କଟକ ବାରବାଟୀ: ବିଜେଡି ଓ କଂଗ୍ରେସ୍‌ ମଧ୍ୟରେ ଉନିଶ୍‌-ବିଶ୍‌ର ଲଢ଼େଇ; ସ୍ଥିତି ରକ୍ଷା ପାଇଁ ବିଜେପି ବ୍ୟଗ୍ର!

କଟକ (ସମ୍ବାଦ ଡଟ୍‌ ଇନ୍‌ ବ୍ୟୁରୋ): ରାଜ୍ୟର ଅନ୍ୟତମ ସମ୍ମାନଜନକ କଟକ ବାରବାଟୀ ବିଧାନସଭା ଆସନରେ ରବିବାର ସନ୍ଧ୍ୟାରେ ନିର୍ବାଚନ ପ୍ରଚାର ଶେଷ ହୋଇଯାଇଛି। ଆଜି ରାତି ପାହିଲେ ଏହି ଆସନ ପାଇଁ ଭୋଟଗ୍ରହଣ କରାଯିବ। ଚଳିତ ନିର୍ବାଚନରେ ଏହି ବିଧାନସଭା ଆସନ ପାଇଁ ଶାସକ ବିଜୁ ଜନତା ଦଳ (ବିଜେଡି)ର ପ୍ରାର୍ଥୀ ଭାବେ ଗତ ଥରର ବିଧାୟକ ଦେବାଶିଷ ସାମନ୍ତରାୟ, ଭାରତୀୟ ଜନତା ପାର୍ଟି (ବିଜେପି)ର ପ୍ରାର୍ଥୀ ଭାବେ ପୂର୍ବତନ ବିଧାୟକ ତଥା ବିଜେଡି- ବିଜେପି ମେଣ୍ଟ ସରକାରରେ ମନ୍ତ୍ରୀ ଥିବା ସମୀର ଦେ ଓ କଂଗ୍ରେସ ପ୍ରାର୍ଥୀ ଭାବେ ମହମ୍ମଦ ମୋକିମ୍‌ ନିର୍ବାଚନ ରଣାଙ୍ଗନରେ ଅବତୀର୍ଣ୍ଣ ହୋଇଛନ୍ତି।

ନିର୍ବାଚନ ପ୍ରଚାର ଦୃଷ୍ଟିରୁ ଦେଖିବାକୁ ଗଲେ, ବିଜେପି ପ୍ରାର୍ଥୀ ସମୀର ଦେଙ୍କ ପାଇଁ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହାଙ୍କ ଠାରୁ ଆରମ୍ଭ କରି କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ରାଜନାଥ ସିଂହ, ବରିଷ୍ଠ ବିଜେପି ନେତା ମୁକ୍ତାର ଆବାସ୍‌ ନକ୍‌ଭୀ, ନେତ୍ରୀ ଉମା ଭାରତୀ, ରାଜ୍ୟ ବିଜେପିର ବରିଷ୍ଠ ନେତା ତଥା କେନ୍ଦ୍ର ତୈଳ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରମୁଖ ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ପ୍ରଚାର କରି ତାଙ୍କ ପାଇଁ ଭୋଟ ଭିକ୍ଷା କରିଛନ୍ତି। ସେହିପରି ବିଜେଡିର ଦଳୀୟ ପ୍ରାର୍ଥୀ ଦେବାଶିଷ ସାମନ୍ତରାୟଙ୍କ ପାଇଁ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ସମଗ୍ର ବାରବାଟୀ କଟକରେ ତାଙ୍କ ହାଇଟେକ୍‌ ବସ୍‌ରେ ରୋଡ୍‌ ସୋ’ କରି ଦଳୀୟ ପ୍ରାର୍ଥୀ ଶ୍ରୀ ସାମନ୍ତରାୟ ପାଇଁ ପ୍ରଚାର ସହ ଭୋଟ ଭିକ୍ଷା କରିଛନ୍ତି। ଅନ୍ୟପକ୍ଷରେ କଂଗ୍ରେସ ପ୍ରାର୍ଥୀ ମହମ୍ମଦ ମୋକିମ୍‌ ମଧ୍ୟ ପ୍ରଚାରରେ କିଛି କମ୍‌ ନାହାନ୍ତି। ସେ ତାଙ୍କ ନିଜସ୍ୱ ସଂପର୍କ ଓ ସଂଗଠନକୁ ଧରି ତମାମ୍‌ କଟକରେ ରୋଡ୍‌ ସୋ, ରାଲି, ପଦଯାତ୍ରା କରିବା ସହ ଘରକୁ ଘର ବୁଲି ଡୋର୍‌ ଟୁ ଡୋର କ୍ୟାମ୍ପେନ୍‌ କରିଛନ୍ତି; ଯାହାକି ଭାଇଚାରାର ସହର କଟକର ଭୋଟରମାନଙ୍କୁ ବହୁ ଭାବରେ ପ୍ରଭାବିତ କରିଛି।

