ଏସବୁ ଦେଶରେ ନାହିଁ ଆୟକର

ଭାରତରେ ଲୋକମାନେ ସେମାନଙ୍କ ଆୟ ଉପରେ ୩୦ ପ୍ରତିଶତ ପର୍ଯ୍ୟନ୍ତ ଆୟକର ଦେଇଥାନ୍ତି। ଏଥିସହିତ ସେମାନଙ୍କୁ ସେସ୍‌ ମଧ୍ୟ ଦେବାକୁ ପଡ଼ିଥାଏ। କିନ୍ତୁ ବିଶ୍ୱରେ ଏଭଳି କେତୋଟି ଦେଶ ଅଛି ଯେଉଁଠି ଲୋକଙ୍କୁ ଆୟକର ଦେବାକୁ ପଡ଼ି ନଥାଏ। ସେହି ଦେଶ ଗୁଡ଼ିକର ତାଲିକା ଏଠାରେ ପ୍ରଦାନ କରାଗଲା।

ବାହାମସ: ଆଟଲାଣ୍ଟିକ୍‌ ମହାସାଗରରେ ଅନେକ ଗୁଡ଼ିଏ ଦ୍ୱୀପକୁ ନେଇ ବାହାମସ୍‌ ଗଠିତ। ଏଠାରେ ଲୋକମାନଙ୍କୁ ଆୟ ପାଇଁ ଆୟକର କିମ୍ବା କମ୍ପାନି ଗୁଡ଼ିକୁ ଲାଭ ପାଇଁ କର୍ପୋରେଟ୍‌ ଟିକସ ଦେବାକୁ ପଡ଼ିନଥାଏ। ଏଠାକାର ସରକାରଙ୍କ ପାଇଁ ରାଜସ୍ୱର ମୁଖ୍ୟ ଉତ୍ସ ହେଲା ପର୍ଯ୍ୟଟନ। ଏତଦ୍‌ବ୍ୟତୀତ କେତେକ ପରୋକ୍ଷ ଟିକସ ସମେତ ସମ୍ପତ୍ତି ଟିକସ, ଜମି ଟିକସ, ମୂଲ୍ୟ ଯୁକ୍ତ ଟିକସ ଆଦି ସରକାର ଆଦାୟ କରିଥାନ୍ତି।

ବାହାରିନ୍‌: ମଧ୍ୟପ୍ରାଚ୍ୟର ଏହି ଦେଶରେ ଲୋକଙ୍କୁ ଆୟକର କିମ୍ବା କମ୍ପାନିଙ୍କୁ କର୍ପୋରେଟ ଟିକସ ଦେବାକୁ ପଡ଼ି ନଥାଏ। ତେବେ ଭାରତରେ ଇପିଏଫ୍‌ ଭଳି ସେଠାରେ କର୍ମଚାରୀମାନେ ସେମାନଙ୍କ ମୂଳ ବେତନର ୬ ପ୍ରତିଶତ ଏବଂ ସରକାର ୯ ପ୍ରତିଶତ ଅର୍ଥ ଜମା କରିଥାନ୍ତି।

ବ୍ରୁନେଇ: ବ୍ରୁନେଇରେ ଲୋକଙ୍କଠାରୁ ଆୟକର ଆଦାୟ କରାଯାଏ ନାହିଁ। କିନ୍ତୁ ପ୍ରଶାନ୍ତ ମହାସାଗରରେ ଅବସ୍ଥାପିତ ଏହି ଦ୍ୱୀପରେ କମ୍ପାନି ଗୁଡ଼ିକଠାରୁ ୧୮.୫ ପ୍ରତିଶତ ହାରରେ କର୍ପୋରେଟ ଟିକସ ଆଦାୟ କରାଯାଇଥାଏ। ଏତଦ୍‌ବ୍ୟତୀତ ସମ୍ପତ୍ତି ଟିକସ ଓ ଯାନ ଟିକସ ଆଦାୟ କରାଯାଇଥାଏ।

କୁଏତ୍‌: ବିଶ୍ୱର ପ୍ରାୟ ୬ ପ୍ରତିଶତ ପେଟ୍ରୋଲିୟମ ଉତ୍ପାଦ ଏହି ଦେଶରେ ଗଚ୍ଛିତ ରହିଛି। ଏଠାକାର ସରକାରଙ୍କ ପ୍ରାୟ ୯୦ ଭାଗ ରାଜସ୍ୱ ତେଲରୁ ମିଳିଯାଇଥାଏ। ଫଳରେ ଏଠାରେ ଲୋକଙ୍କଠାରୁ ଭାଟ୍‌ କିମ୍ବା ଆୟକର ଆଦାୟ କରାଯାଇ ନଥାଏ। ସେହିଭଳି କମ୍ପାନି ଗୁଡ଼ିକ ମଧ୍ୟ ସେମାନଙ୍କ ଲାଭ ଉପରେ ଟିକସ ଦେଇ ନଥାନ୍ତି। କିନ୍ତୁ ବିଦେଶୀ କମ୍ପାନିଙ୍କଠାରୁ ୧୫ ପ୍ରତିଶତ ହାରରେ ଟିକସ ଆଦାୟ କରାଯାଇଥାଏ।

ଓମାନ୍‌: କୁଏତ୍‌ ଭଳି ଅନ୍ୟ ଏକ ତୈଳ ସମୃଦ୍ଧ ଦେଶ ହେଲା ଓମାନ୍‌। ଏଠାରେ ଲୋକଙ୍କଠାରୁ ଆୟକର ଆଦାୟ କରାଯାଇ ନଥାଏ। କନ୍ତ୍‌ନ୍ତୁ ବ୍ୟବସାୟିକ କାର୍ଯ୍ୟକଳାପ ଉପରେ ୧୫ ପ୍ରତିଶତ ଟିକସ ଲାଗୁ ହୋଇଥାଏ। କିନ୍ତୁ ତେଲ ବିକ୍ରି କରୁଥିବା କମ୍ପାନି ଗୁଡ଼ିକ ୫୫ ପ୍ରତିଶତ ହାରରେ ଟିକସ ଦେଇଥାନ୍ତି। ତେବେ ଛୋଟ କମ୍ପାନିଙ୍କଠାରୁ ୩ ପ୍ରତିଶତ ହାରରେ ଟିକସ ଆଦାୟ କରାଯାଇଥାଏ।

କତାର: କତାରରେ ମଧ୍ୟ ଲୋକଙ୍କଠାରୁ ଆୟକର ଆଦାୟ କରାଯାଇ ନଥାଏ। ୧୦ ପ୍ରତିଶତ ହାରରେ କର୍ପୋରେଟ୍‌ ଟିକସ କଂପାନିଗୁଡ଼ିକଠାରୁ ଆଦାୟ କରାଯାଇଥାଏ। କିନ୍ତୁ ଗ୍ୟାସ ଓ ପେଟ୍ରୋଲିୟମ କ୍ଷେତ୍ରର କମ୍ପାନି ଗୁଡ଼ିକ ୩୫ ପ୍ରତିଶତ ହାରରେ ଟିକସ ଦେଇଥାନ୍ତି।

ସାଉଦି ଆରବ: ଚାକିରିରୁ ଲୋକମାନେ ଉପାର୍ଜନ କରୁଥିବା ଅର୍ଥ ଉପରେ ଏହି ଦେଶ ଆୟକର ଆଦାୟ କରି ନଥାଏ। କିନ୍ତୁ କର୍ପୋରେଟ୍‌ ଟିକସ ଏଠାରେ ବିଭିନ୍ନ ହାରରେ ଆଦାୟ କରାଯାଇଥାଏ। ପ୍ରାକୃତିକ ଗ୍ୟାସ ଓ ତୈଳ ଉତ୍ତୋଳନ କରୁଥିବା କଂପାନି ଗୁଡ଼ିକ ଯଥାକ୍ରମେ ୩୦ ପ୍ରତିଶତ ଓ ୮୫ ପ୍ରତିଶତ ହାରରେ ଟିକସ ଦେଇଥାନ୍ତି।

ସଂଯୁକ୍ତ ଆରବ ଏମିରେଟ୍ସ: ସଂଯୁକ୍ତ ଆରବ ଏମିରେଟ୍‌ରେ ଲୋକଙ୍କଠାରୁ ଆୟକର ଆଦାୟ କରାଯାଏ ନାହିଁ। ସେହିଭଳି ତେଲ, ଗ୍ୟାସ ଓ ଆର୍ଥିକ ସେବା କ୍ଷେତ୍ରର କମ୍ପାନିକୁ ବାଦ୍‌ ଦେଲେ ଅନ୍ୟ କମ୍ପାନି ଗୁଡ଼ିକଠାରୁ ମଧ୍ୟ କର୍ପୋରେଟ ଟିକସ ଆଦାୟ କରାଯାଏ ନାହିଁ। କିନ୍ତୁ ବିଦେଶୀ ବ୍ୟାଙ୍କର ଶାଖା ଗୁଡ଼ିକଠାରୁ ମୂଲଚାଲ ହାରରେ କିମ୍ବା ନିର୍ଧାରିତ ୨୦ ପ୍ରତିଶତ ହାରରେ ଟିକସ ଆଦାୟ କରାଯାଇଥାଏ। ପେଟ୍ରୋଲିୟମ କଂପାନି ଗୁଡ଼ିକ ୫୫ ପ୍ରତିଶତ ଟିକସ ଏଠାରେ ଦେଇଥାନ୍ତି।

ବରମୁଡ଼ା: ଯଦିଓ ଏହା ସମ୍ପୂର୍ଣ୍ଣ ଭାବେ ଏକ ଦେଶ ନୁହେଁ ତଥାପି ବ୍ରିଟେନ୍‌ର ଏକ ସ୍ୱୟଂଶାସିତ ଅଂଚଳ। ଏଠାରେ ଆୟକର ବ୍ୟବସ୍ଥା ନାହିଁ। ସେହିଭଳି କମ୍ପାନି ଗୁଡ଼ିକର ଆୟ ଉପରେ ମଧ୍ୟ ଟିକସ ଆଦାୟ କରାଯାଇ ନଥାଏ। କିନ୍ତୁ କମ୍ପାନି ଗୁଡ଼ିକଠାରୁ ୧୫.୫ ପ୍ରତିଶତ ହାରରେ ପେରୋଲ୍‌ ଟିକସ ଆଦାୟ କରାଯାଇଥାଏ।

କେମ୍ୟାନ୍‌ ଆଇଲାଣ୍ଡ୍‌: ଏହା ମଧ୍ୟ ବ୍ରିଟେନ୍‌ର ଅନ୍ୟ ଏକ ଟିକସମୁକ୍ତ ସ୍ୱାଧୀନ ଅଂଚଳ। ଡେଲଏଟ୍‌ର ସୂଚନା ଅନୁସାରେ ଏଠାରେ ରିଅଲ ଇଷ୍ଟେଟ ଟ୍ରାନ୍ସଫର ଉପରେ ଷ୍ଟାମ୍ପ ଡ୍ୟୁଟି ବ୍ୟତୀତ ଅନ୍ୟ କୌଣସି ଟିକସ ଆଦାୟ କରାଯାଇ ନଥାଏ।

ସମ୍ବନ୍ଧିତ ଖବର