ଧୋନିଙ୍କ ବାଟ ଓଗାଳିବେ ପନ୍ତ୍‌?

ମୁମ୍ବାଇ: ଭାରତୀୟ ଦଳର ଭବିଷ୍ୟତ ଯୋଜନାରେ ମହେନ୍ଦ୍ର ସିଂହ ଧୋନିଙ୍କ ନାମ ଆଉ ସମ୍ଭବତଃ ନାହିଁ। ଦିଲ୍ଲୀର ଯୁବ ୱିକେଟରକ୍ଷକ ବ୍ୟାଟ୍ସମ୍ୟାନ୍ ଋଷବ ପନ୍ତ୍‌ ତାଙ୍କ ପ୍ରତ୍ୟାବର୍ତନ ବାଟକୁ ସମ୍ପୂର୍ଣ୍ଣ ଓଗାଳି ଦେବେ ବୋଲି ବିଶ୍ବାସ ଆସିଛି। ରବିବାର ୱେଷ୍ଟଇଣ୍ଡିଜ୍ ଗସ୍ତ ଲାଗି ଘୋଷିତ ସମସ୍ତ ୩ ଫର୍ମାଟ୍‌ ଭାରତୀୟ ଦଳରେ ପନ୍ତ୍‌ଙ୍କୁ ପ୍ରଥମ ପସନ୍ଦ ୱିକେଟରକ୍ଷକ ଭାବେ ନିଆଯାଇଛି। କେବଳ ଟେଷ୍ଟ୍ ଦଳରେ ଋଦ୍ଧିମାନ ସାହାଙ୍କୁ ସଂରକ୍ଷିତ ୱିକେଟରକ୍ଷକ ରଖାଯାଇଛି। ବିଶ୍ବକପ୍‌ ପରବର୍ତୀ ଏହି ପ୍ରଥମ ଗସ୍ତରେ ପନ୍ତ୍‌ ଯଦି ତାଙ୍କ ପ୍ରତିଭା ମୁତାବକ ପ୍ରଦର୍ଶନ କରନ୍ତି ତେବେ ମହେନ୍ଦ୍ର ସିଂହ ଧୋନିଙ୍କ ବାଟ ଯେ ସବୁଦିନ ପାଇଁ ବନ୍ଦ ହୋଇଯିବ ଏଥିରେ ଦ୍ବିମତ ହେବାର ନାହିଁ। ଦଳ ଚୟନ ପରେ ମୁଖ୍ୟ ଚୟନକର୍ତା ଏମ୍‌ଏସ୍‌କେ ପ୍ରସାଦଙ୍କ ଉକ୍ତି ବି ଏଭଳି ଆଭାସ ଦେଇଛି। ‘‘ବିଶ୍ବକପ୍‌ ପର୍ଯ୍ୟନ୍ତ ଆମେ ଏକ ଖସଡ଼ା ପ୍ରସ୍ତୁତ କରିଥିଲୁ, ଏହାର ପରବର୍ତୀ ଯୋଜନା ମଧ୍ୟ କରିଛୁ। ଭବିଷ୍ୟତକୁ ନଜରରେ ରଖି ଋଷବ ପନ୍ତ୍‌ଙ୍କୁ ଅଧିକରୁ ଅଧିକ ସୁଯୋଗ ଦେବାକୁ ଯାଉଛି’’ ବୋଲି ପୂର୍ବତନ ୱିକେଟରକ୍ଷକ ପ୍ରସାଦ ପ୍ରକାଶ କରିଥିଲେ। ଧୋନି ମଧ୍ୟ ନିଜକୁ ୨ ମାସ ପାଇଁ ଉପଲବ୍‌ଧ ନ ହେବା କଥା ଜଣାଇ ‘ବାଦ ପଡ଼ିବା’ର ଅପ୍ରୀତିକର ପରିସ୍ଥିତିକୁ ଏଡ଼ାଇ ଦେଇଛନ୍ତି। ‘ପନ୍ତ୍ ଆମ ବର୍ତମାନର‌ ଯୋଜନା’ ବୋଲି ମଧ୍ୟ ପ୍ରସାଦ ସ୍ପଷ୍ଟ କରି ଦେଇଥିଲେ। ଚୟନକର୍ତାମାନେ ପରବର୍ତୀ ବୈଠକରେ ବସି ଦକ୍ଷିଣ ଆଫ୍ରିକାର ଭାରତ ଗସ୍ତ ଲାଗି ଦଳ ଚୟନ କରିବା ବେଳକୁ ନିଶ୍ଚିତ ସମାନ ସ୍ଥିତି ଥିବ। ୱେଷ୍ଟଇଣ୍ଡିଜ୍ ଗସ୍ତରେ ପନ୍ତ୍‌ ଯଦି ପ୍ରଭାବୀ ପ୍ରଦର୍ଶନ କରିଥିବେ ସମ୍ଭବତଃ ୩୮ ବର୍ଷୀୟ ଧୋନିଙ୍କ ବାଟ ବନ୍ଦ ହୋଇଯିବ।

