ଆଜି ଶେଷ ଦିନିକିଆ: ଭାରତ ପାଇଁ ମୂଳପୋଛ ଆଶଙ୍କା

ମାଉଣ୍ଟମଙ୍ଗନୁଇ: ନ୍ୟୁଜିଲାଣ୍ଡ ଗସ୍ତର ଟ୍ବେଣ୍ଟି-୨୦ ପର୍ଯ୍ୟାୟକୁ ଭାରତୀୟ କ୍ରିକେଟ୍ ଦଳ ୫-୦ରେ ମୂଳପୋଛ କରିଥିଲା। ହେଲେ ତିନି ଟିକିଆ ଦିନିକିଆ ଶୃଙ୍ଖଳାରେ ୦-୨ରେ ପଛୁଆ ଥିବା କୋହଲି ବାହିନୀ ଏବେ ନିଜେ ମୂଳପୋଛ ହେବାର ଦ୍ବାର ଦେଶରେ ରହିଛି। ମଙ୍ଗଳବାର ଖେଳାଯିବାକୁ ଥିବା ନ୍ୟୁଜିଲାଣ୍ଡ ବିପକ୍ଷ ତୃତୀୟ ତଥା ଶେଷ ଦିନିକିଆକୁ ଯେନତେନ ପ୍ରକାରେ ନଜିତିଲେ, ଭାରତ ସବୁ ମ୍ୟାଚ୍‌ରେ ପରାଜିତ ହୋଇ ୦-୩ରେ ଶୃଙ୍ଖଳା ହାରିବ। ଏହା ମଧ୍ୟ ୨୧ ତାରିଖରୁ ଆରମ୍ଭ ହେଉଥିବା ଦୁଇ ଟିକିଆ ଟେଷ୍ଟ୍‌ ଶୃଙ୍ଖଳା ପୂର୍ବରୁ ଦଳ ପାଇଁ ଏକ ଶକ୍କ ଧକ୍କା ହେବ। ଭାରତ ‌ଶେଷ ଥର ପାଇଁ ୨୦୦୬ରେ କୌଣସି ଏକଦିବସୀୟ ଶୃଙ୍ଖଳାରେ ମୂଳପୋଛ ହୋଇଥିଲା। ସେତେବେଳେ ଦକ୍ଷିଣ ଆଫ୍ରିକା ୪-୦ରେ ଭାରତକୁ ପରାସ୍ତ କରିଥିଲା। ଭାରତ ମାଉଣ୍ଟମଙ୍ଗନୁଇରେ ପୂର୍ବରୁ ଦୁଇଟି ଦିନିକିଆ ଖେଳି ଦୁଇଟି ଯାକ ଜିତିଛି।

