ରବାଦା ଦକ୍ଷିଣ ଆଫ୍ରିକାକୁ ଜିତାଇଲେ:ଅଷ୍ଟ୍ରେଲିଆ ଉପରେ ଦକ୍ଷିଣ ଆଫ୍ରିକାର ପ୍ରତିଶୋଧ

ଟେଷ୍ଟ୍‍ ଶୃଙ୍ଖଳା ୧-୧ ସ୍ଥିତିରେ

ପୋର୍ଟ ଏଲିଜାବେଥ୍‌ : ଏବି ଡି’ଭିଲିୟର୍ସଙ୍କ ଦାୟିତ୍ୱପୂର୍ଣ୍ଣ ଶତକ ପରେ କାଗିସୋ ରବାଦାଙ୍କ ଘାତକ ବୋଲିଂ ବଳରେ ଦ୍ୱିତୀୟ ଟେଷ୍ଟ୍‍ରେ ଅଷ୍ଟ୍ରେଲିଆ ବିପକ୍ଷରେ ଦକ୍ଷିଣ ଆଫ୍ରିକା ପ୍ରତିଶୋଧମୂଳକ ବିଜୟ ନେଇଛି। ପୋର୍ଟ ଏଲିଜାବେଥ୍‌ ଟେଷ୍ଟ୍‍କୁ ୬ ଓ୍ଵିକେଟ୍‌ରେ ଜିତି ଦକ୍ଷିଣ ଆଫ୍ରିକା ମଧ୍ୟ ୪ ମ୍ୟାଚ୍‌ ଶୃଙ୍ଖଳାକୁ ୧-୧ ସ୍ତରକୁ ନେଇ ଆସିଛି। ଉଭୟ ପାଳିରେ ଘାତକ ବୋଲିଂ କରି ଯୁବ ଦ୍ରୁତ ବୋଲର କାଗିସୋ ରବାଦା (୬/୯୬ ଏବଂ ୬/୫୪) ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ହୋଇଛନ୍ତି।
ସୋମବାର ଚତୁର୍ଥ ଦିନ ଖେଳ ଆରମ୍ଭ ବେଳକୁ ଅଷ୍ଟ୍ରେଲିଆ ଅପେକ୍ଷାକୃତ ଭଲ ସ୍ଥିତିରେ ଥିଲେ ମଧ୍ୟ ଏହାକୁ କାଏମ ରଖି ପାରିନଥିଲା। ଦ୍ୱିତୀୟ ପାଳିରେ ଏହି ଭ୍ରମଣକାରୀ ଷ୍ଟିଭେନ୍‌ ସ୍ମିଥ୍‌ଙ୍କ ଦଳ ୧୮୦/୫ରୁ ଖେଳି ଦଳ ୨୩୯ ରନ୍‌ରେ ଅଲଆଉଟ୍‌ ହୋଇଯାଇଥିଲା। ମିଚେଲ୍‌ ମାର୍ସ (୪୩), ପ୍ୟାଟ୍‌ କମିନସ (୫) ଏବଂ ମିଚେଲ ଷ୍ଟାର୍କ (୧)ଙ୍କୁ ନିଜର ୪ ଓଭର ଭିତରେ ଆଉଟ୍‌ କରି ରବାଦା ଏହି ପାଳିରେ ୬ ଓ୍ଵିକେଟ୍‌ ପୂର୍ଣ୍ଣ କରିଥିଲେ। ନାଥନ୍‌ ଲିଅନ୍‌ ଏବଂ ଜୋସ୍‌ ହାଜେଲ୍‌ଉଡ୍‌ଙ୍କୁ ଯଥାକ୍ରମେ ଏନ୍‌ଗିଡ଼ି ଓ ମହାରାଜ ଆଉଟ୍‌ କରି ପାଳି ଶେଷ କରିଥିଲେ।

