ନବନିର୍ମାଣ କୃଷକ ସଂଗଠନର ରାସ୍ତାରୋକ ବିଧାୟକ ସମର୍ଥକ-ଆ‌େନ୍ଦାଳକାରୀ ମୁହାଁମୁହିଁ, କୃଷକ ନେତା ଆହତ

ରତ୍ନଗିରି,: ବରୀ ବିଧାୟକ ଦେବାଶିଷ ନାୟକଙ୍କ ରତ୍ନଗିରି ପଞ୍ଚାୟତ ଗସ୍ତକୁ ବ‌ିରୋଧ କରି ନବ ନିର୍ମାଣ କୃଷକ ସଙ୍ଗଠନର ରାସ୍ତାରୋକ ବେଳେ ଗଣ୍ଡ‌ଗୋଳ ହୋଇଛି। ବିଧାୟକ ସମର୍ଥକ ଓ ଆନ୍ଦୋଳନକାରୀ କୃଷକ ମୁହଁାମୁହିଁ ହୋଇଛନ୍ତି। ଗଣ୍ଡଗୋଳରେ ନବ ନିର୍ମାଣ କୃଷକ ସଙ୍ଗଠନର ବ୍ଲକ୍ ସଂଯୋଜକ ମାଧବାନନ୍ଦ ଶାନ୍ତି ଆହତ ହୋଇଛନ୍ତି। ମାଧବାନନ୍ଦଙ୍କ ମୁଣ୍ଡ ଫାଟିଯାଇଛି। ତାଙ୍କୁ ଡ଼ାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚାପା ଉତ୍ତେଜନା ଦେଖା ଦେଇଛି। ବରୀ ବ୍ଲକ ରତ୍ନଗିରି ପଞ୍ଚାୟତ ଅନ୍ତର୍ଗତ କେନ୍ଦୁଘାଇ ପଡିଆ ଠାରେ ଆଜି ନୂତନ ହିତାଧିକାରୀଙ୍କୁ ଭତ୍ତା ଓ ବିଜୁ ଯୁବ ବାହିନୀକୁ ମୋବାଇଲ ଫୋନ୍ ପ୍ରଦାନ ପାଇଁ ଏକ ସଭା ଆୟୋଜନ କରାଯାଇଥିଲା। ସେଥିରେ ସ୍ଥାନୀୟ ବିଧାୟକ ଦେବାଶିଷ ନାୟକ ‌େଯାଗ ଦେବାର କାର୍ଯ୍ୟକ୍ରମ ଥିଲା। ନବନିର୍ମାଣ କୃଷକ ସଂଗଠନର ସଦସ୍ୟମାନେ ସଭାସ୍ଥଳ ନିକଟ ମୁଖ୍ୟ ରାସ୍ତାରେ ନାରାବାଜି କରିବା ସହ ରାସ୍ତାରେ ବସିରହିଥିଲେ। ହାତରେ ପ୍ଲା-କାର୍ଡ ଧରି ଚାଷୀଙ୍କୁ ରାଜଧାନୀ ମନା ତ ନେତାଙ୍କୁ ଗାଁ ମନା ଓ ଦେବାଶିଷ୍ ତମେ ଫେରିଯାଅ ବୋଲି ନାରା ଦେଇଥିଲେ। କର୍ମୀ ଓ କୃଷକ ସଂଗଠନ ମଧ୍ୟରେ ମୁଖ୍ୟରାସ୍ତାରେ ଆଲୋଚନା ଚାଲିଥିବା ବେଳେ ଅନ୍ୟ ରାସ୍ତା ଦେଇ ବିଧାୟକ ସଭାରେ ପହଞ୍ଚିଯାଇଥିଲେ।
ଏପଟେ ରାସ୍ତାରୋକ ସ୍ଥାନରେ ଉଭୟ ପକ୍ଷଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା। ଏଥିରେ କୃଷକ ନେତା ମାଧବାନନ୍ଦ ଶାନ୍ତି ଆହତ ହୋଇ ବରୀ ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସିତ ହୋଇଛନ୍ତି। ବିଧାୟକଙ୍କ ସମର୍ଥକମାନେ ତାଙ୍କ ମୁଣ୍ତରେ ଗୋଇଠା ମାରିଥିଲେ ବୋଲି ମଧବାନନ୍ଦ କହିଛନ୍ତି। ଏହାକୁ ନେଇ କୃଷକମାନେ ଥାନାରେ ଅଭିଯୋଗ କରିଛନ୍ତି।

ସମ୍ବନ୍ଧିତ ଖବର