ଡିସେମ୍ବର ସୁଦ୍ଧା ସବୁ ଘରକୁ ବିଜୁଳି: ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଶକ୍ତି କ୍ଷେତ୍ରରେ ଓଡ଼ିଶା ଏକ ବଳକା ରାଜ୍ୟ। ରାଜ୍ୟ ସରକାର ଗ୍ରାମାଞ୍ଚଳରେ ଶତ ପ୍ରତିଶତ ବିଜୁଳି ପହଞ୍ଚାଇ ପାରିଛନ୍ତି। ଚଳିତବର୍ଷ ଶେଷ ସୁଦ୍ଧା ରାଜ୍ୟର ସମସ୍ତ ପରିବାରକୁ ବିଜୁଳି ପହଞ୍ଚିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଆଜି ରାଜ୍ୟ ବିଦ୍ୟୁତ ନିୟାମକ ଆୟୋଗ ବା ଓଇଆରସି ପକ୍ଷରୁ ୬୫ତମ ଫୋରମ୍ ଅଫ ରେଗୁଲେଟର୍ସ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମୁଖ୍ୟମନ୍ତ୍ରୀ କହିଲେ, ଗତ ଦୁଇ ଦଶନ୍ଧିରେ ରାଜ୍ୟରେ ଶକ୍ତି କ୍ଷେତ୍ରରେ ବିକାଶ ତ୍ବରାନ୍ବିତ ହୋଇଛି। ଅବିରତ ବିଜୁଳି ଯୋଗାଇବା ଓ ଚାହିଦାକୁ ନଜରରେ ରଖି ବିଜୁଳି ଶକ୍ତି ଉତ୍ପାଦନ, ଟ୍ରାନ୍‌ସମିସନ୍ ଓ ବିତରଣକୁ ସଂପ୍ରସାରିତ ଓ ଅପଗ୍ରେଡ୍ କରାଯାଇଛି। ଶକ୍ତି କ୍ଷେତ୍ର‌କୁ ବିପର୍ଯ୍ୟୟ ପ୍ରତିରୋଧୀ କରିବା ପାଇଁ ଅନେକ ପଦକ୍ଷେପ ଗ୍ରହଣ କରାଯାଇଛି। ଶକ୍ତି କ୍ଷେତ୍ର ସମ୍ବିଧାନର ଯୁଗ୍ମ ତାଲିକାରେ ରହିଛି। ତେଣୁ ରାଜ୍ୟ ସରକାରଙ୍କ ମତକୁ ଗୁରୁତ୍ବ ଦେବାର ଜରୁରୀ। ଦେଶର ସଂଘୀୟ ବ୍ୟବସ୍ଥାରେ ୨୦୦୩ ମସିହା ବିଦ୍ୟୁତ ଆଇନରେ ଆସିଥିବା ପ୍ରସ୍ତାବିତ ସଂଶୋଧନ ସହିତ ଖାପ ଖୁଆଉନାହିଁ। ତେଣୁ ଜନସାଧାରଣଙ୍କ ସ୍ବାର୍ଥକୁ ନଜରରେ ରଖି ଫୋରମ୍ ଅନେକ ମୂଲ୍ୟବାନ ସୁପାରିସ୍ ଆଣିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। କେନ୍ଦ୍ର ବିଦ୍ୟୁତ ନିୟାମକ ଆୟୋଗର ଅଧ୍ୟକ୍ଷ ପି.କେ ପୂଜାରୀ କହିଲେ, ବିଦ୍ୟୁତ୍ ଯୁଗ୍ମ ତାଲିକାରେ ଆସୁଥିବାରୁ ଅନେକ କ୍ଷେତ୍ରରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଆପୋଷ ବୁଝାମଣାର ଆବଶ୍ୟକତା ରହିଛି। ଅନ୍ତଃରାଜ୍ୟ ମଧ୍ୟରେ ରହିଥିବା ପ୍ରସଙ୍ଗକୁ ଫୋରମ୍‌ରେ ଆଲୋଚନା ହୋଇଛି। ଆପୋଷ ବୁଝାମଣାରେ ନିୟମ ପ୍ରଣୟନ କରାଯାଇଛି। ପ୍ରତି ଦୁଇ ମାସରେ ଥରେ ଏହି ବୈଠକ ବସିଥାଏ ବୋଲି ଶ୍ରୀ ପୂଜାରୀ କହିଥିଲେ। ରାଜ୍ୟ ବିଦ୍ୟୁତ ନିୟାମକ ଆୟୋଗ ଅଧ୍ୟକ୍ଷ ୟୁଏନ୍ ବେହେରା କହିଲେ, ବୈଠକରେ ଜାତୀୟ ବିଦ୍ୟୁତ ଶୁଳ୍କ ଉପରେ ଆଲୋଚନା ହେବା ସହିତ ବିଭିନ୍ନ ରାଜ୍ୟର ଅଧ୍ୟକ୍ଷ ଏ ନେଇ ନିଜର ମତ ରଖିଛନ୍ତି। ଏହାସହ ୨୦୦୩ ମସିହା ବିଦ୍ୟୁତ ଆଇନରେ ଆସିଥିବା ପ୍ରସ୍ତାବରେ ସଂଶୋଧନ ଆବଶ୍ୟକ ଥିବାରୁ କେନ୍ଦ୍ର ଏଥିପାଇଁ ଏକ ପ୍ରସ୍ତାବ ପ୍ରସ୍ତୁତ କରିଛନ୍ତି। ସମସ୍ତ ରାଜ୍ୟମାନଙ୍କୁ ଏହାକୁ ପଠାଇ ଦିଆଯାଇଥିବା ଶ୍ରୀ ବେହେରା କହିଥିଲେ।

ସମ୍ବନ୍ଧିତ ଖବର