ପେଟ୍ରୋଲ, ଡିଜେଲରୁ ଭାଟ୍‌ କମାଇବନି ରାଜ୍ୟ

ଭୁବନେଶ୍ୱର: କେନ୍ଦ୍ର ସରକାର ପେଟ୍ରୋଲ ଏବଂ ଡିଜେଲ ଉପରୁ ଲିଟର ପିଛା ୨ ଟଙ୍କା ଉତ୍ପାଦନ ଶୁଳ୍କ କମାଇବା ପରେ ରାଜ୍ୟ ସରକାରଗୁଡ଼ିକୁ ୫ ପ୍ରତିଶତ ଭାଟ୍‌ କମାଇବା ଲାଗି ପରାମର୍ଶ ଦେଇଥିଲେ। ଏହାହେଲେ ଗ୍ରାହକଙ୍କ ଉପରୁ ବୋଝ ହାଲକା ହେବ ବୋଲି କେନ୍ଦ୍ର ସରକାର କହିଥିଲେ। କିନ୍ତୁ କେନ୍ଦ୍ର ସରକାରଙ୍କ ଏ ପ୍ରକାର ପ୍ରସ୍ତାବକୁ ରାଜ୍ୟ ସରକାର ପ୍ରତ୍ୟାଖ୍ୟାନ କରିଦେଇଛନ୍ତି। ରାଜ୍ୟ ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରା କହିଛନ୍ତି ୨ ଟଙ୍କା ଉତ୍ପାଦନ ଶୁଳ୍କ ହ୍ରାସ ଦ୍ୱାରା ରାଜ୍ୟ ସରକାରଙ୍କୁ ଏ ବାବଦରେ ୮୪ ପଇସା ବହନ କରିବାକୁ ପଡ଼ୁଛି। କାରଣ କେନ୍ଦ୍ର ସରକାର ଯେଉଁ ଟିକସ ଆଦାୟ କରନ୍ତି ଅର୍ଥ ଆୟୋଗ ସୁପାରିସ ଅନୁଯାୟୀ ରାଜ୍ୟ ସରକାରଙ୍କୁ ସେଥିରୁ ୪୨ ପ୍ରତିଶତ ଦେଇଥାନ୍ତି। ତେଣୁ ୨ ଟଙ୍କା ଉପରେ ରାଜ୍ୟ ସରକାରଙ୍କୁ ୮୪ ପଇସାର ରାଜସ୍ୱ କ୍ଷତି ବହନ କରିବାକୁ ପଡ଼ୁଛି। ଏଥିସହିତ ୨ ଟଙ୍କା ଉପରେ ରାଜ୍ୟ ସରକାର ୨୬ ପ୍ରତିଶତ ହିସାବରେ ଯେଉଁ ଭାଟ୍‌ ଆଦାୟ କରିଥାନ୍ତେ ସେବାବଦରେ ମଧ୍ୟ ୫୨ ପଇସା ହରାଉଛନ୍ତି। ତେଣୁ କେନ୍ଦ୍ର ସରକାର ୨ ଟଙ୍କା ଉତ୍ପାଦନ ଶୁଳ୍କ କମାଇବା ପରେ ରାଜ୍ୟ ସରକାର ଲିଟର ପିଛା ୧ ଟଙ୍କା ୩୬ ପଇସା କ୍ଷତି ସହୁଛନ୍ତି, ଯାହାକି କେନ୍ଦ୍ର ସରକାରଙ୍କଠାରୁ ଅଧିକ। କେନ୍ଦ୍ରଠାରୁ ରାଜ୍ୟ ଅଧିକ କ୍ଷତି ସହୁଥିବାବେଳେ ଭାଟ୍‌ ହ୍ରାସର ପ୍ରଶ୍ନ ଉଠୁନାହିଁ ବୋଲି ଅର୍ଥମନ୍ତ୍ରୀ କହିଛନ୍ତି।

ସମ୍ବନ୍ଧିତ ଖବର