ଅଧିନାୟକ କେନ୍ ୱିଲିୟମସନ୍, ଦ୍ରୁତ ବୋଲର ଟ୍ରେଣ୍ଟ ବୋଲ୍ଟ, ଲୋକି ଫର୍ଗୁସନ, ମ୍ୟାଟ୍ ହେନରିଙ୍କ ଅନୁପସ୍ଥିତି ଏବଂ ସ୍କଟ୍ କୁଗେଲିନ ଓ ମିଚେଲ ସାଣ୍ଟନରଙ୍କ ଅସୁସ୍ଥତା ସତ୍ତ୍ବେ ନ୍ୟୁଜିଲାଣ୍ଡ ପ୍ରଥମ ଦୁଇ ଦିନିକିଆ ଜିତି ୨-୦ରେ ଆଗୁଆ ଶୃଙ୍ଖଳା ଜିତି ସାରିଛି। ଗତ ୫ ବର୍ଷ ଭିତରେ ଭାରତ ବିପକ୍ଷରେ ନ୍ୟୁଜିଲାଣ୍ଡର ଏହା ପ୍ରଥମ ଶୃଙ୍ଖଳା ବିଜୟ। ଅନ୍ୟପକ୍ଷରେ ଟ୍ବେଣ୍ଟି-୨୦ ଶୃଙ୍ଖଳାକୁ ସହଜରେ ଜିତିଥିବା ଭାରତ ପାଇଁ ପ୍ରାରମ୍ଭିକ ଯୋଡ଼ିର ଲଗାତର ବିଫଳତା ଚିନ୍ତାର କାରଣ ହୋଇଛି। ଗତ ଦୁଇଟି ଯାକ ମୁକାବିଲାରେ ଦୁଇ ଯୁବ ତାରକା ପୃଥ୍ବୀ ସ’ ଓ ମୟଙ୍କ ଅଗ୍ରୱାଲ ଖାସ୍ କିଛି କରି ପାରିନାହାନ୍ତି। ଅଧିନାୟକ ବିରାଟ କୋହଲିଙ୍କ ବ୍ୟାଟ୍ ମଧ୍ୟ ଦ୍ବିତୀୟ ଦିନିକିଆରେ ଶାନ୍ତ ରହିଥିଲା। ‘କର ବା ମର’ ମ୍ୟାଚ୍‌ରେ ଟିମ୍ ସାଇଦି ତାଙ୍କୁ ଶିକାର କରି ନେଇ ନ୍ୟୁଜିଲାଣ୍ଡ ବିଜୟକୁ ଏକପ୍ରକାର ପକ୍କା କରି ନେଇଥିଲେ। ମାଉଣ୍ଟମଙ୍ଗନୁଇରେ ସେଥିପାଇଁ କୋହଲିଙ୍କ ଭୂମିକା ଢେର ମହତ୍ବପୂର୍ଣ୍ଣ ରହିବ। ଭାରତୀୟ ଦଳରେ କେଦାର ଯାଦବଙ୍କ ସ୍ଥାନ ‌ନେଇ ଅନେକ ତର୍କ ବିତର୍କ ଚାଲିଥିଲା ବେଳେ ତାଙ୍କ ସ୍ଥାନରେ ଶିଭମ ଦୁବେ କିମ୍ବା ମନୀଷ ପାଣ୍ଡେଙ୍କୁ ଖେଳାଇବାର ବିକଳ୍ପ ଭାରତ ପାଖରେ ରହିବ। ସେହିଭଳି ଟେଷ୍ଟ୍ ଶୃଙ୍ଖଳା ପୂର୍ବରୁ ଯଶପ୍ରୀତ ବୁମରାଙ୍କୁ ବିଶ୍ରାମ ଦେଇ ମହମ୍ମଦ ସାମିଙ୍କୁ ଖେଳାଇବା ନିଷ୍ପତ୍ତି କୋହଲି ନେଇପାରନ୍ତି। ସେପଟେ ଏକାଧିକ ଖେଳାଳି ଆଘାତ ଜନିତ ସମସ୍ୟା ଓ ଅସୁସ୍ଥତା ଅନୁଭବ କରିବା ପରେ ନ୍ୟୁଜିଲାଣ୍ଡ ତା’ ଦଳରେ ସ୍ପିନର ଈଶ୍ ସୋଢ଼ୀ ଓ ବ୍ଲେୟାର ଟିକନରଙ୍କୁ ସାମିଲ କରିଛି। ଅଧିନାୟକ କେନ୍ ୱିଲିୟମସନ୍ ‌ଫେରିବା ଏକପ୍ରକାର ନିଶ୍ଚିତ ‌ହୋଇ ସାରିଥିବାରୁ ନ୍ୟୁଜିଲାଣ୍ଡ ପାଇଁ ଏହା ମନୋବଳ ବୃଦ୍ଧିକାରୀ ଖବର ହୋଇଛି।

ସମ୍ଭାବ୍ୟ ଭାରତ: ମୟଙ୍କ ଅଗ୍ରୱାଲ, ପୃଥ୍ବୀ ସ’, ବିରାଟ କୋହଲି (ଅଧିନାୟକ), ଶ୍ରେୟସ୍ ଆୟର, କେଏଲ୍ ରାହୁଲ/ଋଷଭ ପନ୍ତ (ୱିକେଟ୍ ରକ୍ଷକ), ରବୀନ୍ଦ୍ର ଜାଦେଜା, କେଦାର ଯାଦବ/ମନୀଷ ପାଣ୍ଡେ/ଶିଭମ ଦୁବେ, ଶାର୍ଦୁଲ ଠାକୁର, ୟୁଜବେନ୍ଦ୍ର ଚହଲ/କୁଲଦୀପ ଯାଦବ, ନଭଦୀପ ସୈନି, ମହମ୍ମଦ ସାମି/ଯଶପ୍ରୀତ ବୁମ୍‌ରା।

ସମ୍ଭାବ୍ୟ ନ୍ୟୁଜିଲାଣ୍ଡ: ମାର୍ଟିନ ଗପ୍ଟିଲ, ହେନରି ନିକୋଲାସ, କେନ୍ ୱିଲିୟମସନ୍ (ଅଧିନାୟକ), ରସ୍ ଟେଲର, ଟମ୍ ଲାଥାମ (ୱିକେଟ୍ ରକ୍ଷକ), ଜିମ୍ମି ନୀସାମ, କଲିନ୍ ଡି’ ଗ୍ରାଣ୍ଢୋମେ, ଟିମ୍ ସାଉଦି, କାଇଲ ଜାମିସନ୍, ଈଶ୍ ସୋଢ଼ୀ/ ମିଚେଲ ସାଣ୍ଟନର, ହାମିସ ବେନେଟ/ସ୍କଟ୍ କୁଗେଲିନ।

ସମ୍ବନ୍ଧିତ ଖବର