ନୈରାଶ୍ୟର ଶିକାର ହୋଇଛନ୍ତି କି, କରନ୍ତୁ ଏହି ଉପାୟ

ଆଜିର ସମାଜରେ କେହି ସୁଖୀ ନୁହନ୍ତି ବୋଲି ବିଚାର କରାଯାଏ। ସମସ୍ତେ କିଛି ନା କିଛି ସମସ୍ୟା ଦେଇ ଗତି କରୁଛନ୍ତି। ସମସ୍ତଙ୍କର ଦୁଃଖ ଅଛି ଏବଂ ଏହାକୁ ନେଇ ବ୍ୟଥିତ ହୁଅନ୍ତି। ଖାଲି ସେତିକି ନୁହେଁ ଅନେକ ସମୟରେ ଆମ ମନରେ ନାନା ପ୍ରକାରର ଆଶଙ୍କା ଦେଖା ଯାଇଥାଏ । କେତେବେଳେ ଆମେ ଘୋର ନୈରାଶ୍ୟର ଶିକାର ହୋଇଥାଉ ତ ପୁଣି କେତେବେଳେ ଅଜଣା ଭୟରେ ଆତଙ୍କିତ ହୋଇଥାଉ । ଆଉ କେତେକ ସମୟରେ ଆମେ ନିଜର ପାରିପାର୍ଶ୍ୱିକ ଅବସ୍ଥିତିକୁ ନେଇ ମଧ୍ୟ ଚିନ୍ତିତ ରହିଥାଉ । ଏହି କାରଣରୁ ମନରେ ନକାରାତ୍ମକ ବିଚାର ଆସିଥାଏ । ମନରେ ଏହି ନକାରାତ୍ମକ ଭାବନା ଯେତେ ଅଧିକ ହେବ, ଆମେ ସେତେ ଅଧିକ ବିବ୍ରତ ହୋଇ ଉଠିବା । ଏଥିରୁ ମୁୁକ୍ତ ହେବା ପାଇଁ ଆମକୁ କେତେକ ପ୍ରୟାସ କରିବାକୁ ପଡିବ ।ନିଜ ଭିତରେ ଥିବା ନକାରାତ୍ମକ ଭାବନାକୁ ସକାରାତ୍ମକରେ ପରିଣତ କରିବା ପାଇଁ ଆମର ବିଚାରରେ କେତେକ ଛୋଟ ଛୋଟ ପରିବର୍ତ୍ତନ ଆଣିବାକୁ ପଡ଼ିବ ।
ବାସ୍ତବତାକୁ ହୃଦୟଙ୍ଗମ କରନ୍ତୁ- ମନୋବିଜ୍ଞାନରେ ନକାରତ୍ମକ ଭାବନାରୁ ଦୂରେଇବା ଲାଗି ପ୍ରଥମ କଥା ହେଲା ବାସ୍ତବତାକୁ ହୃଦୟଙ୍ଗମ କରିବା। ଏଥିଲାଗି ସାଇକୋ ଥେରାପି, ବିହେଭିଅରାଲ୍‌ ଥେରାପି ଆଦି ଉପାୟ ରହିଛି । ଆପଣ ସେହି ସଂପର୍କୀତ ପୁସ୍ତକ ପଢିପାରନ୍ତି । ଏହାଦ୍ୱାରା ଆପଣଙ୍କ ବିଚାରରେ ଥିବା ପରିବର୍ତ୍ତନ ଘଟିବ ଓ ଆତ୍ମବିଶ୍ୱାସ ମଧ୍ୟ ବୃଦ୍ଧି ପାଇବ ।
ଭାବି ନିଅନ୍ତୁ ପ୍ରତ୍ୟେକ ସମସ୍ୟାରୁ ମୁକୁଳିବାର ରାସ୍ତା ଅଛି – ଏହି ସମସ୍ୟା ଜୀବନରେ କେବେ ନା କେବେ ଦେଖିବାକୁ ମିଳିଥାଏ । ତାହା ବେଶି ଦିନ ତିଷ୍ଠି ରହେନା । ଏଣୁ ଯେତେବେଳେ ବି ମନରେ ନକାରାତ୍ମକ ଭାବନା ଆସୁଛି, ପ୍ରଥମେ ଚିନ୍ତା କରନ୍ତୁ ଯେ କୌଣସି ସମସ୍ୟା ସେତେ ବଡ଼ ନୁହେଁ, ଯାହା ଆପଣଙ୍କ ଠାରୁ ଦୂରେଇବ ନାହିଁ । ଯଦି ଆପଣ ଭାବି ବସିବେ ଯେ ସମସ୍ୟାରୁ ମୁକୁଳିବା କଷ୍ଟକର, ତେବେ ତାହା ଆପଣଙ୍କୁ ଅଧିକ ଗ୍ରାସିବ । ଏଣୁ ମନରେ ଭାବି ନିଅନ୍ତୁ ପ୍ରତ୍ୟେକ ସମସ୍ୟାରୁ ମୁକୁଳିବାର ରାସ୍ତା ଅଛି ଏବଂ ସମସ୍ୟା କ୍ଷଣସ୍ଥାୟୀ ।

 

photo-.lifehack.org

ନିଜର ଦକ୍ଷତାକୁ ଭୁଲନ୍ତୁ ନାହିଁ- ଧରନ୍ତୁ ଆପଣ କୌଣସି ସମୟରେ ନିଜର ଭୁଲ୍‌ ପାଇଁ ଦଣ୍ଡ ଭୋଗୁଛନ୍ତି । ଏହାକୁ ନେଇ ଆପଣ ମାନସିକ ଯନ୍ତ୍ରଣା ଭୋଗୁଛନ୍ତି । କିନ୍ତୁ ଏହି ସମୟରେ କେବେ ବି ନିଜର ଦକ୍ଷତାକୁ ଭୁଲନ୍ତୁ ନାହିଁ । ଯେତେ ଖରାପ ସମୟ ଆସିଲେ ବା ଯେତେ ଅସୁବିଧାର ସମ୍ମୁଖୀନ ହେଲେ ବି ନିଜର ପାରଦର୍ଶିତାକୁ ଭୁଲନ୍ତୁ ନାହିଁ । ନିଜର ବ୍ୟକ୍ତିତ୍ୱ ଓ ଦକ୍ଷତା ଉପରେ ଭରସା ରଖନ୍ତୁ । ମନେ ରଖନ୍ତୁ କୌଣସି ବ୍ୟକ୍ତି ସଂପୂର୍ଣ୍ଣ ନୁହେଁ, ସମସ୍ତଙ୍କ ଭିତରେ କିଛି ନା କିଛି ଭଲ -ମନ୍ଦ ଗୁଣ ଅଛି । ଏଣୁ ନିଜର ଦୋଷ ତ୍ରୁଟିକୁ ଚିହ୍ନନ୍ତୁ ଏବଂ ନିଜର ଦକ୍ଷତା ଉପରେ ଭରସା ରଖନ୍ତୁ । ଏପରି କରିପାରିଲେ ନିଜ ଭିତରେ ଥିବା ନକାରତ୍ମକ ଭାବନା ଆପେ ଆପେ ଚାଲିଯିବ ।

ସମ୍ବନ୍ଧିତ ଖବର