ପୁରୀ: ଆଧ୍ୟାତ୍ମିକ ସହର ଶ୍ରୀକ୍ଷେତ୍ରରେ ପୁଣି ହିଂସାକାଣ୍ଡ ଦେଖିବାକୁ ମିଳିଛି। ସ୍ବଷ୍ଟ ଦିବାଲୋକରେ ଛୁରାମାଡ଼ ହୋଇଛି। ଶ୍ରୀମନ୍ଦିର ଉତ୍ତର ଦ୍ୱାର ନିକଟରେ ହୋଇଥିବା ଛୁରାମାଡ଼ରେ ଦାଦା ଓ ପୁତୁରା ଆହତ ହୋଇଛନ୍ତି। ଆହତ ବ୍ୟକ୍ତିମାନେ ହେଲେ ଗୌରାଙ୍ଗ ସାହୁ ଓ ସନ୍ତୋଷ କୁମାର ସାହୁ। ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

Advertisment

ସୂଚନା ଅନୁସାରେ ଆଜି ଅପରାହ୍‌ଣ ପ୍ରାୟ ସାଢ଼େ ୩ଟାରେ ଉଭୟ ଗୌରାଙ୍ଗ ସାହୁ ଓ ସନ୍ତୋଷ କୁମାର ସାହୁ ଶ୍ରୀମନ୍ଦିର ଉତ୍ତର ଦ୍ବାର ନିକଟରେ ଥିଲେ। ଏହି ସମୟରେ ଏକ ବାଇକ୍‌ରେ କିଛି ଦୁର୍ବୃତ୍ତ ଘଟଣାସ୍ଥଳରେ ପହଞ୍ଚି ଦାଦା ଓ ପୁତୁରାଙ୍କୁ ଛୁରୀରେ ଅତର୍କିତ ଆକ୍ରମଣ କରିଥିଲେ। ଦୁର୍ବୃତ୍ତମାନେ ଛୁରାମାଡ଼ କରି ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ।

ଏହି ଘଟଣା ନେଇ ସିଂହ ଦ୍ୱାର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଆହତ ଦାଦା ଓ ପୁତୁରାଙ୍କୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରିଛି। ଥାନାରେ ଅଭିଯୋଗ ପରେ ପୁଲିସ ତଦନ୍ତ କରୁଅଛି। ଫେରାର ଅଭିଯୁକ୍ତକୁ ଧରିବା ପାଇଁ ପୁଲିସ ଛାନ୍‌ଭିନ୍ ଆରମ୍ଭ କରିଛି। 

ସୂଚନାଯୋଗ୍ୟ, ପୁରୀ ସହରରେ ପୁଣି ଥରେ ହିଂସା ଦେଖିବାକୁ ମିଳିଛି। ପୂର୍ବରୁ ମଧ୍ୟ‌ ଏହିଭଳି ଘଟଣା ଅନେକ ଥର ଦେଖିବାକୁ ମିଳିଛି। ଜନଗହଳିପୂର୍ଣ୍ଣ ଓ ସ୍ପଷ୍ଟ ଦିବାଲୋକରେ ଆକ୍ରମଣ ଘଟଣା ନେଇ ବୁଦ୍ଧିଜୀବୀ ମହଲରେ ପ୍ରତିକ୍ରିୟା ପ୍ରକାଶ ପାଇଛି। 

 Crime | puri