ଏଥି ସହ ପ୍ରଥମ ପାଳିରେ ୧୩୯ ରନ୍‌ର ମହତ୍ୱପୂର୍ଣ୍ଣ ଅଗ୍ରଣୀ ପାଇଥିବା ଦକ୍ଷିଣ ଆଫ୍ରିକା ସମ୍ମୁଖରେ ୧୦୧ ରନ୍‌ର ବିଜୟ ଲକ୍ଷ୍ୟ ଧାର୍ଯ୍ୟ ହୋଇଥିଲା। ଏହି ଲକ୍ଷ୍ୟରେ ପହଞ୍ଚିବାକୁ ଘରୋଇ ଦକ୍ଷିଣ ଆଫ୍ରିକା ୨୨.୫ ଓଭର ଖେଳି ୪ ଓ୍ଵିକେଟ୍‌ ହରାଇଥିଲା ହାସିମ୍‌ ଆମଲା (୨୭), ଏବି ଡିଭିଲିୟର୍ସ (୨୮) ଏବଂ ଏଦେନ ମର୍କରାମ (୨୧)ଙ୍କ ଛୋଟ ଛୋଟ ଅବଦାନ ଯଥେଷ୍ଟ ହୋଇଥିଲା।
ସଂକ୍ଷିପ୍ତ ସ୍କୋର: ଅଷ୍ଟ୍ରେଲିଆ ପ୍ରଥମ ପାଳି: ୨୪୩ (ଡେଭିଡ୍‌ ଓ୍ଵାର୍ନର-୬୩, କାଗିସୋ ରବାଦା-୫/୯୬, ଲୁଙ୍ଗି ଏନଗିଡ଼ି-୩/୫୧, ଭର୍ନାନ୍‌ ଫିଲାଣ୍ଡର୍‌-୨/୨୫)। ଦକ୍ଷିଣ ଆଫ୍ରିକା ପ୍ରଥମ ପାଳି: ୩୮୨ (ଏବି ଡି’ଭିଲିୟର୍ସ-୧୨୬, ଡିନ୍‌ ଏଲଗାର-୫୭, ହାସିମ୍‌ ଆମଲା-୫୬, ମିଚେଲ୍‌ ମାର୍ସ-୨/୨୬, ପ୍ୟାଟ୍‌ କମିନସ-୩/୭୯, ମିଚେଲ୍‌ ମାର୍ସ-୨/୨୬, ଜୋସ୍‌ ହାଜେଲ୍‌ଉଡ୍‌-୨/୯୮)। ଅଷ୍ଟ୍ରେଲିଆ ଦ୍ୱିତୀୟ ପାଳି: ୨୩୯ (ମିଚେଲ୍‌ ମାର୍ସ-୪୫, ଟିମ୍‌ ପାଇନ୍‌-୨୮*, କାଗିସୋ ରବାଦା-୬/୫୪, ଲୁଙ୍ଗି ଏନଗିଡ଼ି-୨/୨୪, କେଶବ ମହାରାଜ-୨/୯୦)। ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ପାଳି: ୨୨.୫ ଓଭରରେ ୧୦୨/୪ (ଏବି ଡି’ଭିଲିୟର୍ସ-୨୮, ହାସିମ୍‌ ଆମଲା-୨୭, ଟି ଡି’ବ୍ରୁଇନ୍‌-୧୫*, ନାଥନ୍‌ ଲିଅନ୍‌-୨/୪୪, ପ୍ୟାଟ୍‌ କମିନସ-୧/୧୩, ଜୋସ୍‌ ହାଜେଲ୍‌ଉଡ୍‌-୧/୨୬)।
ରବାଦା ୨ ଟେଷ୍ଟ୍‍ରୁ ନିଲମ୍ବିତ
