ସୁଶୀଲ, ପ୍ରବୀଣଙ୍କ ସମର୍ଥକ ପିଟାପିଟି

ନୂଆଦିଲ୍ଲୀ,: ରାଜ୍ୟଗୋଷ୍ଠୀ କ୍ରୀଡ଼ାକୁ ଯୋଗ୍ୟତା ହାସଲ ଲାଗି କେଡି ଯାଦବ ଷ୍ଟାଡିୟମରେ ଚାଲିଥିବା ଟ୍ରାଏଲ୍ସ ବେଳେ ଶୁକ୍ରବାର ଅଘଟଣ ଦେଖିବାକୁ ମଳିଛି। ଦୁଇଥରର ଅଲିମ୍ପିକ୍ସ ବିଜେତା ସୁଶୀଲ କୁମାର ଏବଂ ପ୍ରବୀଣ ରାଣାଙ୍କ ସମର୍ଥକ ପିଟାପିଟି ହୋଇଥିଲେ। ଶୁକ୍ରବାର ସୁଶୀଲ ସେମିଫାଇନାଲ୍‌ରେ ପ୍ରବୀଣ କୁମାରଙ୍କୁ ହରାଇ ଦେଇଥିଲେ। ଫଳରେ ଏଠାରେ ଉପସ୍ଥିତ ପ୍ରବୀଣଙ୍କ ସମର୍ଥକମାନେ ଏହାକୁ ଗ୍ରହଣ କରିବାକୁ ପ୍ରସ୍ତୁତ ନଥିଲେ। ସୁଶୀଲଙ୍କ ସମର୍ଥକ ଖୁସିରେ ପାଟି କରିବାରୁ ଏଭଳି ପରିସ୍ଥିତି ଉପୁଜିଥିଲା। ଟ୍ରାଏଲ୍‌ସ ବେଳେ ପ୍ରବୀଣ ମୋତେ ଆକ୍ରମଣ କରିଥିବା ସୁଶୀଲ ଅଭିଯୋଗ କରିଥିଲା ବେଳେ ଅନ୍ୟପକ୍ଷରେ ସୁଶୀଲଙ୍କ ସମର୍ଥକମାନେ ମୋତେ ହତ୍ୟା ସହ ପ୍ରୋ କୁସ୍ତି ଲିଗ୍‌ରେ ଭାଗ ନନେବା ପାଇଁ ଧମକ ଦେଇଥିଲେ ବୋଲି ରାଣା ଅଭିଯୋଗ କରିଥିଲେ।

ସୁଶୀଲଙ୍କୁ ରାଜ୍ୟଗୋଷ୍ଠୀ କ୍ରୀଡ଼ା ଯୋଗ୍ୟତା

ଦୁଇଥର ଅଲିମ୍ପିକ୍ସ ପଦକ ବିଜେତା ସୁଶୀଲ କୁମାର ୨୦୧୮ରେ ଅଷ୍ଟ୍ରେଲିଆର ଗୋଲ୍ଡକୋଷ୍ଟରେ ଆୟୋଜିତ ହେବାକୁ ଥିବା ରାଜ୍ୟଗୋଷ୍ଠୀ କ୍ରୀଡ଼ା ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି। ଯୋଗ୍ୟତା ମୁକାବିଲାର ୭୪ କିଲୋଗ୍ରାମ ବର୍ଗରେ ସେ ଜିତେନ୍ଦ୍ର କୁମାରଙ୍କୁ ପରାସ୍ତ କରିଥିଲେ। ନିକଟରେ ସୁଶୀଲ ଦକ୍ଷିଣ ଆଫ୍ରିକାର ଜୋହାନସବର୍ଗରେ ଆୟୋଜିତ ହୋଇଯାଇଥିବା ରାଜ୍ୟଗୋଷ୍ଠୀ କୁସ୍ତି ପ୍ରତିଯୋଗିତାରେ ସ୍ୱର୍ଣ୍ଣ ପଦକ ଜିତିଥିଲେ।

ସମ୍ବନ୍ଧିତ ଖବର