ଓଡ଼ିଆ ଇଂଜିନିୟରଙ୍କୁ ବେଙ୍ଗାଲୁରୁରେ ହତ୍ୟା ଘଟଣା: ୫୦୦ ଟଙ୍କା ପାଇଁ ମାରିଦେଲେ

ମୁଖ୍ୟ ଅଭିଯୁକ୍ତ କାର୍ତିକ ଗିରଫ, ଅନ୍ୟ ଜଣେ ଫେରାର

ଭୁବନେଶ୍ୱର: ରବିବାର ବିଳମ୍ବିତ ରାତିରେ ବେଙ୍ଗାଲୁରୁ ସାଉଥ ବ୍ଲକ୍‌ ସାବରକର ମୁଖ୍ୟରାସ୍ତା ଚକୋଲେଟ୍‌ କମ୍ପାନି ନିକଟରେ ଜଣେ ଓଡ଼ିଆ ସଫ୍ଟେଓ୍ଵର ଇଂଜିନିୟର ପ୍ରଣୟ ମିଶ୍ରଙ୍କ ହତ୍ୟା ଘଟଣାରେ ପୁଲିସ ଜଣେ ମୁଖ୍ୟ ଅଭିଯୁକ୍ତକୁ ଗିରଫ କରିଛି। ତା ନାଁ କାର୍ତିକ। ବେଙ୍ଗାଲୁରୁ ପୁଲିସ କାର୍ତିକକୁ ଅଟକ ରଖି ପଚରାଉଚରା କରୁଛି। ଦୁର୍ଘଟଣା ପରେ ବଚସା ଏବଂ ମାତ୍ର ୫ ଶହ ଟଙ୍କା ପାଇଁ ପ୍ରଣୟଙ୍କୁ କାର୍ତିକ ଓ ତା’ର ସହଯୋଗୀ ହତ୍ୟା କରିଥିବା ପୁଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି।

ତଦନ୍ତକାରୀ ଅଫିସର ଏମ୍‌ ମଲେସ କୁମାର ଗଣମାଧ୍ୟମକୁ ସୂଚନା ଦେଇଛନ୍ତି କି ସିସିଟିଭି ଫୁଟେଜ ଓ ପ୍ରତ୍ୟକ୍ଷଦର୍ଶୀଙ୍କ ସୂଚନା ଆଧାରରେ ପୁଲିସ କାର୍ତିକକୁ ଗିରଫ କରିଛି। କାର୍ତିକ ନାଁରେ ପୂର୍ବରୁ ୩/୪ଟି ଆପରାଧିକ ମାମଲା ମଧ୍ୟ ଅଛି। ରବିବାର ରାତି ପ୍ରାୟ ସାଢ଼େ ୨ଟାରେ ପ୍ରଣୟ ଜଣେ ସାଙ୍ଗଙ୍କ ଜନ୍ମଦିନ ପାର୍ଟିରେ ଯୋଗ ଦେଇ ସାରିବା ପରେ ଜଣେ ବାନ୍ଧବୀଙ୍କ ଘରକୁ ଯାଉଥିଲେ। ଏହି ସମୟରେ ସାବରକର ରାସ୍ତାରେ କାର୍ତିକଙ୍କ ବାଇକ୍‌ ସହିତ ତାଙ୍କର ଧକ୍‌କା ହୋଇଥିଲା। ଦୁର୍ଘଟଣାରେ କାର୍ତିକଙ୍କ ବାଇକ୍‌ କ୍ଷତିଗ୍ରସ୍ତ ହେବାରୁ ସେ ବାଇକ୍‌ ସଜାଡ଼ିବାକୁ ପ୍ରଣୟଙ୍କୁ ୫ଶହ ଟଙ୍କା ମାଗିଥିଲେ। ତେବେ ଏହାକୁ ନେଇ କାର୍ତିିକ ଓ ପ୍ରଣୟଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। କଥା ହାତାହାତି ପର୍ଯ୍ୟନ୍ତ ଯାଇଥିଲା। କାର୍ତିକ ଓ ତାଙ୍କ ସାଙ୍ଗରେ ଥିବା ଅରୁଣ ଦୁହେଁ ମିଶି ଏକ ଛୁରାରେ ତାଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ। ପ୍ରଣୟ ରକ୍ତାକ୍ତ ଅବସ୍ଥାରେ ତଳେ ପଡ଼ିଯିବା ପରେ କାର୍ତିକ ଓ ଅରୁଣ ଘଟଣାସ୍ଥଳରୁ ପଳାଇଥିଲେ। କାର୍ତିକ ଓ ଅରୁଣ ନିଶାସକ୍ତ ଅବସ୍ଥାରେ ଥିଲେ। ଏପରିକି ପ୍ରଣୟ ମଧ୍ୟ ମଦ୍ୟପାନ କରିଥିଲେ ବୋଲି ବେଙ୍ଗାଲୁରୁ ପୁଲିସ ଏକ ନ୍ୟୁଜ ପୋର୍ଟାଲକୁ କହିଛି। ପୁଲିସ ସ୍ଥାନୀୟ ବାସିନ୍ଦାଙ୍କ ବୟାନ ଓ ସିସିଟିଭି ଫୁଟେଜରୁ କାର୍ତିକ ଓ ଅରୁଣଙ୍କୁ ଚିହ୍ନଟ କରିଥିଲା। ଅରୁଣ ଏବେ କେଉଁ ଆଡେ ଫେରାର ହୋଇ ଯାଇଛି। ବେଙ୍ଗାଲୁର ପୁଲିସ ତାକୁ ଗିରଫ କରିବାକୁ ବିଭିନ୍ନ ସ୍ଥାନରେ ଚଢ଼ଉ ଆରମ୍ଭ କରିଛି।

ଏଠାରେ ପ୍ରକାଶଥାଉକି, ଭୁବନେଶ୍ୱରର ଶୈଳଶ୍ର୍ରୀବିହାର ଅଞ୍ଚଳର ବାସିନ୍ଦା ପ୍ରଣୟ ୨୦୧୪ ମସିହାରୁ ବେଙ୍ଗାଲୁରୁରେ ରହି ଆସେନଚର୍‌ କମ୍ପାନିରେ ସଫ୍ଟେଓ୍ଵର ଇଂଜିନିୟର ଭାବେ ଚାକିରି କରୁଥିଲେ। ରବିବାର ରାତିରେ ପ୍ରଣୟ ଜଣେ ସାଙ୍ଗଙ୍କ ଜନ୍ମଦିନ ଉତ୍ସବ ପାଳନ ସାରି ଜଣେ ବାନ୍ଧବୀଙ୍କୁ ଭେଟିବାକୁ ଯାଉଥିଲା ବେଳେ ତାଙ୍କୁ ହତ୍ୟା କରା ଯାଇଥିଲା। ଏହି ହତ୍ୟାକାଣ୍ଡ ସମଗ୍ର ବେଙ୍ଗାଲୁରୁରେ ଚର୍ଚାର ବିଷୟ ହୋଇଥିଲା।

ସମ୍ବନ୍ଧିତ ଖବର