ଭିତରକନିକା : କୁମ୍ଭୀର ଏକ ବିରଳ ଉଭୟଚର ପ୍ରାଣୀ । ଯାହାର ଅବସ୍ଥିତି ମୁହାଣ, ହେନ୍ତାଳବଣ, ଆଦ୍ରଭୂମି, ଲୁଣୀପାଣିରେ ଅଧିକ ଦେଖିବାକୁ ମିଳେ । ଓଡ଼ିଶାର କେନ୍ଦ୍ରାପଡା ଜିଲ୍ଲାରେ ଅବସ୍ଥିତ ଭିତରକନିକା ଜାତୀୟ ଉଦ୍ୟାନରେ ଭାରତର ଲୁଣିପାଣି କୁମ୍ଭୀର (Crocodylus porosus) ର ବୃହତ୍ତମ ଜନସଂଖ୍ୟା ରହିଛି। ଏହି ପ୍ରାଣୀମାନେ ଏହି ଅଞ୍ଚଳର ପରିବେଶ ସନ୍ତୁଳନ ବଜାୟ ରଖିବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରନ୍ତି।
ଲୁଣିପାଣି କୁମ୍ଭୀରମାନେ ଜଳୀୟ ଜୈବବିବିଧତାର ରକ୍ଷଣବେକ୍ଷଣରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରନ୍ତି। ଏହି ଜୀବମାନେ ବିଶ୍ୱର ବୃହତ୍ତମ କୁମ୍ଭୀର ପ୍ରଜାତି ଏବଂ ବୃହତ୍ତମ ସରୀସୃପ ଜୀବ। “ସର୍ବୋଚ୍ଚ ଶିକାରୀ”ର ଉପାଧି ମଧ୍ୟ ଏମାନଙ୍କୁ ମିଳିଛି। କୁମ୍ଭୀରମାନେ ଡ଼ାଇନସର ସମୟର ପ୍ରଜାତି ବୋଲି ଅନେକ ତଥ୍ୟର ପ୍ରମାଣ ମିଳେ । ଏହି ଜୀବମାନେ ପୃଥିବୀର ବହୁକାଳରୁ ବିଦ୍ୟମାନ ମାତ୍ର, ସଚେତନତାର ଅଭାବ ଯୋଗୁ, ମଣିଷ ସମୟ ସମୟରେ କୁମ୍ଭୀରମାନଙ୍କର ଶିକାର ହେଇଆସୁଛି।
ଶିକାର ଏବଂ ବାସସ୍ଥାନ ନଷ୍ଟହେତୁ, ଲୁଣିପାଣି କୁମ୍ଭୀରର ଜନସଂଖ୍ୟା ଅତୀତରେ ତୀବ୍ର ହ୍ରାସ ପାଇଥିଲା। ଭିତରକନିକାରେ ସଂରକ୍ଷଣ ପ୍ରୟାସ ସେମାନଙ୍କ ସଂଖ୍ୟାରେ ଉଲ୍ଲେଖନୀୟ ପୁନରୁଦ୍ଧାର ଘଟାଇଛି ଏବଂ ସେମାନଙ୍କର ବଞ୍ଚିବାପାଇଁ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଛି ।
କିମ୍ବଦନ୍ତୀରେ କୁମ୍ଭୀର:
●    ଗଜରଜା ଚିନ୍ତା କଲା, ଥାଇ ଘୋର ଜଳେଣ ।
ଚକ୍ର ପେଶି ନକ୍ର ନାଶି, ଉଧାରିଲେ ଆପଣ ।।
●    ପଞ୍ଚତନ୍ତ୍ରରେ କୁମ୍ଭୀର - ମାଙ୍କଡ ବିଷୟରେ ଗପ ।
●    ପୂର୍ବକାଳରେ ରାଜା ମହାରାଜାମାନେ ନିଜ ଦୁର୍ଗର ଚାରିପଟେ ଗଡ- ଖାଇ ଖୋଳି ସେଥିରେ କୁମ୍ଭୀର ରଖୁଥିଲେ ।
●    ଲୋକମାନେ କୁମ୍ଭୀରଙ୍କୁ ଶ୍ରୀହରିଙ୍କର ଅବତାର ମଧ୍ୟ ମାନନ୍ତି ।
