ରାଜ୍ୟ ହ୍ୟାଣ୍ଡବଲ୍‌ ସଂଘ ବିବାଦ ଓ ଅନିୟମିତତା ପ୍ରସଙ୍ଗ:ରାଜ୍ୟ ଦଳର ତାଲିକା ଦାଖଲ ପାଇଁ କ୍ରୀଡ଼ା ବିଭାଗର ନିର୍ଦ୍ଦେଶ

ଟୋପି ଟକ୍କର

କଟକ: ଓଡ଼ିଶା ହ୍ୟାଣ୍ଡବଲ୍‌ ସଂଘରେ ଦେଖାଦେଇଥିବା ବିବାଦର ସମାଧାନ ପାଇଁ ଆସନ୍ତା ଶନିବାର (ମଇ ୨୯ ତାରିଖ) ସଂଘର ସମସ୍ତ କର୍ମକର୍ତ୍ତା ଓ ଅନୁବନ୍ଧିତ ଜିଲ୍ଲା ସଂପାଦକଙ୍କୁ ନେଇ ଏକ ସମନ୍ଵୟ ବୈଠକ ଡକାଯାଇଛି। ଓଡ଼ିଶା ଅଲିମ୍ପିକ୍‌ ସଂଘ ପକ୍ଷରୁ ଏହି ବୈଠକ ଡକାଯାଇ ଆପୋସ ସମାଧାନ ପାଇଁ ଉଦ୍ୟମ କରାଯିବ। ରାଜ୍ୟ ସଂଘରେ କର୍ମକର୍ତ୍ତାଙ୍କ ମଧ୍ୟରେ ବିବାଦ ଦେଖାଦେଇଥିବାରୁ ଏକାଧିକ ଗୋଷ୍ଠୀ ମୁଣ୍ଡ ଟେକିଛନ୍ତି। ଫଳରେ ଖେଳାଳି ଚୟନ ଓ ରାଜ୍ୟ ପ୍ରତିଯୋଗିତା ଆୟୋଜନ ଇତ୍ୟାଦିରେ ଅନେକ ସମସ୍ୟା ହେଉଥିବା ଦେଖାଯାଇଛି। ଅନ୍ୟପକ୍ଷରେ ଖେଳାଳି ଚୟନରେ ଅନିୟମିତତା ହୋଇଥିବା ନେଇ ‘ସମ୍ବାଦ’ରେ ଖବର ପ୍ରକାଶ ପାଇବା ପରେ ରାଜ୍ୟ ସରକାର ହ୍ୟାଣ୍ଡବଲ୍‌ ସଂଘର ଆଭିମୁଖ୍ୟ ପ୍ରତି ସରକାର ପ୍ରଶ୍ନ ଉଠାଇଛନ୍ତି। ରାଜ୍ୟ ଦଳରେ ଅନ୍ୟ ଜିଲ୍ଲାର ଖେଳାଳିମାନଙ୍କୁ ସୁଯୋଗ ଦିଆନଯିବା ଅଭିଯୋଗ ଉପରେ ବିଚାର କରିବାକୁ କ୍ରୀଡ଼ା ବିଭାଗ ପକ୍ଷରୁ ଓଡ଼ିଶା ଅଲିମ୍ପିକ୍‌ ସଂଘକୁ ଦାୟିତ୍ୱ ଦିଆଯାଇଥିଲା। ହେଲେ ଏହାମଧ୍ୟରେ ୫ମାସ ହୋଇଯାଇଥିଲେ ବି କୌଣସି ସମାଧାନ ହୋଇପାରିନାହିଁ।
ରାଜ୍ୟ ହ୍ୟାଣ୍ଡବଲ୍‌ ସଂଘର ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ମଧ୍ୟସ୍ଥି ହୋଇଥିବା ଓଡ଼ିଶା ଅଲିମ୍ପିକ୍‌ ସଂଘ ପକ୍ଷରୁ କୁହଯାଇଛି ଯେ, ଉଭୟ ପକ୍ଷକୁ ପୂର୍ବରୁ ବାରମ୍ବାର ବୈଠକ ପାଇଁ କୁହାଯାଇଥିଲା। କିନ୍ତୁ ଗୋଟିଏ ସମୟରେ ଦୁଇ ପକ୍ଷରୁ କେହି ନା କେହି ଅନୁପସ୍ଥିତ ରହୁଥିବାରୁ ବୈଠକ ହୋଇପାରୁନଥିଲା। ତେବେ ଶେଷ ଥର ପାଇଁ ଫୋନ୍‌ ଯୋଗେ ଗତ ରବିବାର ହ୍ୟାଣ୍ଡବଲ୍‌ ସଂଘର ସମସ୍ତ କର୍ମକର୍ତ୍ତାଙ୍କ ସହିତ ଅନୁବନ୍ଧିତ ଜିଲ୍ଲା ସମ୍ପାଦକଙ୍କ ବୈଠକ ଡକାଯାଇଥିଲା। ସେଥିରେ ମଧ୍ୟ ମାତ୍ର ୩/୪ଜଣ ଜିଲ୍ଲା ସମ୍ପାଦକ ଉପସ୍ଥିତ ରହିଥିଲେ। ତେଣୁ ମଙ୍ଗଳବାର ସମସ୍ତ କର୍ମକର୍ତ୍ତା ଓ ଜିଲ୍ଲା ସମ୍ପାଦକଙ୍କୁ ଅଲିମ୍ପିକ୍‌ ସଂଘ ଲିଖିତ ନୋଟିସ୍‌ ଦେଇଛି। ଯଦି ଏଥର କେହି ଅନୁପସ୍ଥିତ ରୁହନ୍ତି ତା’ହେଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଅଲିମ୍ପିକ ସଂଘ ପକ୍ଷରୁ କୁହାଯାଇଛି।
ଗତ ବର୍ଷ ଡିସେମ୍ବର ୨୧ ତାରିଖରେ ପଶ୍ଚିମବଙ୍ଗର ବର୍ଦ୍ଧମାନରେ ଅନୁଷ୍ଠିତ ପୂର୍ବାଞ୍ଚଳ ପ୍ରତିଯୋଗିତାରେ ଏକାଧିକ ହରିୟାଣା ଖେଳାଳି ଖେଳିବା ଏବଂ ତ୍ରିପୁରା ଖେଳାଳି ଓଡ଼ିଶାର ପ୍ରଶିକ୍ଷକ ହେବା ଘଟଣା ସମସ୍ତଙ୍କୁ ଚକିତ କରିଥିଲା। ଏହା ବିଷୟରେ ଡିସେମ୍ବର ୨୩ ତାରିଖରେ ‘ସମ୍ବାଦ’ରେ ଫଟୋ ସହ ସଂପୂର୍ଣ୍ଣ ଖବର ପ୍ରକାଶ କରାଯାଇଥିଲା। ଏହାକୁ ଆଧାର କରି ଜାନୁଆରି ୨ ତାରିଖରେ ଭୁବନେଶ୍ୱର ହ୍ୟାଣ୍ଡବଲ୍‌ ସଂଘ ପକ୍ଷରୁ ରାଜ୍ୟ କ୍ରୀଡ଼ା ବିଭାଗ ନିକଟରେ ଅଭିଯୋଗ କରାଯାଇଥିଲା। ରାଜ୍ୟର ଖେଳାଳିମାନଙ୍କୁ ଅଣଦେଖା କରାଯିବା ଓ ଅନ୍ୟ ରାଜ୍ୟର ଖେଳାଳିଙ୍କୁ ଚୟନ ପ୍ରକ୍ରିୟାରେ ସାମିଲ କରାଯାଉନଥିବା ଅଭିଯୋଗ ଆସିଥିଲା। ଏହି ଅଭିଯୋଗ ଉପରେ ଜାନୁଆରି ୧୦ ତାରିଖରେ ସଂଘ କର୍ମକର୍ତ୍ତାଙ୍କ ସହିତ ଆଲୋଚନା କରିବା ପାଇଁ ଓଡ଼ିଶା ଅଲିମ୍ପିକ୍‌ ସଂଘକୁ ଚିଠି (ନଂ ୨୯୬) କରାଯାଇଥିଲା। ହେଲେ କୌଣସି ସୁଫଳ ମିଳିନଥିବାବେଳେ ଗତ ମାର୍ଚ୍ଚ ୬ରୁ ୧୧ ତାରିଖ ମଧ୍ୟରେ ମଧ୍ୟପ୍ରଦେଶର ଗ୍ଵାଲିଅରରେ ହୋଇଥିବା ଜାତୀୟ ବରିଷ୍ଠ ପ୍ରତିଯୋଗିତାରେ କେଉଁମାନେ ଓଡ଼ିଶାକୁ ପ୍ରତିିନିଧିତ୍ୱ କରିଥିଲେ ବୋଲି ପ୍ରଶ୍ନ ଉଠିଛି। ଏଥିପାଇଁ ସୋମବାର କ୍ରୀଡ଼ା ବିଭାଗ ପକ୍ଷରୁ ସିଧାସଳଖ ରାଜ୍ୟ ହ୍ୟାଣ୍ଡବଲ୍‌ ସଂଘକୁ ଖେଳାଳି ତାଲିକା ଦାଖଲ କରିବାକୁ ଚିଠି (ନଂ ୪୮୧୧) ଲେଖାଯାଇଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର