ଟେକ୍ସଟାଇଲ ସାମଗ୍ରୀ ଉପରେ ଜିଏସଟି ହାର ବୃଦ୍ଧି ପ୍ରସ୍ତାବ ସ୍ଥଗିତ

ନୂଆଦିଲ୍ଲୀ : ଟେକ୍ସଟାଇଲ ବା ବସ୍ତ୍ର ଉପରେ ପ୍ରସ୍ତାବିତ ଜିଏସଟି ହାର ୫ ପ୍ରତିଶତରୁ ୧୨ ପ୍ରତିଶତକୁ ବୃଦ୍ଧି ନିଷ୍ପତ୍ତିକୁ ସ୍ଥଗିତ ରଖାଯାଇଛି । ଆଜି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଜିଏସଟି ପରିଷଦର ୪୬ତମ ବୈଠକରେ ଏ ସପର୍କିତ ନିଷ୍ପତ୍ତିକୁ ସ୍ଥଗିତ ରଖାଯାଇଛି । ପରିଷଦର ପରବର୍ତ୍ତୀ ବୈଠକ ଅର୍ଥାତ ୪୭ ତମ ବୈଠକରେ ଏ ନେଇ ନିଷ୍ପତ୍ତି ହେବାର ସମ୍ଭାବନା ରହିଛି ।

ଏ ସମ୍ପର୍କରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ଯେ ଟେକ୍ସଟାଇଲ ଉପରେ ଜିଏସଟି ହାର ସଂପର୍କିତ ମାମଲାକୁ ଟାକ୍ସ ରେଟ୍ ରେସନାଲାଇଜେସନ କମିଟିକୁ ପ୍ରେରଣ କରାଯିବ । ଆସନ୍ତା ଫେବ୍ରୁଆରି ସୁଦ୍ଧା କମିଟି ନିଜର ରିପୋର୍ଟ ଦଖଲ କରିବ ।

ଆସନ୍ତା ୧ ତାରିଖରୁ ଟେକ୍ସଟାଇଲ ସାମଗ୍ରୀ ଉପରେ ବର୍ଦ୍ଧିତ ଜିଏସଟି ଲାଗୁ ପାଇଁ ପ୍ରସ୍ତାବ ଥିଲା । କିନ୍ତୁ ରାଜ୍ୟମାନଙ୍କର ବିରୋଧ ଯୋଗୁଁ ଏହି ନିଷ୍ପତ୍ତିକୁ ସ୍ଥଗିତ ରଖାଯାଇଥିବା ଜଣାଯାଇଛି ।

ପୂର୍ବ ପ୍ରସ୍ତାବ ଅନୁସାରେ ୧ ହଜାର ଟଙ୍କାରୁ ଅଧିକ ମୂଲ୍ୟର ପୋଷାକ ଉପରେ ଜିଏସଟି ହାର ୫ ପ୍ରତିଶତରୁ ୧୨ ପ୍ରତିଶତକୁ ବୃଦ୍ଧି କରାଯାଇଥାନ୍ତା । ଏହା ସହିତ କପଡା, ସିନ୍ଥେଟିକ୍ ସୂତା, କମ୍ବଳ, ତମ୍ବୁ ଏବଂ ଅନ୍ୟାନ୍ୟ ସାମଗ୍ରୀ ଉପରେ ଲାଗୁ ଜିଏସଟି ହାରକୁ ବି ବୃଦ୍ଧି କରାଯାଇଥାନ୍ତା । ଅନ୍ୟପକ୍ଷରେ ୧ ହଜାର ଟଙ୍କାରୁ ଅଧିକ ମୂଲ୍ୟର ଜୋତା ଉପରେ ଲାଗୁ ଜିଏସଟି ହାର ୫ ପ୍ରତିଶତରୁ ୧୨ ପ୍ରତିଶତକୁ ବୃଦ୍ଧି କରିବାକୁ ବି ପ୍ରସ୍ତାବ ଥିଲା । ଏହି ପ୍ରସ୍ତାବ ଲାଗୁ ହୋଇଥିଲେ ଦେଶର ପୋଷାକ ଓ ଜୋର ମୂଲ୍ୟ ବୃଦ୍ଧି ପାଇଥାନ୍ତା । ଏହା ଦ୍ବାରା ମୁଦ୍ରାସ୍ପୀତି ଆହୁରି ବୃଦ୍ଧି ପାଇଥାନ୍ତା ।

 

 

 

ସମ୍ବନ୍ଧିତ ଖବର