‘ବିତ୍ତୀୟ ସମସ୍ୟା ଆଣିବ ନ୍ୟାୟ’

ୱାସିଂଟନ: କଂଗ୍ରେସ ସଭାପତି ରାହୁଲ୍ ଗାନ୍ଧୀଙ୍କ ପକ୍ଷରୁ ନିକଟରେ ଘୋଷଣା କରାଯାଇଛି ନ୍ୟୁନତମ ଆୟ ଯୋଜନା ବା ‘ନ୍ୟାୟ’। କଂଗ୍ରେସ କ୍ଷମତାକୁ ଆସିଲେ ଏହି ଯୋଜନାରେ ଆର୍ଥିକ ଦୁର୍ବଳ ବର୍ଗର ଲୋକଙ୍କୁ ମାସି ୬ ହଜାର ବା ବାର୍ଷିକ ୭୨ ହଜାର ଟଙ୍କା ପ୍ରଦାନ କରାଯିବ। ଏହି ଯୋଜନାକୁ କାର୍ଯ୍ୟକାରୀ କରିବାର ଦୁଇଟି ଲକ୍ଷ୍ୟ ରହିଛି। ପ୍ରଥମଟି ହେଲା ଦେଶର ୨୦ ପ୍ରତିଶତ ଲୋକଙ୍କୁ ଏହି ସୁବିଧା ମିଳିବ। ଦ୍ବିତୀୟଟି ହେଲା ବିମୁଦ୍ରୀକରଣ କରି ପ୍ରଧାନମନ୍ତ୍ରୀ ଅର୍ଥନୀତିକୁ ଯେଭଳି ଧ୍ବଂସ କରିଛନ୍ତି ମୁଦ୍ରୀକରଣ କରାଯାଇ ସେଥିରେ ସୁଧାର ଅଣାଯିବ ବୋଲି ରାହୁଲ୍ କହିଛନ୍ତି। ତେବେ ଏହି ଯୋଜନା କାର୍ଯ୍ୟକାରୀ ହେଲେ ଅର୍ଥନୀତିରେ ଅନେକଗୁଡ଼ିଏ ସମସ୍ୟା ସୃଷ୍ଟି ହେବ ବୋଲି ନିତି ଆୟୋଗର ପୂର୍ବତନ ଉପାଧ୍ୟକ୍ଷ ଅରବିନ୍ଦ ପାନଗାରିୟା ମତ ଦେଇଛନ୍ତି। ‘ନ୍ୟାୟ’କୁ କାର୍ଯ୍ୟକାରୀ କରିବା ଅତ୍ୟନ୍ତ କଷ୍ଟକର ଏବଂ ଯେଉଁ ଲକ୍ଷ୍ୟରେ ଏହାକୁ କାର୍ଯ୍ୟକାରୀ କରାଯିବ ତାହା ସଫଳ ହେବ ନାହିଁ। ବିଶେଷତଃ ତିନୋଟି ପ୍ରମୁଖ ସମସ୍ୟା ଏହା ସୃଷ୍ଟି କରିବ। ସେଗୁଡ଼ିକ ହେଲା ଇନସେନ୍‌ଟିଭ୍ କମ୍ପାଟିବିଲିଟି ଇସ୍ୟୁ ବା ଯୋଜନାର ହିତାଧିକାରୀମାନଙ୍କୁ ସର୍ବୋତ୍କୃଷ୍ଟ ଲାଭ ମିଳିବା ସମସ୍ୟା, ଫେୟାରନେସ୍ ଇସ୍ୟୁ ବା ପାତରଅନ୍ତର ବିହୀନ ରହିବା ନେଇ ସମସ୍ୟା ଏବଂ ଫିସ୍‌କାଲ ଚ୍ୟାଲେଞ୍ଜ ବା ବିତ୍ତୀୟ ସମସ୍ୟା। ଏହି ଯୋଜନା କାର୍ଯ୍ୟକାରୀ ହେଲେ ଅର୍ଥନୀତି ଉପରେ ଯେଉଁ ବଡ଼ ଆର୍ଥିକ ବୋଝ ପଡ଼ିବ ତାହାକୁ ନେଇ ମଧ୍ୟ ପାନଗାରିୟା ଚିନ୍ତାବ୍ୟକ୍ତ କରିଛନ୍ତି। ଯଦି ୫ କୋଟି ପରିବାରକୁ ମାସିକ ୬ ହଜାର ଟଙ୍କା ଲେଖାଏଁ ଅର୍ଥ ପ୍ରଦାନ କରାଯାଏ ବୋଲି ଧରାଯାଏ ତାହେଲେ ବାର୍ଷିକ ୩ ଲକ୍ଷ ୬୦ ହଜାର କୋଟି ଟଙ୍କା ଏ ବାବଦରେ ସରକାରଙ୍କୁ ଖର୍ଚ କରିବାକୁ ପଡ଼ିବ। ଏହା କରିବା ସମ୍ଭବ ନୁହେଁ। କାରଣ ୨୦୧୯-୨୦ ଆର୍ଥିକ ବର୍ଷର ବଜେଟରେ ସରକାର ରଖିଥିବା ମୋଟ ବଜେଟ ବ୍ୟୟର ଏହା ପ୍ରାୟ ୧୩ ପ୍ରତିଶତ ବୋଲି ପାନଗାରିୟା କହିଛନ୍ତି।

ସମ୍ବନ୍ଧିତ ଖବର