ରାଜ୍ୟପାଳଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ଆଣି‌େଲ ପ୍ରମିଳା

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗରିବଙ୍କୁ ଆହାର ଯୋଗାଇଛନ୍ତି। ମହିଳାମାନଙ୍କ ସ୍ଥାନ ସରଂକ୍ଷଣଠୁ ଆରମ୍ଭ କରି ରୋଜଗାରକ୍ଷମ କରିବା ପାଇଁ ଅନେକ ଯୋଜନା ପ୍ରଣୟନ କରିଛନ୍ତି। ଆଜି ବିଧାନସଭାରେ ରାଜ୍ୟପାଳଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ଆଲୋଚନା ଆରମ୍ଭ କରି ଏଭଳି ମତ ରଖିଛନ୍ତି ସରକାରୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ।

ଶ୍ରୀମତୀ ମଲ୍ଲିକ କହିଥିଲେ, ୨୦୦୨ ମସିହାରେ ମୁଖ୍ୟମନ୍ତ୍ରୀ ମହିଳା ସଶକ୍ତୀକରଣ ପାଇଁ ମିସନ ଶକ୍ତି କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ। ଏବେ ମହିଳା ସ୍ବୟଂ ସହାୟକ ଗୋଷ୍ଠୀଙ୍କୁ ବିନା ସୁଧରେ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ଯୋଗାଇଦେବା ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି। ସେହିପରି ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ମହିଳାଙ୍କ ପାଇଁ ମିଳୁଥିବା ୭ ଲକ୍ଷ ଟଙ୍କା ବୀମା ସୁବିଧାକୁ ୧୦ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଛି। ଗରିବଙ୍କୁ ଦୁଇବେଳା ଭଲକରି ଖାଦ୍ୟ ଯୋଗାଇବା ଲକ୍ଷ୍ୟରେ ୨୦୦୮ ମସିହାରୁ ୨ ଟଙ୍କିଆ ଚାଉଳ ଯୋଜନା ଓ ପରେ ଟଙ୍କିକିଆ ଚାଉଳ ଯୋଜନାରେ ପରିଣତ କରି ରାଜ୍ୟବାସୀଙ୍କୁ ବିଶ୍ବାସଭାଜନ ହୋଇଛି ବିଜୁ ଜନତା ଦଳ। ଯେଉଁଥିପାଇଁ ବିଜୁ ଜନତା ଦଳକୁ ପାଞ୍ଚ ପାଞ୍ଚ ଥର ଓଡ଼ିଶାର ଲୋକେ କ୍ଷମତାକୁ ଆଣିଛନ୍ତି। ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାରୁ ବାଦ୍‌ ପଡ଼ିଥିବା ଲୋକଙ୍କୁ ନିଜସ୍ବ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ସାମିଲ କରି ମୁଖ୍ୟମନ୍ତ୍ରୀ ସାରା ଦେଶରେ ଉଦାହରଣ ସୃଷ୍ଟି କରିଛନ୍ତି। ତେବେ ଭାଷଣ ମଝିରେ ସରକାରୀ ଦଳ ମୁଖ୍ୟସଚେତକଙ୍କୁ ବିରୋଧ କରି ଗୃହରେ ବିଜେପି ବିଧାୟକ ମୋହନ ମାଝୀ କେନ୍ଦ୍ର ସରକାର ରାଜ୍ୟକୁ ଏବେ କେତେ ଅନୁଦାନ ଦେଉଛନ୍ତି ସରକାର ଗୃହରେ ରଖନ୍ତୁ ବୋଲି ଦାବି କରିଥିଲେ। ସେହିପରି ବିଜେପି ବିଧାୟକ ବିଷ୍ଣୁ ଚରଣ ସେଠୀ ନିଜ ଆସନରେ ବସି ଡାକ୍ତରଖାନାରେ ଡାକ୍ତର ନାହାନ୍ତି ବୋଲି ମନ୍ତବ୍ୟ ଦେଇଥିଲେ।

ଅନ୍ୟପକ୍ଷରେ ଶ୍ରୀମତୀ ମଲ୍ଲିକ ଆହୁରି ଦର୍ଶାଇଥିଲେ ଚାଷୀଙ୍କ ଆର୍ଥିକ ସହାୟତା ଯୋଗାଇଦେବା ଲକ୍ଷ୍ୟରେ କାଳିଆ ଯୋଜନା ଏକ ଉତ୍ତମ ସଫଳ ଯୋଜନା ଭାବେ ପ୍ରମାଣିତ ହୋଇଛି। କାଳିଆ ଯୋଜନାକୁ ଅନୁକରଣ କରି କେନ୍ଦ୍ର ସରକାର ପରବର୍ତ୍ତୀ ସମୟରେ ସାରା ଦେଶରେ ‘ପିଏମ୍‌ କିଷାନ ଯୋଜନା’ କାର୍ଯ୍ୟକାରୀ କରିଥିଲେ। ଶ୍ରୀମତୀ ମଲ୍ଲିକ ଆହୁରି କହିଥିଲେ ଯେ ବିରୋଧୀଙ୍କ କଥାରେ ଲୋକେ ବିଶ୍ବାସ କରିନାହାନ୍ତି; ଯାହାର ପ୍ରମାଣ ୨୦୧୯ ନିର୍ବାଚନରେ ପୁଣି ଥରେ ପ୍ରତିଫଳିତ ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯାହା କହିଛନ୍ତି, ସେସବୁକୁ ପାଳନ କରିଆସିଛନ୍ତି। ଲୋକଙ୍କ ବିକାଶ ପାଇଁ ୨୦୧୯ ନିର୍ବାଚନରେ ବିଜେଡି ଯାହାସବୁ ପ୍ରତିଶ୍ରୁତି ନିର୍ବାଚନୀ ଇସ୍ତାହାର ଜରିଆରେ ରଖିଛି ତାକୁ ଅକ୍ଷରେ ଅକ୍ଷରେ ପାଳନ କରିବ। ପଞ୍ଚମ ପାଳିରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ଦିନ ହିଁ ଲୋକଙ୍କୁ ଦିଆଯାଇଥିବା ସବୁ ପ୍ରତିଶ୍ରୁତି ସରକାରୀ କାର୍ଯ୍ୟକ୍ରମ ଭାବରେ ଗ୍ରହଣ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ। ବିରୋଧୀ ଏସବୁ ବୁଝୁଥିଲେ ବି କେବଳ ରାଜନୈତିକ ଉଦ୍ଦେଶ୍ୟ ପାଇଁ ବିଜେଡି ସରକାରର ନିନ୍ଦା କରିଆସୁଛନ୍ତି ବୋଲି ସେ କହିଥିଲେ। ସରକାରୀ ଦଳ ମୁଖ୍ୟସଚେତକଙ୍କ ଆଲୋଚନା ସରିବା ପରେ ଦିନ ୧୨ଟା ୩୫ରେ ଗୃହକୁ ଦିନକ ପାଇଁ ବାଚସ୍ପତି ମୁଲତବି କରିଥିଲେ। ଆସନ୍ତା ୨୬ ଓ ୨୭ ତାରିଖରେ ରାଜ୍ୟପାଳଙ୍କ ଅଭିଭାଷଣ ଉପରେ ଗୃହରେ ଆଲୋଚନା କରିବା ପାଇଁ ଦିନ ଧାର୍ଯ୍ୟ କରାଯାଇଛି।

ସମ୍ବନ୍ଧିତ ଖବର