ପ୍ରଚାର ମଇଦାନରୁ ନବୀନଙ୍କ ଘୋଷଣା: କାଳିଆ ଯୋଜନାକୁ ବନ୍ଦ କରିବାକୁ ଚକ୍ରାନ୍ତ କରୁଛି କେନ୍ଦ୍ର ସରକାର ; ମୁଁ ଥିବା ଯାଏଁ କେହି ବନ୍ଦ କରିପାରିବେ ନାହିଁ

ସୋନପୁର/ବୌଦ୍ଧ:  ୪ଟି ଲୋକସଭା ଏବଂ ୨୮ଟି ବିଧାନସଭା ପାଇଁ ଆଜି ରାଜ୍ୟରେ ନିର୍ବାଚନ ଚାଲିଥିବା ବେଳେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ପ୍ରଚାର ମୈଦାନରେ ଓହ୍ଲାଇଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ନିଜ ଭାଷଣରେ ମୁଖ୍ୟତଃ କେନ୍ଦ୍ରର ବିଜେପି ସରକାରକୁ କଡ଼ା ସମାଲୋଚନା କରିବା ସହ ଜନସାଧାରଣଙ୍କ ଆଶୀର୍ବାଦ ଭିକ୍ଷା କରିଛନ୍ତି। ଏଥିସହ ଶେଷ ନିଶ୍ବାସ ଥିବା ପର୍ଯ୍ୟନ୍ତ ଓଡ଼ିଶାବାସୀଙ୍କ ସେବା କରିବି ବୋଲି କହିଛନ୍ତି।

ସୋନପୁର ଓ ବୌଦ୍ଧର ବିଭିନ୍ନ ସ୍ଥାନରେ ଜନସଭାରେ କେନ୍ଦ୍ରକୁ ସମାଲୋଚନା କରି ନବୀନ କହିଛନ୍ତି ଯେ, କାଳିଆ ଯୋଜନାରେ ରାଜ୍ୟର ୪୦ ଲକ୍ଷ ଚାଷୀ ଉପକୃତ ହୋଇଥିବା ବେଳେ କେନ୍ଦ୍ରର ବିଜେପି ସରକାର ଏହି ଯୋଜନାକୁ ବନ୍ଦ କରିବାକୁ ଚକ୍ରାନ୍ତ କରୁଛି । ମୁଁ ଥିବା ଯାଏଁ କାଳିଆ ଯୋଜନାକୁ କେହି ବନ୍ଦ କରିପାରିବେ ନାହିଁ।  ବିଜୁ ଜନତା ଦଳ ସରକାର ଆସିବାର ପ୍ରଥମ ଦିନରେ ହିଁ ସବୁ ଚାଷୀ ୨ଟି କିସ୍ତି ପାଇଁ ୧୦ ହଜାର ଟଙ୍କା ପାଇବେ।

ଏଥିସହ ନବୀନ କହିଛନ୍ତି, ଇଲେକସନ ଆସିଲେ କେନ୍ଦ୍ରର ବଡ଼ ବଡ଼ ନେତା ଆସୁଛନ୍ତି। ସେମାନଙ୍କୁ ପଚାରନ୍ତୁ  ପ୍ରତି କ୍ଷେତକୁ ପାଣି କୁଆଡେ ଗଲା? ଦୁଇ ଗୁଣା ଏମଏସପି କୁଆଡେ ଗଲା ? କେବିକେ ଯୋଜନା କାହିଁକି ବନ୍ଦ କରାଗଲା ? କାହିଁକି ବୀମା କରି ଚାଷୀ ହଇରାଣ ହେଉଛନ୍ତି ? ଏସଏ/ସିଏଟି ପିଲାଙ୍କ ସ୍କର୍ଲାରସିପ କାହିଁକି ବନ୍ଦ କରାଗଲା ?

ଓଡିଶାବାସୀ ଯେତେବେଳେ ମହାବାତ୍ୟା, ମରୁଡି ଭଳି ପ୍ରାକୃତିକ ଦୁର୍ବିପାକ ଅତିକ୍ରମ କରୁଥିଲା ସେତେବେଳେ କୌଣସି ଜଣେ ହେଲେ ବି କେନ୍ଦ୍ରୀୟ ନେତାଙ୍କର ପାଦ ଓଡିଶାରେ ପଡିନଥିଲା । କିନ୍ତୁ ବର୍ତ୍ତମାନ ନିର୍ବାଚନ ଋତୁ ଚାଲି ଥିବାରୁ ଭୋଟ ମାଗିବା ପାଇଁ କେନ୍ଦ୍ରମନ୍ତ୍ରୀମାନେ ଓଡିଶାକୁ ମାରାଥନ ଗସ୍ତ କରୁଛନ୍ତି । ନବୀନ କହିଛନ୍ତି, ଓଡିଶାବାସୀଙ୍କ ପ୍ରତି କେନ୍ଦ୍ର ସରକାରଙ୍କର ତିଳେ ମାତ୍ର ଦରଦ ନାହିଁ । କେନ୍ଦ୍ର ମନ୍ତ୍ରୀମାନେ ଓଡିଶା ଆସି  କେବଳ କୁମ୍ଭୀର କାନ୍ଦଣା କାନ୍ଦୁଛି ବୋଲି କହି ପୁଣି କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛନ୍ତି ନବୀନ ।

ଜିଏସଟି ଆଳରେ ବୁଣାକାରମାନଙ୍କ ଜୀବିକାରେ ବିଜେପି ସରକାର ବାଧା ସୃଷ୍ଟି କରୁଥିବା ସହ  ସ୍ୱାଧିନତାର ୭୨ ବର୍ଷ ପରେ ବି ବୌଦ୍ଧ ଜିଲ୍ଲାରେ କାହିକିଁ ରେଳ ଲାଇନ ହୋଇପାରୁ ନାହିଁ ବୋଲି କେନ୍ଦ୍ର ସରକାରଙ୍କୁ ପ୍ରଶ୍ନ କରିବାକୁ ଆହ୍ୱାନ ଦେଇଛନ୍ତି ନବୀନ।

ଓଡିଶାବାସୀଙ୍କ ପାଇଁ ବିଜେଡି ସରକାର ସବୁବେଳେ ଲଢେଇ କରିଆସୁଛି କହିବା ସହ ଦଳୀୟ ପ୍ରାର୍ଥୀଙ୍କୁ ବିପୁଳ ମାତ୍ରାରେ ଭୋଟ୍ ଦେଇ ଜୟଯୁକ୍ତ କରିବାକୁ ବୌଦ୍ଧବାସୀଙ୍କୁ ନିବେଦନ କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ।

ସମ୍ବନ୍ଧିତ ଖବର