ରୁପା ସଫାକଲେ, ସୁନା ନେଇ ଚମ୍ପଟ ମାରିଲେ

ଦିନ ଦି’ପହରେ ଗାଁ ମଝିରୁ ଚୋରି

ଖଣ୍ଡଗିରି: ବୁଧବାର ଅପରାହ୍ଣ ପ୍ରାୟ ସାଢ଼େ ୧୨ଟା ବେଳେ ବରମୁଣ୍ଡା ଗାଁ ମଝିରୁ ଜଣେ ମହିଳାଙ୍କ ବେକରୁ ପ୍ରାୟ ୩୦ ଗ୍ରାମ୍‌ର ସୁନାହାର ଝାମ୍ପିନେଲେ ଦୁର୍ବୃତ୍ତ। ଅଳଙ୍କାର ସଫା କରିବା ବାହାନାରେ ଆସିଥିବା ଦୁଇ ଜଣ ଦୁର୍ବୃତ୍ତ ଏଭଳି କାଣ୍ଡ କରିବା ପରେ ଅନାୟାସରେ ଫେରାର୍‌ ହୋଇ ଯାଇଛନ୍ତି। ଖଣ୍ଡଗିରି ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଛାନ୍‌ଭିନ୍‌ କରିଥିଲେ ବି ଦୁର୍ବୃତ୍ତମାନଙ୍କ ପତ୍ତା ପାଇନାହିଁ।

ସୂଚନାନୁସାରେ ବରମୁଣ୍ଡା ଗାଁ ଭିତରେ ପ୍ଲଟ ନମ୍ବର ୧୮୨/ଏରେ ରହନ୍ତି ଶ୍ରୀକାନ୍ତ କୁମାର ପାତ୍ର। ଆଜି ଦୁଇ ଜଣ ଯୁବକ ଏକ ପଲସର୍‌ ବାଇକ୍‌ରେ ଆସି ତାଙ୍କ ଘରେ ସମ୍ମୁଖରେ ପହଞ୍ଚିଥିଲେ। ସେମାନେ କେବଳ ରୂପା ଅଳଙ୍କାର ସଫା କରୁଥିବା କହିଥିଲେ। ଶ୍ରୀକାନ୍ତଙ୍କ ସ୍ତ୍ରୀ ରତ୍ନମଂଜରୀ ସିଂହ(୪୫) କିଛି ରୂପା ଅଳଙ୍କାର ସଫା କରାଇଥିଲେ। ଅଳଙ୍କାର ସଫା କରିବା ପରେ ଜଣେ ଯୁବକ ପାଣି ପିଇବାକୁ କହିଥିଲା। ରତ୍ନମଂଜରୀ ଘର ଭିତରକୁ ଯାଇ ପାଣି ଆଣିଥିଲେ। ଏତିକିବେଳେ ଗାଁ ଦାଣ୍ଡରେ କେହି ନଥିଲେ। ଜଣେ ଯୁବକ ବାଇକ୍‌ ଷ୍ଟାର୍ଟ କରି ରଖିଥିଲା। ପାଣି ପିଇବାକୁ କହିଥିବା ଯୁବକଙ୍କ ହାତକୁ ରତ୍ନମଣି ଯେମିତି ପାଣି ଗିଲାସ ବଢ଼ାଇଛନ୍ତି, ସେ ପାଖକୁ ମାଡ଼ିଯାଇ ହଠାତ୍‌ ତାଙ୍କ ବେକରୁ ସୁନାହାରଟି ଝାମ୍ପି ନେଇ ସିଧାସଳଖ ବାଇକ୍‌ରେ ବସିଥିଲା। ଆଖିପିଛୁଳାକେ ଦୁଇଜଣଯାକ ଦୁର୍ବୃତ୍ତ ବାଇକ୍‌ରେ ଜଗନ୍ନାଥ ମନ୍ଦିର ଦିଗରେ ପଳାଇ ଅନ୍ତର୍ଧାନ ହୋଇଯାଇଥିଲେ। ଗାଁ ଦାଣ୍ଡ ନିଛାଟିଆ ହୋଇଥିବାରୁ କେହି ସେମାନଙ୍କ ଟେର୍‌ ପାଇନଥିଲେ। ରତ୍ନମଣିଙ୍କ ପାଟିଶୁଣି ପାଖପଡ଼ୋଶୀମାନେ ତାଙ୍କ ନିକଟରେ ରୁଣ୍ଡ ହେଲାବେଳକୁ ଢ଼େର୍‌ ସମୟ ବିତି ସାରିଥିଲା। ଗାଁ ମଝିରେ ଦୁର୍ବୃତ୍ତମାନେ ଜଣେ ମହିଳାଙ୍କୁ ଏଭଳି ସାହାସର ଲୁଟି ନେଇଥିବା ଘଟଣାଟି ଏବେ ବରମୁଣ୍ଡାରେ ଚର୍ଚ୍ଚା ବିଷୟ ପାଲଟିଛି।

ସମ୍ବନ୍ଧିତ ଖବର