ବ୍ୟାଗ ବିକାଳିଙ୍କ ପୁଅ ବୈଜ୍ଞାନିକ: ଅନୁଗୁଳର ନବମ ଶ୍ରେଣୀର ଛାତ୍ର ଶୁଭ୍ରାଂଶୁ ଯିବ‌େ ନାସା, ପ୍ରକଳ୍ପ “ମାଭିକ” ଆଣିଲା ଅନ୍ତର୍ଜାତୀୟ ସ୍ବୀକୃତି

ଅନୁଗୁଳ:  କଥାରେ ଅଛି ଇଚ୍ଛା ଥିଲେ ଉପାୟ ଆପେ ଆପେ ଆସେ। ଦୃଢ ଇଚ୍ଛା ଶକ୍ତି ଆଗରେ ହାର ମାନିନିଏ ସବୁ ବାଧାବିଘ୍ନ।  ଏହି ଉକ୍ତିଟିକୁ ପ୍ରମାଣିତ କରିଛନ୍ତି ଅନୁଗୁଳର ଜଣେ ବ୍ୟାଗ୍ ବିକାଳିଙ୍କ ପୁଅ ଶୁଭ୍ରାଂଶୁ । ବାପା ସିନା ବ୍ୟାଗ ତିଆରି କରି  ପରିବାର ଚଳାଉଛନ୍ତି ହେଲେ ଦୃଢମନା ପୁଅ କଠିନ ପରିଶ୍ରମ ବଳରେ ଏକ ପ୍ରକଳ୍ପ ପ୍ରସ୍ତୁତ କରି ନାସା ବୈଜ୍ଞାନିକଙ୍କ ହୃଦୟ ଜିତିଛନ୍ତି । ଅନୁଗୁଳ ହୁଳୁରୁସିଙ୍ଗାର ଲକ୍ଷ୍ମଣ ନାୟକ ଓ ସୁଲୋଚନା ନାୟକଙ୍କ ପୁଅ ଶୁଭ୍ରାଂଶୁ ଯିବେ ନାସା। କଥାଟା ଆଶ୍ଚର୍ୟ୍ୟ ଲାଗୁଥିଲେ ବି ସତ କିନ୍ତୁ ପୁଅ ନିଜର କଠିନ ପରିଶ୍ରମ ଓ ଦୃଢ଼ ଇଚ୍ଛାଶକ୍ତି ବଳରେ ନାସାରେ ସ୍ଥାନ ପାଇବ ତାଙ୍କ ଦ୍ବାରା ନିର୍ମିତ “ମାଭିକ” ପ୍ରକଳ୍ପ।

ବୈଜ୍ଞାନିକଙ୍କ ହୃଦୟ ଜିତି ନାସା ଯିବେ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ନବମ ଶ୍ରେଣୀର ଛାତ୍ର ଶୁଭ୍ରାଂଶୁ ନାୟକ । ମାଭିକ ଏମିତି ଏକ ପ୍ରକଳ୍ପ ଏହା ଗୁଗୁଲ ମ୍ୟାପ ଦ୍ୱାରା ଏକ ନିର୍ଦିଷ୍ଟ ସ୍ଥାନରେ ପହଂଚିବା ସହ ଆକାଶ ମାର୍ଗରେ ଯାଇ ଦୁର୍ଗମ ଅଂଚଳ ,ଦୁର୍ଘଟଣାଗ୍ରସ୍ତ ଲୋକଙ୍କୁ ପ୍ରାଥମିକ ଚିକିତ୍ସା ବ୍ୟବସ୍ଥା ଯୋଗାଇବ। ଯେଉଁ ସବୁ ସ୍ଥାନକୁ ଡାକ୍ତର ଯିବା ସମ୍ଭବ ହୋଇନଥାଏ ସେଠାକୁ “ମାଭିକ ଡ୍ରୋନ୍” ଯାଇ ଫାଷ୍ଟଏଡ଼ ଧରି ଘଟଣା ସ୍ଥାନରେ ପହଞ୍ଚିବା ସହ କ୍ୟାମେରାରେ ଡାକ୍ତରଙ୍କୁ ଦେଖିପାରିବା ସହ ଡାକ୍ତରଙ୍କ ପରାମର୍ଶ ଅନୁସାରେ ଚିକିତ୍ସା କରି ପାରିବେ।

“ମାଭିକ” ପ୍ରକଳ୍ପ ଶୁଭ୍ରାଂଶୁକୁ ନାସା ପର୍ଯ୍ୟନ୍ତ ବାଟ କଢ଼ାଇଛି । ମାତ୍ର ୬୫ ହଜାରଟଙ୍କା ପ୍ରକଳ୍ପ ବାବଦକୁ ଖର୍ଚ୍ଚ ହୋଇଥିବା ବେଳେ ଏହାକୁ ପ୍ରସ୍ତୁତ କରିବା ପାଇଁ ୩ ମାସ ଲାଗିଛି। ପ୍ରକଳ୍ପ ପ୍ରସ୍ତୁତ ପରେ ଶୁଭ୍ରାଂଶୁ ନିଜ ପ୍ରକଳ୍ପକୁ ନାସାର ସ୍ପେସ ସେଟେଲମେଣ୍ଟ ୱେବସାଇଟରେ ଅପଲୋଡ଼ ପରେ ମନୋନୀତ କରିଛି ନାସା। ତେବେ ପ୍ରତିଯୋଗୀଙ୍କୁ ପଛରେ ପକାଇ ବାଜି ମାରି ଅନୁଗୁଳ ଓ ଦେଶର ଗୌରବ ଅର୍ଜନ କରିପାରିବେ କି ଶୁଭ୍ରାଂଶୁ ତାହା ସମୟ ସ୍ପଷ୍ଟ କରିବ।

ସମ୍ବନ୍ଧିତ ଖବର