ପାକିସ୍ତାନର ଋଣ ବୋଝ ୫୦ ଲକ୍ଷ କୋଟି ଟଙ୍କା, ବିକାଶ ପାଇଁ ଅର୍ଥର ଘୋର ଅଭାବ

ଋଣ ଦେବାକୁ ମନା କରୁଛି ଆଇଏମ୍‌ଏଫ୍‌

ଇସଲାମାବାଦ: ପାକିସ୍ତାନର ଋଣବୋଝ ବଢ଼ି ବଢ଼ି ଚାଲିଛି। ଦେଶର ମୋଟ ଋଣ ଓ ଅନ୍ୟାନ୍ୟ ଦେୟ ଏବେ ୫୦.୫ ଲକ୍ଷ କୋଟି ଟଙ୍କା ଟପିଯାଇଛି। ଏହି ରାଶି ଦେଶର ମୋଟ ଘରୋଇ ଉତ୍ପାଦ (ଜିଡିପି) ଠାରୁ ଅଧିକ। ପାକିସ୍ତାନର ଋଣବୋଝ ଅଧିକ ମାତ୍ରାରେ ବଢ଼ି ଥିବାବେଳେ ଅନ୍ତର୍ଜାତୀୟ ମୁଦ୍ରାପାଣ୍ଠି (ଆଇଏମ୍‌ଏଫ୍‌) ଏହାକୁ ଋଣ ଦେବାକୁ ମନା କରିଦେଇଛି। ଏଥିଯୋଗୁ ଇମ୍ରାନ ଖାନ୍‌ଙ୍କ ଅଡ଼ୁଆ ବଢ଼ିଯାଇଛି। ଷ୍ଟେଟ ବ୍ୟାଙ୍କ ଅଫ୍‌ ପାକିସ୍ତାନ ପକ୍ଷରୁ ପ୍ରକାଶିତ ତଥ୍ୟ ଅନୁଯାୟୀ ୫୦.୫ ଲକ୍ଷ କୋଟି ଟଙ୍କାର‌ ମୋଟ ଋଣ ମଧ୍ୟରୁ ୨୦.୭ ଲକ୍ଷ କୋଟି ଟଙ୍କାର ଋଣ କେବଳ ଇମ୍ରାନ ସରକାରଙ୍କ ଅମଳରେ ବଢ଼ିଛି। ୨୦୧୮ ଜୁନରେ ପାକିସ୍ତାନରେ ମୁଣ୍ଡପିଛା ଋଣ ୧ ଲକ୍ଷ ୪୪ ହଜାର ଟଙ୍କା ରହିଥିଲା। କିନ୍ତୁ ୨୦୨୧ ସେପ୍ଟେମ୍ବର ବେଳକୁ ଏହା ୨ ଲକ୍ଷ ୩୫ ହଜାର ଟଙ୍କାକୁ ବୃଦ୍ଧି ପାଇଛି। ଅର୍ଥାତ୍ ଅତିରିକ୍ତ ୯୧ ହଜାର କୋଟି ଟଙ୍କା ବା ୬୩ ପ୍ରତିଶତ ଋଣ ବୋଝ କେବଳ କେବଳ ତେହେରିକ୍-ଇ-ଇନ୍‌ସାଫ୍‌ ସରକାରଙ୍କ ଅମଳରେ ହୋଇଛି। ଗୋଟିଏ ଆର୍ଥିକ ବର୍ଷରେ ଜିଡିପିର ୨ ପ୍ରତିଶତ ଋଣ ଦେବାକୁ ପାକିସ୍ତାନ କରିଥିବା ଅନୁରୋଧକୁ ଆଇଏମ୍‌ଏଫ୍‌ ପ୍ରତ୍ୟାଖ୍ୟାନ କରିସାରିଛି। କାର୍ଯ୍ୟ ପରିଚାଳନା ପାଇଁ ଋଣ ନେବା ଏହାର ସାମ୍ବିଧାନିକ ଅଧିକାର ବୋଲି ପାକିସ୍ତାନ କହୁଥିଲେ ମଧ୍ୟ ଏହି ଚାପ ଆଇଏମ୍ଏଫ୍‌ ଉପରେ କୌଣସି ପ୍ରଭାବ ପକାଇ ନାହିଁ।

ଉଲ୍ଲେଖଯୋଗ୍ୟ, ଗତ ସପ୍ତାହରେ ଇମ୍ରାନ ଖାନ୍‌ ଦେଶର ଅର୍ଥନୀତିରେ ସୁଧାର ଆଣିବା ନେଇ ଅସହାୟତା ପ୍ରକାଶ କରିଥିଲେ। ସରକାରଙ୍କ ନିକଟରେ ପାଣ୍ଠି ‌ନାହିଁ ବୋଲି କହିଥିଲେ। ଦେଶ ଚଳାଇବା ପାଇଁ ଆମ ପାଖରେ ସମ୍ବଳ ନଥିବାରୁ ଋଣ କରିବାକୁ ପଡ଼ୁଛି ବୋଲି ପ୍ରଧାନମନ୍ତ୍ରୀ ଖାନ୍ କହିଥିଲେ। ପାଣ୍ଠି ଅଭାବ କାରଣରୁ ଗରିବଙ୍କ ମଙ୍ଗଳ ପାଇଁ କମ୍ ଅର୍ଥ ବ୍ୟୟ କରାଯାଉଛି। ଗୋଟିଏ ପ‌ଟେ ବିଦେଶୀ ଋଣ ପରିମାଣ ବଢ଼ିବା ଏବଂ ଅନ୍ୟପକ୍ଷରେ ରାଜସ୍ବ ଆଦାୟ ରାଶି କମ୍ ରହିବା ଯୋଗୁ ଜାତୀୟ ସୁରକ୍ଷା ଏକ ପ୍ରସଙ୍ଗ ହୋଇଛି ବୋଲି ସେ କହିଛନ୍ତି। ଦେଶ ଚଳାଇବା ପାଇଁ ପାଣ୍ଠି ନଥିବା ଆମ ପାଇଁ ସବୁଠୁ ବଡ଼ ସମସ୍ୟା ବୋଲି ଇମ୍ରାନ କହିଛନ୍ତି।

ସମ୍ବନ୍ଧିତ ଖବର