ନନ୍ଦନକାନନରେ ବାଘ ଭାଇ-ଭଉଣୀ ଖେଳ, ନଖ ବାଜି ବାଘୁଣୀ ଚିନୁ ଆହତ

ବାରଙ୍ଗ: ନନ୍ଦନକାନନ ପ୍ରାଣୀ ଉଦ୍ୟାନର ୩୦ନମ୍ବର ଖୁଆଡ଼ରେ ରହୁଥିବା ଅଢ଼େଇ ବର୍ଷୀୟ ବାଘୁଣୀ ଚିନୁ ଆଜି ଖେଳକୁଦ ବେଳେ ଆହତ ହୋଇଛି। ତା’ ପଛପାଖ ଡାହାଣ ଗୋଡ଼ ବଳାଗଣ୍ଠି ପାଖରୁ ରକ୍ତସ୍ରାବ ହେଉଥିବା ଦେଖାଯିବା ପରେ ତାକୁ ଚିକିତ୍ସା କରାଯାଇଛି। ଡ. ଶରତ କୁମାର ସାହୁ ତାର ଚିକିତ୍ସା କରିଛନ୍ତି। ବାଘଟିର ଉପର ଚମଡ଼ା ପ୍ରାୟ ୩ ଇଞ୍ଚ ଚିରି ହୋଇଥିବା ଏବଂ ଅସ୍ଥି କ୍ଷତିଗ୍ରସ୍ତ ହୋଇନଥିବା ଜଣାପଡ଼ିବା ପରେ ନନ୍ଦନକାନନ କର୍ତ୍ତୃପକ୍ଷ ଆଶ୍ୱସ୍ତ ହୋଇଥିଲେ। ତା’ ଗୋଡ଼ରେ ୬ଟି ଷ୍ଟିଚ୍‌ ପକା ଯାଇଛି। ତେବେ ଖେଳକୁଦ କଲେ କ୍ଷତ ବଢ଼ିଯିବା ସମ୍ଭାବନା ଥିବାରୁ ଚିନୁକୁ ପ୍ରାଣୀ ଚିକିତ୍ସା କେନ୍ଦ୍ର କ୍ୱାରେନଟାଇନ୍‌କୁ ସ୍ଥାନାନ୍ତର କରାଯାଇଛି। ସେଠାରେ ଛୋଟ ଯନ୍ତାରେ ତାକୁ ରଖାଯାଇ ଚିକିତ୍ସା କରାଯାଉଛି। ପ୍ରାୟ ସପ୍ତାହେ ପର୍ଯ୍ୟନ୍ତ ତାର ନିୟମିତ ଡ୍ରେସିଂ କରାଯିବ। କ୍ଷତ ପୂରାପୂରି ଶୁଖିଲେ ତାକୁ ଖୁଆଡ଼କୁ ଫେରାଇ ନିଆଯିବ ବୋଲି କର୍ତ୍ତୃପକ୍ଷଙ୍କ ପକ୍ଷରୁ ସୂଚନା ମିଳିଛି।
ମିଳିଥିବା ସୂଚନା ଅନୁଯାୟୀ, ସବୁଦିନ ଭଳି ଆଜି ସକାଳ ପ୍ରାୟ ୮ଟା ବେଳେ ଜନ୍ତୁରକ୍ଷକ ୩୦ନମ୍ବର ଖୁଆଡ଼ ପରିସରକୁ ଲାଗିଥିବା ଖାଦ୍ୟ ଗ୍ରହଣ କକ୍ଷର ଗେଟ୍ ଖୋଲିଥିଲେ। ସେଠାରେ ରାତ୍ରୀଯାପନ କରିଥିବା ସମବୟସ୍କ(ଅଢ଼େଇବର୍ଷ)ର ବାଘ ଭାଇ ଭଉଣୀ ବିରଳ କଳା ବାଘ ଭିକି, ଧଳା ରଙ୍ଗର ଚିନୁ ଓ ମୌସୁମୀ ଆନନ୍ଦରେ ଖୁଆଡ଼ ପରିସରକୁ ଚାଲି ଆସିଥିଲେ। ପରସ୍ପର ଉପରେ ଡିଆଁ ମାରିଥିଲେ। ଆଗ ପଞ୍ଝାରେ ଗୋଡ଼ ଟଣାଟଣି କରି ଖେଳକୁଦ କରିଥିଲେ। କିଛି ସମୟ ପରେ ଜନ୍ତୁ ରକ୍ଷକ ଚିନୁର ଗୋଡ଼ରୁ ରକ୍ତସ୍ରାବ ହେଉଥିବା ଦେଖିବାକୁ ପାଇବା ପରେ ଘଟଣା ପଦାକୁ ଆସିଥିଲା। ଉଲ୍ଲେଖଯୋଗ୍ୟ, ୨୦୧୬ ଅଗଷ୍ଟ ୫ ତାରିଖରେ ଧଳା ବାଘୁଣୀ ସ୍ନେହା ଓ ସାଧାରଣ ରଙ୍ଗର ମହାବଳ ବାଘ ମନୀଷ ମିଳନରୁ ଧଳା ରଙ୍ଗର ଚିନୁ, ମୌସୁମୀ ଓ ବିରଳ କଳାରଙ୍ଗର ଭିକି ଜନ୍ମଲାଭ କରିଥିଲେ।

ସମ୍ବନ୍ଧିତ ଖବର