ନୂଆଦିଲ୍ଲୀ: ରାଷ୍ଟ୍ରାୟତ୍ତ ବିମାନସେବା ପ୍ରଦାନକାରୀ କମ୍ପାନି ଏୟାର ଇଣ୍ଡିଆ ନୂଆ ନିଯୁକ୍ତି ଏବଂ ପଦୋନ୍ନତି ଉପରେ ରୋକ୍ ଲଗାଇଛି। ଋଣ ବୋଝରେ ବୁଡ଼ି ରହିଥିବା ଏହି କମ୍ପାନିକୁ ବିକ୍ରି କରିବା ପାଇଁ ସରକାର ଯୋଜନା ଚଳାଇଥିବାରୁ ଏଭଳି ନିଷ୍ପତ୍ତି ନିଆଯାଇଛି। ନିବେଶ ଏବଂ ରାଷ୍ଟ୍ରାୟତ୍ତ ସମ୍ପତ୍ତି ପରିଚାଳନା ବିଭାଗ ବା ଦିପମ୍ ପକ୍ଷରୁ ଏଭଳି ନିର୍ଦ୍ଦେଶନାମା ଏୟାର ଇଣ୍ଡିଆକୁ ଦିଆଯାଇଛି। ଏପରିକି କୌଣସି ପ୍ରକାର ନୂଆ ବିମାନ ଚଳାଚଳ କରାଯାଇ ପାରିବ ନାହିଁ। ଯଦି ଅତ୍ୟନ୍ତ ଆବଶ୍ୟକ ହୁଏ ତାହେଲେ ବାଣିଜ୍ୟିକ ଦୃଷ୍ଟିରୁ ସମସ୍ତ ପ୍ରକାର ବିଚାର କରାଯିବା ପରେ ଏଥିପାଇଁ ନିଷ୍ପତ୍ତି ନେବାକୁ ହେବ ବୋଲି କୁହାଯାଇଛି।
Sambad is now on WhatsApp
Join and get latest news updates delivered to you via WhatsApp
ଏୟାର ଇଣ୍ଡିଆର ବିକ୍ରି ପ୍ରକ୍ରିୟା ଖୁବଶୀଘ୍ର ଆରମ୍ଭ ହେବ ବୋଲି ଆଶା କରାଯାଉଛି। ପୁଞ୍ଜିପ୍ରତ୍ୟାହାର ପ୍ରକ୍ରିୟା ଆରମ୍ଭ ହୋଇସାରିଛି। ନିଲାମ ଡକାଯିବା ସମୟରେ ଜୁଲାଇ ୧୫ ସୁଦ୍ଧା କମ୍ପାନିର ଆୟବ୍ୟୟକୁ ବିଚାରକୁ ନିଆଯିବ। ଏହାକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନିଆଯାଇଛି ବୋଲି ଜଣେ ଅଧିକାରୀ ସୂଚନା ଦେଇଛନ୍ତି। କମ୍ପାନିର ଅଂଶଧନ ବିକ୍ରି ପ୍ରକ୍ରିୟାକୁ ଆସନ୍ତା ୪ରୁ ୫ ମାସ ମଧ୍ୟରେ ଶେଷ କରିବାକୁ ଆଶା ରଖିଛନ୍ତି। ତେବେ ଏ ନେଇ ଏୟାର ଇଣ୍ଡିଆ କିମ୍ବା ବେସାମରିକ ବିମାନ ଚଳାଚଳ ସଚିବଙ୍କ ନିକଟରୁ କୌଣସି ଉତ୍ତର ମିଳିନାହିଁ।