ବିଦେଶ ମନ୍ତ୍ରାଳୟର ଖାମଖିଆଲି ମନୋଭାବ : ଓଡ଼ିଆଙ୍କ ଖାଦ୍ୟ ଥାଳିରେ ଡାଲମା, ସନ୍ତୁଳା କି ରସଗୋଲା ନାହିଁ !

ଟ୍ଵିଟ୍ଟରରେ ଝଡ଼

ଭୁବନେଶ୍ୱର( ତପନ ମହାରଣା): ବିଦେଶ ମନ୍ତ୍ରାଳୟ ପକ୍ଷରୁ ଭାରତର ବିଭିନ୍ନ ରାଜ୍ୟ ଓ ସେଗୁଡ଼ିକର ଖାଦ୍ୟର ପ୍ରଚାର ପ୍ରସାର ଉଦ୍ଦେଶ୍ୟରେ ଏକ ସ୍ୱତନ୍ତ୍ର ପଦକ୍ଷେପ ନିଆଯାଇଛି । ଏଥିଲାଗି ମନ୍ତ୍ରାଳୟର ଟ୍ଵିଟର ହାଣ୍ଡଲରେ ‘ଇଣ୍ଡିଆନ ଡିପ୍ଲୋମାସି’ରେ ସବୁ ରାଜ୍ୟର ମୁଖ୍ୟ ଖାଦ୍ୟ ଥାଳିର ଚିତ୍ର ଦିଆଯାଇଛି ।

ତେବେ ବିଦେଶ ବିଭାଗର ଏହି ପଦକ୍ଷେପ ସାମଗ୍ରୀକଭାବେ ବେଶ ପ୍ରସଂଶନୀୟ ହେଲେ ମଧ୍ୟ ସେଥିରେ ରହିଥିବା କେତେକ ତ୍ରୁଟି ଯୋଗୁଁ ଟ୍ଵିଟର ବ୍ୟବହାରକାରୀମାନେ ତାହାକୁ ସମାଲୋଚନା କରିଛନ୍ତି । ଓଡ଼ିଆଙ୍କ ଖାଦ୍ୟ ଥାଳି ଭାବେ ଯେଉଁ ଚିତ୍ର ରହିଛି ତାହା ମୁଖ୍ୟତଃ ଏକ ଉତ୍ତର ଭାରତୀୟ ଥାଳି ପରି ଲାଗୁଛି ।

ଉଦାହରଣ ସ୍ୱରୂପ ଓଡ଼ିଶାର ଯେଉଁ ଖାଦ୍ୟ ଥାଳିର ଚିତ୍ର ଦିଆଯାଇଛି ସେଥିରେ ଅଳ୍ପ କେତୋଟି ଓଡ଼ିଆ ଖାଦ୍ୟ ଥିଲେ ମଧ୍ୟ ଲୋକପ୍ରିୟ ଓଡ଼ିଆ ଖାଦ୍ୟ ଯେପରିକି ଡାଲମା, ସନ୍ତୁଳା ଆଦି ରହିନାହିଁ । ବେଶ ଖାମଖିଆଲି ଢଙ୍ଗରେ ଏହି ତାଲିକା ପ୍ରସ୍ତୁତ କରାଯାଇଥିବା ଅଭିଯୋଗ ହୋଇଛି । ଏହାକୁ ଓଡ଼ିଶାର ଲୋକମାନେ ଟ୍ଵିଟରରେ  ସମାଲୋଚନା କରିଛନ୍ତି । ଜଣେ ଓଡ଼ିଆ ବ୍ୟକ୍ତି ଲେଖିଛନ୍ତି ଯେ ଏହା ଏକ ଅସଂପୂର୍ଣ୍ଣ ଥାଳି, କାରଣ ଏଥିରେ ସନ୍ତୁଳା, ଶାଗଭଜା, ବଡ଼ିଚୁରା,ଖଟା, ଖିରୀ ଆଦି ନାହିଁ । ଆଉ ଜଣେ ବ୍ୟକ୍ତି ସଂବିତ୍‌ ଲେଖିଛନ୍ତି ଯେ, ଓଡ଼ିଆଙ୍କ ପ୍ରିୟ ଖାଦ୍ୟ ପଖାଳକୁ ସାମିଲ କରିଥିଲେ ଭଲ ହୋଇଥାନ୍ତା । ମଂଜୁଳା ନାମକ ବ୍ୟକ୍ତି ଲେଖିଛନ୍ତି ଯେ ଖିରୀ ଓ ରସଗୋଲା ଥିଲେ ଭଲ ହୋଇଥାନ୍ତା ।

କେବଳ ଓଡ଼ିଶାର ଖାଦ୍ୟ ନୁହେଁ, ଅନ୍ୟ କେତେକ ରାଜ୍ୟର ଖାଦ୍ୟ ତାଲିକାରେ ଥିବା ତ୍ରୁଟି ଯୋଗୁଁ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟକୁ ସମାଲୋଚନାର ଶରବ୍ୟ ହେବାକୁ ପଡିଛି । ଜାମ୍ମୁ ଓ କାଶ୍ମୀର ଥାଳିରେ ବ୍ୟାପକ ତ୍ରୁଟି ଥିବା ଦେଖାଯାଇଛି । କେତେକ ଏହାକୁ କାଶ୍ମୀର ପଣ୍ଡିତମାନଙ୍କ ଥାଳି ବୋଲି କହିଛନ୍ତି । କାଶ୍ମୀର ମୁସଲମାନଙ୍କ ଖାଦ୍ୟକୁ ଉପଯୁକ୍ତ ପ୍ରତିନିଧିତ୍ୱ ଦିଆଯାଇନଥିବା କେତେକ ପାଠକ କହିଛନ୍ତି । କାଶ୍ମୀର ଅଧିବାସୀ କ୍ୱାସାର ଜାନ ସମାଲୋଚନା କରି ଲେଖିଛନ୍ତି ଯେ ଏହି ଥାଳିଟି ଯେପରିଭାବେ ଦେଖାଯାଇଛି କାଶ୍ମୀର ପରିବାରଗୁଡିକରେ ସେପରି ଢଙ୍ଗରେ କେହି ଖାଆନ୍ତି ନାହିଁ । କାଶ୍ମୀରରେ ଖାଦ୍ୟ ସହିତ ତାହା ମିଶୁନାହିଁ, ଏପରିକି କାଶ୍ମୀରର ପାତ୍ର ଗୁଡିକ ମଧ୍ୟ ଅଲଗା ।
ତେବେ ଏସବୁ ତ୍ରୁଟି ସତ୍ତ୍ୱେ ଅନେକ ଲୋକ ବିଭାଗର ଏହି ପଦକ୍ଷେପକୁ ବେଶ ସମର୍ଥନ ମଧ୍ୟ କରିଛନ୍ତି । ଏସବୁ ଥାଳିଗୁଡ଼ିକ ଭାରତର ବିବିଧତା ମଧ୍ୟରେ ଏକତାକୁ ଦର୍ଶାଉଛି ବୋଲି ଲୋକମାନ କହିଛନ୍ତି ।

ସମ୍ବନ୍ଧିତ ଖବର