ନୂଆଦିଲ୍ଲୀ: ଏକ ଦେଶ ଏକ ନିର୍ବାଚନ ନେଇ ମିଳିତ ସଂସଦୀୟ କମିଟି (ଜେପିସି)ର ପ୍ରଥମ ବୈଠକ ବୁଧବାର ଦିନ ଅନୁଷ୍ଠିତ ହୋଇଛି। ଏହି ବୈଠକରେ ଭାରତୀୟ ଜନତା ପାର୍ଟି ସାଂସଦ ପିପି ଚୌଧୁରୀ ଅଧ୍ୟକ୍ଷତା କରିଥିଲେ। ଏହି ସମୟରେ ଆଇନ ମନ୍ତ୍ରଣାଳୟ ପ୍ରାୟ ୧୮ହଜାର ପୃଷ୍ଠାର ତଥ୍ୟ ଉପସ୍ଥାପନା କରିଥିଲା। ବିରୋଧୀମାନେ ଏହି ବିଲ୍କୁ ବିରୋଧ କରିଥିଲେ। ଉପସ୍ଥାପନା ପରେ ବିରୋଧୀ ସାଂସଦମାନେ ନିଜର ମତ ରଖିଥିଲେ।
ସମାଜବାଦି ପାର୍ଟିର ସାଂସଦ ଧର୍ମେନ୍ଦ୍ର ଯାଦବ ଏହି ବିଲ୍ ସମ୍ବିଧାନର ଆତ୍ମା ​​ବିରୁଦ୍ଧ ବୋଲି କହିଛନ୍ତି। ସେ କହିଛନ୍ତି ଯେ, ଆଞ୍ଚଳିକ ଦଳଗୁଡ଼ିକୁ ହଟାଇବା ପାଇଁ ସରକାର ଷଡଯନ୍ତ୍ର କରୁଛନ୍ତି। ତୃଣମୂଳ କଂଗ୍ରେସ ନେତା କଲ୍ୟାଣ ବାନାର୍ଜୀ ପ୍ରଶ୍ନ କରିଛନ୍ତି ଯେ, ଖର୍ଚ୍ଚ ହ୍ରାସ କରିବା ଆବଶ୍ୟକ ନା ଲୋକଙ୍କ ଗଣତାନ୍ତ୍ରିକ ଅଧିକାରର ସୁରକ୍ଷା ଆବଶ୍ୟକ?
କଂଗ୍ରେସ ନେତା ମନୀଷ ତିୱାରୀ ଏବଂ ମୁକୁଲ ୱାସନିକ ମଧ୍ୟ ଏହି ବିଲକୁ ବିରୋଧ କରି ଏହାକୁ ସମ୍ବିଧାନର ମୌଳିକ ଗଠନ ବିରୁଦ୍ଧ ବୋଲି କହିଛନ୍ତି। ଜେପିସି ବୈଠକରେ ଆଇନ ଏବଂ ନ୍ୟାୟ ମନ୍ତ୍ରଣାଳୟ ଦ୍ୱାରା ଏକ ଦେଶ ଏକ ନିର୍ବାଚନ ବିଲ୍ ଉପରେ ଏକ ଉପସ୍ଥାପନା ପ୍ରଦର୍ଶନ କରାଯାଇଥିଲା। ଏହା ପରେ ପ୍ରଥମେ ବିଜେପି ତାପରେ କଂଗ୍ରେସ, ଏସପି, ତୃଣମୂଳ କଂଗ୍ରେସ ଏହା ସହିତ ଅନ୍ୟ ସମସ୍ତ ଦଳର ନେତା ଜଣଙ୍କ ପରେ ଜଣେ ଏନେଇ ନିଜ ନିଜ ମତ ଦେଇଥିଲେ।
