ଡ୍ରୋନ୍‌ ଜରିଆରେ ଖଣି ମ୍ୟାପିଂ କରାଯିବ

ଭୁବନେଶ୍ବର: ଖଣି ଉପରେ ନଜର ରଖିବା ଲାଗି ଡ୍ରୋନ୍‌ ଜରିଆରେ ସେଗୁଡ଼ିକର ମ୍ୟାପିଂ କରାଯାଉଛି। ଉପଗ୍ରହ ଚିତ୍ର ତୁଳନାରେ ଡ୍ରୋନ୍‌ରେ ଉଠାଯାଉଥିବା ଚିତ୍ର ଅଧିକ ସ୍ପଷ୍ଟ ‌ରହୁଛି। ଖଣିର ଥ୍ରିଡି ଛବି ଡ୍ରୋନ୍ ଉଠାଇପାରୁଛି। ଏହା ଦ୍ବାରା କେଉଁ ଅଞ୍ଚଳରେ କେତେ ଗଭୀର ପର୍ଯ୍ୟନ୍ତ ଖଣି ଖୋଳା ହୋଇଛି ତାହାର ସଠିକ୍ ତଥ୍ୟ ମିଳିପାରୁଛି। ତେଲେଙ୍ଗାନା, ମହାରାଷ୍ଟ୍ର, କର୍ଣ୍ଣାଟକ ଓ ଆନ୍ଧ୍ର ପ୍ରଦେଶରେ ଡ୍ରୋନ୍‌ରେ ଖଣିଗୁଡ଼ିକର ମ୍ୟାପିଂ କରାଯାଇଛି। ଆରଭ୍‌ ଅନ୍‌ମ୍ୟାନଡ୍‌ ସିଷ୍ଟମସ୍‌ ପ୍ରାଇଭେଟ୍ ଲିମିଟେଡ୍ (ଏୟୁଏସ୍‌) ନାମକ ଏକ ଷ୍ଟାର୍ଟ-ଅପ୍ ସଂସ୍ଥା ଭାରତକୁ ନୂଆ ପ୍ରଯୁକ୍ତି ଆଣିଛି। ଏହା ବିଭିନ୍ନ ରାଜ୍ୟର ଖଣି ବିଭାଗ ସହିତ ମିଶି ଡ୍ରୋନ୍‌ ମାଧ୍ୟମରେ ଖଣିର ମ୍ୟାପିଂ କରୁଛି। ଏହାର ସହ-ପ୍ରତିଷ୍ଠାତା ଓ ସିଇଓ ବିପୁଲ୍‌ ସିଂହ କହିଛନ୍ତି, ଉପଗ୍ରହ ଜରିଆରେ ଖଣିର ନିଆଯାଉଥିବା ଚିତ୍ର ୬୦% ସଠିକ୍ ରହୁଛି। ମାତ୍ର ଡ୍ରୋନ୍‌ର ଥ୍ରିଡି ଚିତ୍ର ୯୮-୯୯% ସଠିକ୍ ରହୁଛି। ଡ୍ରୋନ୍‌ ଫଟୋର ରିଜଲ୍ୟୁସନ୍ ହେଉଛି ୨ସେମି/ପିକ୍ସେଲ୍। ଶ୍ରୀ ସିଂହ କହିଛନ୍ତି, ଓଡ଼ିଶା ଭଳି ରାଜ୍ୟରେ‌ ଡ୍ରୋନ୍ ଜରିଆରେ ଖଣିଗୁଡ଼ିକର ମ୍ୟାପିଂ ପାଇଁ ୧୦୦-୧୫୦ କୋଟି ଟଙ୍କା ଖର୍ଚ୍ଚ ହେବ। ଏହା ଦ୍ବାରା ସରକାରଙ୍କ ଠାରୁ ଆରମ୍ଭ କରି ସ୍ଥାନୀୟ ଲୋକଙ୍କ ପର୍ଯ୍ୟନ୍ତ ସମସ୍ତେ ଲାଭବାନ ହୋଇପାରିବେ ବୋଲି ‌ସେ କହିଛନ୍ତି।

ଏୟୁଏସ୍‌ ନିଜର ଡ୍ରୋନ୍ ପ୍ରଯୁକ୍ତିକୁ ଓଡ଼ିଶାର ଖଣି ମ୍ୟାପିଂ ଲାଗି ବ୍ୟବହାର କରିବାକୁ ଚାହୁଛି। ମେ’ଫେୟାରରେ ଆୟୋଜନ କରାଯାଇଥିବା ଇଣ୍ଡିଆ ମାଇନିଂ କନ୍‌କ୍ଲେଭ୍ ୨୦୧୯ରେ କଂପାନି ଏହାର ଉତ୍ପାଦ ଏବଂ ପ୍ରଯୁକ୍ତିକୁ ପ୍ରଦର୍ଶିତ କରିଛି। ଓଡ଼ିଶାରେ ଏହି କଂପାନି ଖଣିର ମ୍ୟାପିଂ ବ୍ୟତୀତ ଜଳସେଚନ, ଜଳ ବିଭାଜିକା ପ୍ରକଳ୍ପ ପରିଚାଳନା, ସହରାଞ୍ଚଳ ପାଇଁ ଯୋଜନା ପ୍ରସ୍ତୁତି, ସ୍ମାର୍ଟ ସିଟି, ସମ୍ପତ୍ତି ଟିକସ ଆଦାୟ ଆଦି କ୍ଷେତ୍ରରେ ନିଜର ପ୍ରଯୁକ୍ତିକୁ ବ୍ୟବହାର କରିବାକୁ ଚାହୁଛି।

ସମ୍ବନ୍ଧିତ ଖବର