖଇ ଓ ମୁଢି ଖୁଆଇ  ବଡ କରି ଥିଲେ ତାଙ୍କ ବାପା-ମା’ । ବର୍ତମାନ ପରିସ୍ଥିତି ଏମିତି ଯେ କେବଳ ଖଇକୁ ବାଦ ଦେଲେ ଆଉ କିଛି ଖାଇ ପାରୁନାହାନ୍ତି ସେ ।

ପରିବାର ଲୋକେ ଅନେକ ଥର ମୁକଙ୍କୁ ଭାତ ଡାଲି ଖୁଆଇବାକୁ ଚେଷ୍ଟା କରି ଥିଲେ ହେଁ ଭାତ ଖାଉ ଖାଉ ବାନ୍ତି କରି ଦିଅନ୍ତି ମୁକ । ତେଣୁ କେବଳ ଏହି ଘର ତିଆରି ଖଇ ଖାଇ ସମ୍ପୂର୍ଣ୍ଣ ସୁସ୍ଥ ଏହି ଆଦିବାସୀ ଝିଅ । ତେବେ ବୟସ ବଢିବା ସାଙ୍ଗକୁ ଝିଅର ସ୍ୱାସ୍ଥ୍ୟକୁ ନେଇ ଚିନ୍ତିତ ପରିବାର ଲୋକେ ।

୧୩ ବର୍ଷୀୟ ଏହି ବାଳିକାଙ୍କ ଖଇ ଖିଆ ଅଭ୍ୟାସ ଯୋଗୁ ନୂତନ ସମସ୍ୟା ମଧ୍ୟ ମୁଣ୍ଡ ଟେକିଛି । ବିଦ୍ୟାଳୟରେ ମଧ୍ୟାନ୍ନ ଭୋଜନରେ ଭାତ ଡାଲି ଦିଆ ଯାଉ ଥିବାରୁ ଆଉ ବିଦ୍ୟାଳୟ ନ ଯାଇ ପାଠ ଛାଡି ସାରିଛନ୍ତି ମୁକ । ତେବେ ମୁକଙ୍କୁ ବିଦ୍ୟାଳୟ ଯିବା ଲାଗି ଗ୍ରାମବାସୀମାନେ ଅନୁରୋଧ କରୁ ଥିବା ବେଳେ ମୁକ ଭାତ କିମ୍ବା ରୁଟି ଜାତୀୟ ଖାଦ୍ୟ ନ ଖାଇ ବଞ୍ଚିବା ବିରଳ ବୋଲି କହିଛନ୍ତି ଡାକ୍ତର ।

ମୁକଙ୍କୁ ନେଇ ପରିବାର ଲୋକେ ଅନେକ ଡାକ୍ତର ଓ ବିଶେଷଜ୍ଞ ସହ ପରାମର୍ଶ ମଧ୍ୟ କରି ଥିବା ଜଣାପଡିଛି । ତେବେ ବର୍ତମାନ ମୁକ ସୁସ୍ଥ ଥିବା ବେଳେ ମୁକଙ୍କ ଏହି ଖଇ ଓ ମୁଢ଼ି ଖିଆ ବିରଳ ଘଟଣା ଏବେ ସମଗ୍ର ମାଲକାନଗିରି ଜିଲ୍ଲାରେ ଆଲୋଡନ ସୃଷ୍ଟି କରିଛି ।

ସମ୍ବନ୍ଧିତ ଖବର