'ଏକ ଦେଶ ଏକ ନିର୍ବାଚନ' ସମ୍ପର୍କରେ ସରକାରଙ୍କ ଯୁକ୍ତି ଉପରେ ପ୍ରିୟଙ୍କା ଗାନ୍ଧୀ ପ୍ରଶ୍ନ ଉଠାଇଥିଲେ। ସେ ପ୍ରଶ୍ନ କରିଛନ୍ତି ଯେ, ଏହା ନିର୍ବାଚନ ଖର୍ଚ୍ଚ ହ୍ରାସ କରିବ କି? ଆପଣ ଏହା କିପରି କହିପାରିବେ? ବିଜେପି କହିଛି ଯେ, ବିଭିନ୍ନ ସମୟରେ ବିଭିନ୍ନ ରାଜ୍ୟରେ ନିର୍ବାଚନ ହେଉଥିବାରୁ ଖର୍ଚ୍ଚ ବହୁ ଅଧିକ ହେଉଛି। ଏହା ବ୍ୟତୀତ ବିକାଶର ଗତି ମଧ୍ୟ ପ୍ରଭାବିତ ହେଉଛି। ଗୁରୁବାର ଜେପିସିର ପରବର୍ତ୍ତୀ ବୈଠକ ଅନୁଷ୍ଠିତ ହେବ।
ଅଧିକ ପଢ଼ନ୍ତୁ: ମରିୟମଙ୍କ ବିରୋଧରେ ଫତୱା ଜାରି ପାଇଁ ଦାବି: ୟୁଏଇ ରାଷ୍ଟ୍ରପତିଙ୍କ ସହ ହାତମିଳାଇବାକୁ ନେଇ ହଙ୍ଗାମା
ସୂଚନାଯୋଗ୍ୟ, ଶୀତକାଳୀନ ଅଧିବେଶନରେ କେନ୍ଦ୍ର ସରକାର ଏହି ବିଲ୍ ଆଗତ କରିଥିଲେ। ଏହାକୁ ବର୍ତ୍ତମାନ ୩୯ ସଦସ୍ୟ ବିଶିଷ୍ଟ ମିଳିତ ସଂସଦୀୟ କମିଟି ସମ୍ମୁଖରେ ରଖାଯାଇଛି। କମିଟିର ପ୍ରଥମ ବୈଠକରେ ୩୭ସାଂସଦ ଉପସ୍ଥିତ ଥିଲେ। ବ୍ୟକ୍ତିଗତ କାରଣରୁ ବିଜେପି ସାଂସଦ ସିଏମ ରମେଶ ଏବଂ ଏଲଜେପି ସାଂସଦ ଶାମ୍ଭବୀ ଚୌଧୁରୀ ଏଥିରେ ଯୋଗ ଦେଇପାରି ନ ଥିଲେ।
ସମସ୍ତ ପ୍ରମୁଖ ଦଳର ନେତାମାନଙ୍କୁ ଏହି କମିଟିରେ ଅନ୍ତର୍ଭୁକ୍ତ କରାଯାଇଛି। ସେମାନଙ୍କ ମଧ୍ୟରେ କଂଗ୍ରେସରୁ ପ୍ରିୟଙ୍କା ଗାନ୍ଧୀ ଭଦ୍ରା, ଜେଡିୟୁରୁ ​​ସଞ୍ଜୟ ଝା, ଶିବସେନା ସିନ୍ଦେ ଦଳରୁ ଶ୍ରୀକାନ୍ତ ସିନ୍ଦେ, ଆପ୍ରୁ ସଞ୍ଜଜୟ ସିଂ ଏବଂ ଟିଏମସିର କଲ୍ୟାଣ ବାନାର୍ଜୀ ପ୍ରମୁଖ ରହିଛନ୍ତି। ବୈଠକର ପ୍ରଥମ ଦିନରେ ବିଲ୍ର ବ୍ୟବସ୍ଥା ସହ ଜଡିତ ବିଭିନ୍ନ ଦିଗ ଉପରେ ଆଲୋଚନା କରାଯାଇଥିଲା। ପୂର୍ବରୁ ଦିଆଯାଇଥିବା ସୁପାରିଶଗୁଡିକ ମଧ୍ୟ କମିଟି ସମ୍ମୁଖରେ ରଖାଯାଇଥିଲା।
ଅଧିକ ପଢ଼ନ୍ତୁ: ଆକାଶରୁ ପଡ଼ିଲା ସୁନେଲି ରଙ୍ଗର ପଥର: ଗ୍ରାମବାସୀ ଭୟଭୀତ
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2024-09-12t092703765z-halim.jpeg)