●    ଶିବ ପୁରାଣରେ ବର୍ଣିତ ଅଛି ଯେ ମାତା ପାର୍ବତୀଙ୍କୁ ପରୀକ୍ଷା କରିବାପାଇଁ ଶିବ ଭଗବାନ ଥରେ କୁମ୍ଭୀରରୂପ ନେଇଥିଲେ ।
କୁମ୍ଭୀରମାନଙ୍କ ବିଷୟରେ କିଛି ଅନ୍ଧବିଶ୍ୱାସ:
●    ମହାଭାରତର (ଦ୍ଵିତୀୟ ପାଣ୍ଡବ) ଭୀମଙ୍କର ଗୋଇଠା ମାଡରେ କୁମ୍ଭୀରଙ୍କ ମଳଦ୍ୱାର ବନ୍ଦ ହୋଇଯାଇଛି | କିନ୍ତୁ ବାସ୍ତବ ରେ କୁମ୍ଭୀର ର ମଳଦ୍ୱାର ଲମ୍ବା ଓ ପେଟ ତଳେ ଥାଏ |
●    କୁମ୍ଭୀର ଓ ଡ଼ଙ୍ଗା ଦୁହେଁ ଦେଢଶୁର - ଭାଇବୋହୁ ସମ୍ପର୍କ | ତେଣୁ ଡ଼ଙ୍ଗା ନିକଟକୁ କୁମ୍ଭୀର ଆସେନାହିଁ | କିନ୍ତୁ ବାସ୍ତବରେ ବିରାଟକାୟ ଡ଼ଙ୍ଗା ନିକଟକୁ ଆସିବାପାଇଁ କୁମ୍ଭୀର ସାହାସ କରେନାହିଁ |
●    କୁମ୍ଭୀର ର ଆୟୁଷ ୫୦୦ ବର୍ଷ | ୧୦୦ ବର୍ଷ ପୁରିଲେ, ୪ ଗୋଡ ମଧ୍ୟରୁ ଗୋଟିଏ ଲେଖାଏଁ ଗୋଡ଼ ଛିଡ଼ିଯାଏ | କିନ୍ତୁ ବାସ୍ତବରେ କୁମ୍ଭୀରମାନେ ନିଜ ନିଜ ମଧ୍ୟରେ ମାଡ଼ଗୋଳ ହୋଇଥାନ୍ତି, ଫଳରେ ଅଙ୍ଗ ବିକୃତି ଘଟିଥାଏ |
କୁମ୍ଭୀରମାନଙ୍କ ବିଷୟରେ କିଛି ନୈତିକତା:
●    ବିରୂପା ନଦୀ କୂଳରେ, ବାରୁଣୀ ସ୍ନାନ ଦିବସରେ ବଉଳା କୁମ୍ଭୀର ପୂଜା କରାଯାଏ |
●    ମହାନଦୀ କୂଳସ୍ଥିତ ଭଟ୍ଟାରିକା ଠାକୁରାଣୀଙ୍କୁ ଏକ ଭକ୍ତ କୁମ୍ଭୀର ଦ୍ଵିତୀୟା ଓଷା ରାତିରେ, ମଣିଷ ଆଣି ଠାକୁରାଣୀଙ୍କ ନିକଟରେ ସମର୍ପଣ କରେ |
●    ଓଡ଼ିଶାର ଉପକୂଳ ଅଞ୍ଚଳରେ ଝିଅ, ବୋହୁ, ବିଧବା ସ୍ତ୍ରୀ ଲୋକମାନେ କାର୍ତ୍ତିକ ମାସର ପଞ୍ଚୁକ ତିଥି ରେ ନିଜକୁ ତଥା ପରିବାରର ସମସ୍ତଙ୍କୁ କୁମ୍ଭୀର ଆକ୍ରମଣ ଯୋଗୁଁ ମୃତ୍ୟୁ ଓ ଖଣ୍ଡିଆ ଖବରା ହେବାରୁ ରକ୍ଷାକରିବା ପାଇଁ କୁମ୍ଭୀରର ମୂର୍ତ୍ତି କୁ ପୂଜା କରନ୍ତି |
- -ରୂତିକା ନାଥ
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/07/14/2025-07-14t130310706z-502487809_3832857453524870_6306522069312104664_n-2025-07-14-18-33-09.jpg)
/sambad/media/media_files/2025/06/17/p0CgWxtaFILH5bahGkaX.jpg)