ପୋର୍ଟ ଏଲିଜାବେଥ୍‌: ଦକ୍ଷିଣ ଆଫ୍ରିକା ଦ୍ରୁତ ବୋଲର କାଗିସୋ ରବାଦାଙ୍କୁ ଆଇସିସି ୨ ଟେଷ୍ଟ୍‍ ମ୍ୟାଚ୍‌ରୁ ନିଲମ୍ବିତ କରିଛି। ସୋମବାର ଶେଷ ହୋଇଥିବା ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ୍‍ର ପ୍ରଥମ ଦିନରେ ପଡ଼ିଆ ମଧ୍ୟରେ ଷ୍ଟିଭ୍‌ ସ୍ମିଥ୍‌ଙ୍କ ଆଉଟ୍‌ ହୋଇ ଫେରୁଥିଲା ବେଳେ ରବାଦାଙ୍କ ସହ ଧକ୍କା ହୋଇଥିଲେ। ଏହି ଭୁଲ ପାଇଁ ତାଙ୍କୁ ୩ ଡିମେରିଟ୍‌ ପଏଣ୍ଟ୍‌ ମିଳିଥିଲା। ଆଇସିସି ଅନୁସାରେ ଶେଷ ୨୪ ମାସ ମଧ୍ୟରେ ଯଦି ଜଣେ ଖେଳାଳି ୮ ଡିମେରିଟ୍‌ ପଏଣ୍ଟ୍‌ ପାଏ ତେବେ ସେ ଖେଳାଳି ୨ ଟେଷ୍ଟ୍‍ ମ୍ୟାଚ୍‌ରୁ ବାସନ୍ଦ ହେବାର ନିୟମ ରହିଛି। ରବାଦାଙ୍କ ପାଖରେ ପୂର୍ବରୁ ୫ ପଏଣ୍ଟ୍‌ ଥିବାରୁ ଏହି ବିଶୃଙ୍ଖଳିତ ଆଚରଣ ଯୋଗୁଁ ୩ ପଏଣ୍ଟ୍‌ ମିଳିବାରୁ ସେ ନ୍ୟୁଲାଣ୍ଡ୍‌ ଏବଂ ଜୋହାନେସ୍‌ବର୍ଗରେ ହେବାକୁ ଥିବା ପରବର୍ତୀ ୨ ଟେଷ୍ଟ୍‍ ମ୍ୟାଚ୍‌ରେ ଖେଳିବେ ନାହିଁ। ଏହି ନିଲମ୍ବନ ପରେ ମଧ୍ୟ ରବାଦା ଆଉ ଏକ ଭୁଲ କରିଥିବା ନେଇ ସୋମବାର ଆଇସିସି ସ୍ପଷ୍ଟ କରିଛି। ରବିବାର ଏହି ଟେଷ୍ଟ୍‍ର ତୃତୀୟ ଦିନରେ ଡେଭିଡ୍‌ ଓ୍ଵାର୍ନର୍‌ଙ୍କୁ ଆଉଟ୍‌ କରିବା ପରେ ରବାଦା ତାଙ୍କୁ ଆଙ୍ଗୁଠି ଦେଖାଇ ପ୍ୟାଭିଲିଅନ୍‌କୁ ବାଟ ଦେଖାଇଥିଲେ। ଏହି ଭୁଲ ପାଇଁ କୌଣସି ଦଣ୍ଡ ଶୁଣାଣି ହୋଇ ନାହିଁ। କିନ୍ତୁ ଏହି ଭୁଲ ପାଇଁ ଆଉ ଡିମେରିଟ୍‌ ପଏଣ୍ଟ୍‌ ମିଳିବାର ସମ୍ଭାବନା ରହିଛି। ଫଳରେ ସେ ଆଉ ମ୍ୟାଚ୍‌ରୁ ନିଲମ୍ବିତ ହୋଇପାରନ୍ତି। ସୂଚନାଯୋଗ୍ୟ, ପୋର୍ଟ ଏଲିଜାବେଥ୍‌ ଟେଷ୍ଟ୍‍କୁ ଦକ୍ଷିଣ ଆଫ୍ରିକା ୬ ଓ୍ଵିକେଟ୍‌ରେ ଜିତିଥିଲା ବେଳେ ରବାଦା ୧୧ ଓ୍ଵିକେଟ୍‌ ନେଇ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ।

ସମ୍ବନ୍ଧିତ ଖବର