Odisha Sun Times

କଟକ ବାରବାଟୀ ଆସନରେ କହିବାକୁ ଗଲେ ତ୍ରିମୁଖୀ ପ୍ରତିଦ୍ୱନ୍ଦ୍ୱିତା ହୋଇଥିଲେ ମଧ୍ୟ ବିଜେଡି ଓ କଂଗ୍ରେସ୍‌ ପ୍ରାର୍ଥୀଙ୍କ ମଧ୍ୟରେ ଚାଲିଛି ଉନିଶ୍‌- ବିଶ୍‌ର ଲଢ଼େଇ। ବିଜେଡି ପ୍ରାର୍ଥୀ ଦେବାଶିଷ ସାମନ୍ତରାୟ ପୂର୍ବରୁ ଏହି ଆସନରୁ ଜିତି ସାରିଥିବା ବେଳେ ଚଳିତ ନିର୍ବାଚନରେ ତୃତୀୟ ଥର ପାଇଁ ଏହି ଆସନରୁ ଜିତି ହ୍ୟାଟ୍ରିକ୍‌ ଅର୍ଜନ କରିବା ଲକ୍ଷ୍ୟରେ ରହିଛନ୍ତି। ସେହିପରି ପୂର୍ବରୁ ସମୀର ଦେ ମଧ୍ୟ ତିନି ଥର ଏହି ଆସନରୁ ବିଧାୟକ ନିର୍ବାଚିତ ହୋଇଥିବା ବେଳେ କଂଗ୍ରେସ୍‌ ପ୍ରାର୍ଥୀ ମହମ୍ମଦ ପ୍ରଥମ ଥର ପାଇଁ କଟକ ବାରବାଟୀରୁ ବିଧାୟକ ଭାବେ ନିର୍ବାଚିତ ହେବା ପାଇଁ ସମସ୍ତ କଳବଳ ଲଗାଇ ନିର୍ଣ୍ଣାୟକ ଲଢ଼େଇ ଲଢ଼ୁଛନ୍ତି।

ଅନ୍ୟପକ୍ଷରେ କଟକ ବାରବାଟୀରୁ ବିଜେପି ଚଳିତ ନିର୍ବାଚନରେ ଯୁବନେତା, ସମାଜସେବୀ ତଥା ସ୍ୱର୍ଗତ ବାରିଷ୍ଟର ରଣଜିତ ମହାନ୍ତିଙ୍କ ସୁପୁତ୍ର ବିଶ୍ୱଜିତ୍‌ ମହାନ୍ତି (ପୁଗି)ଙ୍କୁ ଦଳୀୟ ପ୍ରାର୍ଥୀ କରିବ ବୋଲି ପ୍ରତିଶ୍ରୁତି ଦେଇଥିଲା। ସେ ମଧ୍ୟ ବିଜେପି କାର୍ଯ୍ୟକାରିଣୀର ସଦସ୍ୟ ଥିଲେ। ଏହି ପ୍ରତିଶ୍ରୁତି ଆଧାରରେ ବିଶ୍ୱଜିତ କଟକ ସହରରେ ଦଳୀୟ ସଂଗଠନକୁ ନିଜ ହାତକୁ ନେଇ ବିଭିନ୍ନ କାର୍ଯ୍ୟକ୍ରମରେ ନିଜକୁ ସାମିଲ କରାଇ ବିଜେପିକୁ କଟକ ସହରରେ ଆଗକୁ ନେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ହେଲେ, ଶେଷ ମୁହୂର୍ତ୍ତରେ ଦଳ ତାଙ୍କ ସହ ପ୍ରତାରଣା କରି ଟିକେଟ ନଦେବାରୁ ସେ ଦଳରୁ ଇସ୍ତଫା ଦେବା ସହ ତାଙ୍କ ସଂଗଠନ ଓ ସମର୍ଥକଙ୍କୁ ଧରି ବିଜେଡିରେ ଯୋଗ ଦେବା ସହ ବିଜେଡି ପ୍ରାର୍ଥୀ ଦେବାଶିଷ ସାମନ୍ତରାୟଙ୍କୁ ଜିତାଇବା ପାଇଁ ଫୁଲ୍‌ଦମ୍‌ରେ ଲାଗି ପଡ଼ିଛନ୍ତି। ଯାହାକି ବିଜେପି ପ୍ରାର୍ଥୀ ସମୀର ଦେଙ୍କ ପାଇଁ ମୁଖ୍ୟ ସମସ୍ୟା ହେବା ସହ ତାଙ୍କ ଚିନ୍ତାକୁ ବଢ଼ାଇ ଦେଇଛି। ସେହିପରି କଟକର ଅନ୍ୟତମ ଟାଣୁଆ ନେତା ଆଶୀର୍ବାଦ ବେହେରା ମଧ୍ୟ ବିଜେଡି ପ୍ରାର୍ଥୀଙ୍କ ସପକ୍ଷରେ ଜୋରସୋରରେ ପ୍ରଚାର ଚଳାଇଛନ୍ତି।

ଏପରିସ୍ଥିତିରେ କଟକ ବାରବାଟୀ ଆସନ ପାଇଁ ଆସନ୍ତା କାଲି ଭୋଟ ଗ୍ରହଣ ହେବାକୁ ଥିବା ବେଳେ ଏହି ଆସନ ପାଇଁ ବିଜେଡି ଓ କଂଗ୍ରେସ୍‌ ପ୍ରାର୍ଥୀଙ୍କ ମଧ୍ୟରେ ଚାଲିଛି ଉନିଶ୍‌- ବିଶ୍‌ର ଲଢ଼େଇ। ତେବେ, ଏହି ଆସନରୁ କିଏ ବାଜି ମାରୁଛି ଏବଂ କିଏ ବାଜିମାତ ହେଉଛି ତାହା ମେ ୨୩ର ଭୋଟ ଗଣତି ପରେ ହିଁ ସ୍ପଷ୍ଟ ହେବ।

ସମ୍ବନ୍ଧିତ ଖବର