ଅର୍ଥନୈତିକ ମାନ୍ଦାବସ୍ଥା ଚାପରେ ଚାକିରି ଛାଡ଼ୁଛନ୍ତି ଆୟକର ଅଧିକାରୀ

ମୁମ୍ବାଇ/କୋଲକାତା: ଆୟକର ବିଭାଗର ଅଧିକାରୀମାନେ ଏବେ ପ୍ରବଳ ଚାପରେ ଅଛନ୍ତି। ଦେଶରେ ଅର୍ଥନୈତିକ ମାନ୍ଦାବସ୍ଥାବେଳେ ସରକାର ଆୟକର ଆଦାୟ ନେଇ ଯେଉଁ ଲକ୍ଷ୍ୟ ଦେଇଛନ୍ତି ତାହାକୁ ସଂଗ୍ରହ କରିବାରେ ବିଫଳ ହେବା ଆଶଙ୍କାରେ ଅନେକ ଅଧିକାରୀ ଚାକିରି ମଧ୍ୟ ଛାଡ଼ି ଦେଉଛନ୍ତି। ଚଳିତବର୍ଷ ୧୭ ପ୍ରତିଶତ ଅଧିକ ଆୟକର ଆଦାୟ ନେଇ ସରକାର ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି। ସରକାର ନିକଟରେ କମ୍ପାନି ଟିକସ ହାରରେ ବଡ଼ ଧରଣର ହ୍ରାସ ଘୋଷଣା କରିଥିଲେ ମଧ୍ୟ ଏହି ଲକ୍ଷ୍ୟକୁ ସେହି ସ୍ତରରେ ରଖାଯାଇଛି। ଅନ୍ୟପକ୍ଷରେ ବ୍ୟବସାୟୀମାନଙ୍କୁ ଟିକସ ଆଦାୟ ସମୟରେ ହଇରାଣ ନକରିବା ପାଇଁ ମଧ୍ୟ ସରକାର ଆୟକର ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ରଏଟର୍ସ ପକ୍ଷରୁ କରାଯାଇଥିବା ସର୍ଭେରେ ଅନେକ ଟିକସ ଅଧିକାରୀ ମତ ଦେଇଛନ୍ତି ଯେ ସରକାର ଟିକସ ଆଦାୟକୁ ନେଇ ଅବାସ୍ତବ ଲକ୍ଷ୍ୟ ଦିଆଯାଉଛି। ଟିକସ ଆଦାୟ ଲକ୍ଷ୍ୟ ହାସଲ ସେମାନଙ୍କ ପଦୋନ୍ନତି ଏବଂ ବଦଳିକୁ ପ୍ରଭାବିତ କରୁଛି। ଅନ୍ୟପଟେ ସେମାନେ ଯଦି ଟିକସ ଠକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି ତାହାକୁ ମାତ୍ରାଧିକ ବୋଲି ଅଭିଯୋଗ କରାଯାଉଛି।

ଏଭଳି ପରିସ୍ଥିତିରେ ଟିକସ ଅଧିକାରୀମାନେ ସ୍ବେଚ୍ଛାକୃତ ଅବସର ନେବା ଲାଗି ପସନ୍ଦ କରୁଛନ୍ତି। ଚଳିତବର୍ଷ ଏପର୍ଯ୍ୟନ୍ତ ୨୨ ଜଣ ଉଚ୍ଚସ୍ତରୀୟ ଅଧିକାରୀ ସ୍ବେଚ୍ଛାକୃତ ଅବସର ନେବାକୁ ଆବେଦନ କରିଛନ୍ତି। ୨୦୧୮ରେ ମଧ୍ୟ ପ୍ରାୟ ୩୪ ଜଣ ଅଧିକାରୀ ସ୍ବେଚ୍ଛାକୃତ ଅବସର ନେଇଛନ୍ତି ବୋଲି ଆୟକର ଗେଜେଟେଡ ଅଫିସର ସଂଘର ଉପସଭାପତି ଭାସ୍କର ଭଟ୍ଟାଚାର୍ଯ୍ୟ କରିଛନ୍ତି। ଏପରିକି ୨୫ରୁ ୩୦ ବର୍ଷ ଅଭିଜ୍ଞତା ଥିବା ଅଧିକାରୀମାନେ ମଧ୍ୟ ଏଧରଣର ଚାପ ନେଇପାରୁ ନାହାନ୍ତି ବୋଲି ସେ କହିଛନ୍ତି। ସରକାରଙ୍କ ପକ୍ଷରୁ ସ୍ବେଚ୍ଛକୃତ ଅବସର ନେଇ କୌଣସି ଯୋଜନା ନଥିଲେ ମଧ୍ୟ ଜଣେ ପରେ ଜଣେ ଅଧିକାରୀ ଏଥିପାଇଁ ଆବେଦନ କରୁଛନ୍ତି।

ସମ୍ବନ୍ଧିତ ଖବର