ଯୁବ ବାହିନୀ: ୱେଷ୍ଟଇଣ୍ଡିଜ୍ ଗସ୍ତ ଲାଗି ଭାରତ ମଧ୍ୟ ଯୁବବାହିନୀ ଉପରେ ଭରସା କରିଛି। ଶୁଭମନ୍ ଗିଲ୍ ବଞ୍ଚିତ ହୋଇଛନ୍ତି ସତ କିନ୍ତୁ ଶ୍ରେୟସ ଆୟର, ମନୀଷ ପାଣ୍ଡେ, ନଭଦୀପ ସଇନି, ଖଲିଲ୍ ଅହମ୍ମଦ, ରାହୁଲ ଚହର, ଦୀପକ ଚହର ଏବଂ ୱାସିଂଟନ୍ ସୁନ୍ଦରଙ୍କ ଭଳି ନୂଆ ମୁହଁଙ୍କୁ ପ୍ରସାଦଙ୍କ ସମିତି ବାଛିଚି। ମୟଙ୍କ ଅଗ୍ରୱାଲ୍ ମଧ୍ୟ ଟେଷ୍ଟ୍‌ ଦଳରେ ସୁଯୋଗ ପାଇଛନ୍ତି। କେଦାରଙ୍କ ଭବିଷ୍ୟତ: କେଦାର ଯାଦବ ସୀମିତ ଓଭର ଦଳରେ ରହିଥିଲେ ମଧ୍ୟ ତାଙ୍କ ଭବିଷ୍ୟତ ଅନିଶ୍ଚିତତାରେ ରହିଛି। ପରବର୍ତୀ ବିଶ୍ବକପ୍‌ ବେଳକୁ ତାଙ୍କ ବୟସ ୩୮ ‌ହୋଇଯାଇଥିବ। ୨ ଦିନ ତଳେ ମଧ୍ୟ କେଦାର ନିଜେ କହିଛନ୍ତି ବିଶ୍ବକପ୍‌ରେ ୫ ପାଳିରୁ ମାତ୍ର ୮୦ ରନ୍ କରିଥିବାରୁ ମୁଁ ଅସନ୍ତୁଷ୍ଟ। ଏହା ମୋ ପାଇଁ ଠିକ୍ ଚାଲିନଥିଲା, କିନ୍ତୁ ଏଥିରୁ ଶିଖି ଆଗକୁ ବଢ଼ିବା ହିଁ ଜୀବନ’ ବୋଲି କେଦାର କହିଥିଲେ। କିନ୍ତୁ କେଦାରଙ୍କ ବିକଳ୍ପ ଖେଳାଳି ସୀମିତ ଓଭର ଦଳରେ କିଭଳି କରୁଛନ୍ତି ଦେଖିବା ପରେ ପରବର୍ତୀ ଚୟନ କରାଯିବ ବୋଲି ପ୍ରସାଦ କହିଛନ୍ତି।

ମଧ୍ୟକ୍ରମ ବିକଳ୍ପ: ବିଶ୍ବକପ୍‌ ପୂର୍ବରୁ ଏବଂ ପରେ ମଧ୍ୟ ଭାରତର ସବୁଠାରୁ ଦୁର୍ବଳ ଦିଗ ଭାବେ ଚର୍ଚାରେ ରହିଛି ମଧ୍ୟକ୍ରମ ବ୍ୟାଟିଂ। ଧାୱନଙ୍କ ପ୍ରତ୍ୟାବର୍ତନ ପରେ ରାହୁଲ ଏବେ ପୁଣି ୪ ନମ୍ବରକୁ‌‌ ଫେରିବେ। ତାଙ୍କ ସହିତ ମନୀଷ ପାଣ୍ଡେ, ଶ୍ରେୟସ ଆୟର, ଋଷବ ପନ୍ତ୍‌ ଏବଂ କେଦାର ଯାଦବ କିଭଳି ଭାବେ ମଧ୍ୟକ୍ରମ ଦୁର୍ବଳତାକୁ ଦୂର କରୁଛନ୍ତି ଦେଖିବାର ଅଛି। କିନ୍ତୁ ଏମାନଙ୍କୁ ନିଶ୍ଚିତ ଲମ୍ବା ସୁଯୋଗ ମିଳିବ ବୋଲି ପ୍ରସାଦ ପ୍ରତିଶ୍ରୁତି ଦେଇଛନ୍ତି। ଟାର୍ଗେଟ୍‌ ଟି-୨୦ ବିଶ୍ବକପ୍‌: ଗୋଟିଏ ବିଶ୍ବକପ୍‌ ସୁଯୋଗ ହାତଛଡ଼ା‌ ହେବା ପରେ ଭାରତୀୟ ଦଳ ଏବେ ନଜରକୁ ପରବର୍ତୀ ବିଶ୍ବକପ୍‌ ଉପରେ ପକାଇଛି। ୨୦୨୦ ମସିହାରେ ଅଷ୍ଟ୍ରେଲିଆରେ ହେବାକୁ ଥିବା ଟ୍ବେଣ୍ଟି-୨୦ ବିଶ୍ବକପ୍‌ ପୂର୍ବରୁ ୱେଷ୍ଟଇଣ୍ଡିଜ୍ ବିପକ୍ଷ ୩ ମ୍ୟାଚ୍‌ ବିଶିଷ୍ଟ ଶୃଙ୍ଖଳା ଭଲ ପରୀକ୍ଷା ହେବ। ଆଇପିଏଲ୍ ପ୍ରଦର୍ଶନ ମଧ୍ୟ ଚୟନର ମାପକାଠି ହୋଇଛି ଏବଂ ଭବିଷ୍ୟତରେ ହେବ। ଆଇପିଏଲ୍‌ ପ୍ରଦର୍ଶନ ଆଧାରରେ ହିଁ ସମ୍ପର୍କୀୟ ଚହର ଭ୍ରାତା (ଦୀପକ ଓ ରାହୁଲ) ଏବଂ ୱାସିଂଟନ୍ ସୁନ୍ଦର ଆସିଛନ୍ତି। ଲେଗ୍ ସ୍ପିନର୍ ରାହୁଲ ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ଏବଂ ଦ୍ରୁତ ବୋଲର ଦୀପକ ଚେନ୍ନାଇ ସୁପର୍ କିଙ୍ଗ୍ସ ପାଇଁ ଖେଳି ଚମତ୍କାର ପ୍ରଦର୍ଶନ କରିଥିଲେ।

ଭବିଷ୍ୟତ ଯୋଜନାରେ ନାହାନ୍ତି ଧୋନି
ମୁମ୍ବାଇ: କିମ୍ବଦନ୍ତୀ କ୍ରିକେଟର ମହେନ୍ଦ୍ର ସିଂହ ଧୋନି ନ୍ୟୁଜିଲାଣ୍ଡ ବିପକ୍ଷ ବିଶ୍ବକପ୍ ସେମିଫାଇନାଲରେ ତାଙ୍କ ଜାଜ୍ଜୁଲ୍ୟମାନ କ୍ରୀଡ଼ା ଜୀବନର ଶେଷ ଏକଦିବସୀୟ ମ୍ୟାଚ୍ ଖେଳି ସାରିଛନ୍ତି ବୋଲି ଅନେକ ଆକଳନ କରୁଛନ୍ତି। ହେଲେ ୩୮ ବର୍ଷୀୟ ଧୋନି ଏବେ ଅନ୍ତର୍ଜାତୀୟ କ୍ରିକେଟ୍ ଛାଡ଼ିବା ସପକ୍ଷରେ ନାହାନ୍ତି। ନିକଟ ଭବିଷ୍ୟତରେ ଅବସର ନେବାର କୌଣସି ଯୋଜନା ମଧ୍ୟ ତାଙ୍କର ନାହିଁ। ସେ କେବଳ ଦୁଇ ମାସ ପାଇଁ କ୍ରିକେଟ୍‌ରୁ ଦୂରେଇ ରହିବେ ବୋଲି କହିଛନ୍ତି। ଚୟନକର୍ତା କିନ୍ତୁ ଆଗକୁ ବଢ଼ି ସାରିଛନ୍ତି। ୱେଷ୍ଟଇଣ୍ଡିଜ୍ ଗସ୍ତ ଲାଗି ଦିଲ୍ଲୀ ଯୁବ ତାରକା ଋଷବ ପନ୍ତଙ୍କୁ ତିନିଟି ଯାକ ଫର୍ମାଟ୍‌ରେ ନେଇଥିବାରୁ ଧୋନି ଯେ ଆଉ ଭାରତୀୟ ଦଳର ଭବିଷ୍ୟତ ଯୋଜନାରେ ନାହାନ୍ତି, ସେ ସଙ୍କେତ ଚୟନକର୍ତା ଦେଇଛନ୍ତି।

ବିଶେଷ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ବିଶ୍ବକପ୍‌ରେ ଭାରତର ଅଭିଯାନ ଶେଷ ହେବା ପରେ ପରେ ହିଁ ଧୋନିଙ୍କ ସହ ତାଙ୍କ ଭବିଷ୍ୟତ ଯୋଜନା ନେଇ ମୁଖ୍ୟ ଚୟନକର୍ତା ଏମ୍‌ଏସ୍‌କେ ପ୍ରସାଦ ଆଲୋଚନା କରିଥିଲେ। ତୁରନ୍ତ ଅବସର ନେବେ ନାହିଁ ବୋଲି ଧୋନି ସେତେ ବେଳେ ପ୍ରସାଦଙ୍କୁ ଜଣାଇ ଦେଇଥିଲେ। ସେ ଆଉ ଭାରତୀୟ ଦଳର ଭବିଷ୍ୟତ ଯୋଜନାରେ ନାହାନ୍ତି ବୋଲି ପ୍ରସାଦ ମଧ୍ୟ ଧୋନିଙ୍କୁ କହିଥିଲେ। ଆସନ୍ତାବର୍ଷର ଟ୍ବେଣ୍ଟି-୨୦ ବିଶ୍ବକପ୍‌କୁ ଆଖି ଆଗରେ ରଖି ଏବେ ଅଧିକରୁ ଅଧିକ ଯୁବ ଖେଳାଳିଙ୍କୁ ଗୁରୁତ୍ବ ଦିଆଯିବ ବୋଲି ପ୍ରସାଦ ସେତେ ବେଳେ ସ୍ପଷ୍ଟ କରି ଦେଇଥି‌ଲେ। ଧୋନି ମଧ୍ୟ ଏଥିରେ ସମ୍ମତି ଜଣାଇଥିଲେ। ଆଗକୁ ବଢ଼ିବାକୁ ପ୍ରସାଦଙ୍କୁ ସେ କହିଥି‌ଲେ। ସେଥିପାଇଁ ୱେଷ୍ଟଇଣ୍ଡିଜ୍ ବିପକ୍ଷ ଶୃଙ୍ଖଳା ଲାଗି ଦଳ ଘୋଷଣା ବେଳେ ପ୍ରସାଦ କହିଥିଲେ ନିଜ ଅବସର ନିଷ୍ପତ୍ତି ଓ ଏହାର ସମୟ ନିର୍ଘଣ୍ଟ ଧୋନି ହିଁ କରିବେ। ପନ୍ତ ଏବେ ପ୍ରଥମ ପସନ୍ଦ ୱିକେଟ୍ ରକ୍ଷକ ଭାବେ ଭାରତୀୟ ଦଳରେ ରହିବେ। ତାଙ୍କ କାର୍ଯ୍ୟଭାର ପରିଚାଳନା ଲାଗି ଋଦ୍ଧିମାନ ସାହା ଏବଂ କେଏସ୍ ଭରତଙ୍କ ନାମ ଦ୍ବିତୀୟ ୱିକେଟ୍ ରକ୍ଷକ ଭାବେ ବିଚାରକୁ ନିଆଯିବ।

ସମ୍ବନ୍ଧିତ ଖବର