ମୁମ୍ବାଇ: ବଲିଉଡ ଅଭିନେତା ତଥା ବିଗ୍ ବିଙ୍କ ପୁଅ ଅଭିଷେକ ବଚ୍ଚନ ଆଜି ତାଙ୍କର ୪୯ତମ ଜନ୍ମଦିନ ପାଳନ କରୁଛନ୍ତି । ଅଭିଷେକଙ୍କ ଜନ୍ମଦିନ ଅବସରରେ ମେଗାଷ୍ଟାର ଅମିତାଭ ବଚ୍ଚନ ଏକ ସୁନ୍ଦର ଫଟୋ ସେୟାର କରି ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ସୋସିଆଲ ମିଡିଆ ପ୍ଲାଟଫର୍ମରେ ନବଜାତ ଅଭିଷେକ (୧୯୭୬)ଙ୍କ ଫଟୋ ବିଗ୍ ବି ପୋଷ୍ଟ କରିଛନ୍ତି ।
ଫଟୋରେ ଦେଖାଯାଉଛି ଯେ, ମେଗାଷ୍ଟାର ଅମିତାଭ ପ୍ରସୂତି ୱାର୍ଡରେ ନବଜାତ ଅଭିଷେକଙ୍କ ପାଖରେ ଠିଆ ହୋଇଛନ୍ତି । ଯେଉଁଠାରେ ତାଙ୍କ ସହିତ କର୍ମଚାରୀମାନେ ମଧ୍ୟ ଠିଆ ହୋଇଥିବା ନଜର ଆସୁଛନ୍ତି । ଅମିତାଭ ଏହି ଫଟୋ ପୋଷ୍ଟ କରି ଭାବପ୍ରବଣ ହୋଇ କ୍ୟାପସନରେ ଲେଖିଛନ୍ତି ଯେ, "ଅଭିଷେକ ୪୯ ବର୍ଷ ବୟସରେ ପାଦ ଦେଉଛନ୍ତି ଏବଂ ନୂତନ ବର୍ଷରେ ପ୍ରବେଶ କରୁଛନ୍ତି। ଏହା ଥିଲା ୫ ଫେବୃଆରୀ, ୧୯୭୬... ସମୟ ଦ୍ରୁତ ଗତିରେ ଚାଲିଯାଇଛି !"
ଅଭିଷେକଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇବା ସହିତ, ଅମିତାଭ ବଚ୍ଚନ ତାଙ୍କ କ୍ୟାପସନ ମାଧ୍ୟମରେ ସେହି ଲୋକମାନଙ୍କ ପ୍ରତି ମଧ୍ୟ ଇଙ୍ଗିତ କରିଛନ୍ତି । ଯେଉଁମାନେ କି ବିନା ତଥ୍ୟରେ କିଛି ବି ସେୟାର କରନ୍ତି ଏବଂ ସୋସିଆଲ ମିଡିଆରେ ଏକ ପ୍ରଶ୍ନବାଚୀ ସୃଷ୍ଟି କରନ୍ତି ।
ଅଭିଷେକ ୨୦୦୦ ମସିହାରେ କରୀନା କପୁରଙ୍କ ସହିତ 'ରିଫ୍ୟୁଜି' ଫିଲ୍ମରେ ଜଣେ ମୁଖ୍ୟ ଅଭିନେତା ଭାବରେ ନିଜର କ୍ୟାରିଅର ଆରମ୍ଭ କରିଥିଲେ । ପରେ ଅଭିନେତାଙ୍କୁ ୨୦୦୪ରେ ବ୍ଲକବଷ୍ଟର 'ଧୂମ୍'ରେ ଦେଖିବାକୁ ମିଳିଥିଲା । ଏହାପରେ ସେ 'ୟୁବା', 'ସରକାର', 'କଭି ଅଲବିଦା ନା କେହନା', 'ବଣ୍ଟି ଔର ବବଲି' ଅନେକ ଫିଲ୍ମରେ ନଜର ଆସିଥିଲେ ।