ଗରିବଙ୍କ ବ୍ୟାଙ୍କ ଖାତାରେ ଜମା ହେଉଛି ହଜାର ହଜାର ଟଙ୍କା ! କିଏ ଜମାକଲା ଓ କାହିଁକି, କହିପାରୁନାହାନ୍ତି ବ୍ୟାଙ୍କ

କୋଲକାତା : ଯଦି ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟରେ ଅଚାନକ ଟଙ୍କା ଜମା ହେବ, ସେତେବେଳେ ଆପଣ ନିଶ୍ଚିତ ଭାବେ ଖୁସି ହୋଇଯିବେ । ଠିକ୍ ଏପରି ହିଁ କିଛି ଘଟଣା ଏବେ ପଶ୍ଚିମବଙ୍ଗର ପୂର୍ବ ବର୍ଦ୍ଧମାନ ଜିଲ୍ଲାରେ ଦେଖିବାକୁ ମିଳିଛି । ସେଠାକାର ୧୫୦ରୁ ଅଧିକ ଲୋକଙ୍କ ବ୍ୟାଙ୍କ ଖାତାରେ ୨ ହଜାରରୁ ଆରମ୍ଭ କରି ୨୪ ହଜାର ପର୍ଯ୍ୟନ୍ତ ଟଙ୍କା ଜମା ହୋଇଛି ।

ହଠାତ୍ ଟଙ୍କା ଜମା ହେବା ଦ୍ୱାରା ଗ୍ରାହକମାନେ ଖୁସି  ହେଉଥିବା ବେଳେ ଏପରି ଘଟଣା କିନ୍ତୁ ବ୍ୟାଙ୍କ କର୍ମଚାରୀଙ୍କ ନିଦ ହଜାଇ ଦେଇଛି । ତେବେ କେଉଁ ଦିଗରୁ ଆଉ କିପରି ଗ୍ରାହକଙ୍କ ଆକାଉଣ୍ଟରେ ଟଙ୍କା ଜମା ହେଉଛି ତା’ର ଖୋଳତାଡରେ ଲାଗିଛନ୍ତି ବ୍ୟାଙ୍କ କର୍ମଚାରୀ  ।

ପଶ୍ଚିମବଙ୍ଗର ପୂର୍ବ ବର୍ଦ୍ଧମାନ ଜିଲ୍ଲା ସ୍ଥିତ କଟୱା ଅନୁମଣ୍ଡଳରେ ପାଖାପାଖି ୧୫୦ରୁ ଅଧିକ ଗରିବ ଲୋକଙ୍କ ଖାତାରେ ଏପରି ହେଉଥିବା ଦେଖିବାକୁ ମିଳିଛି । ଗୋଟିଏ ପରେ ଗୋଟେ ଅଞ୍ଚଳରେ ଏମିତି ଦେଢଶହରୁ ଅଧିକ ଗରିବ ଗ୍ରାହକଙ୍କ ଆକାଉଣ୍ଟରେ ହଠାତ୍ କୌଣସି କାରଣରୁ ଟଙ୍କା ଜମା ହେବାରେ ଲାଗିଛି । ତେବେ ବ୍ୟାଙ୍କ କର୍ମଚାରୀ କହିବା ମୁତାବକ୍ ଏସବୁ ଟଙ୍କା ଏକ୍ସିସ୍ ବ୍ୟାଙ୍କରୁ ଏନଇଏଫଟି ମାଧ୍ୟମରେ ବ୍ୟାଙ୍କ ଖାତାରେ ଜମା ହେଉଛି । କିନ୍ତୁ ବର୍ତମାନ ସୁଦ୍ଧା ଏ ନେଇ କୌଣସି ଖୁଲାସା ହୋଇପାରିନାହିଁ ଯେ, ଟଙ୍କା କାହିଁକି ଓ କିପରି ଭାବେ ଏହି ଲୋକମାନଙ୍କ ଖାତାରେ ଜମା ହେଲା ।

ସମଗ୍ର ଅଞ୍ଚଳରେ ଏହି ଘଟଣା ପ୍ରଚାର ହେବା ଫଳରେ କଟୱାର ଆଖପାଖ ଅଞ୍ଚଳରେ ହଜାର ହଜାର ସଂଖ୍ୟକ ଜମାକାରୀ ନିଜ ପାସବୁକ୍ ଧରି ବ୍ୟାଙ୍କ ଆଗରେ ଲମ୍ବା ଲାଇନ ଲଗାଉଛନ୍ତି । ସେମାନଙ୍କ ଆକାଉଣ୍ଟରେ ଟଙ୍କା ଜମା ହୋଇଥିବ ସେ ଆଶା ନେଇ ସେମାନେ ବ୍ୟାଙ୍କ ସମ୍ମୁଖରେ ଭିଡ ଜମାଉଥିବା ଦେଖିବାକୁ ମିଳିଛି ।

ତେବେ ଏ ଘଟଣା ସମ୍ପର୍କରେ ସ୍ଥାନୀୟ ବିଧାୟକ ଶାହନୱାଜ ହୁସେନ କହିଛନ୍ତି, ଟଙ୍କା କୌଣସି ସ୍କିମ୍ ଆକାରରେ ବ୍ୟାଙ୍କ ଆକାଉଣ୍ଟରେ ଆସିବାରେ ଲାଗିଛି । କେବଳ ସେତିକି ନୁହେଁ, ଗରିବ ଲୋକଙ୍କ ଆକାଉଣ୍ଟରେ ହଠାତ୍ କୌଣସି କାରଣରୁ ଟଙ୍କା ଜମା ହେବା ଘଟଣା ନେଇ ସେ ସିଧାସଳଖ ମୋଦି ସରକାରଙ୍କ ଉପରେ ଆଙ୍ଗୁଠି ଉଠାଇଛନ୍ତି । ବିଧାୟକ ଜଣକ କହିଛନ୍ତି ମୋଦି ସରକାର ୧୫ ଲକ୍ଷ ଟଙ୍କା ବ୍ୟାଙ୍କ ଆକାଉଣ୍ଟରେ ଜମା କରିବା କଥା କହିଥିଲେ । ଯେହେତୁ ଆଗକୁ ନିର୍ବାଚନ ଆସୁଛି, ତେଣୁ  ହୁଏତ ମୋଦି ସରକାର ଚୁପଚାପ ଭାବେ ଟଙ୍କା ପଠାଉଛନ୍ତି ବୋଲି ବିଧାୟକ ଶାହନୱାଜ ହୁସେନ କହିଛନ୍ତି ।

ସମ୍ବନ୍ଧିତ ଖବର