ବିବାଦୀୟ ଆରସିଇପି ଚୁକ୍ତିରେ ସ୍ୱାକ୍ଷର କରିବାକୁ ମନା କଲା ଭାରତ

ନୂଆଦିଲ୍ଲୀ : ଭାରତ ଆଞ୍ଚଳିକ ସାମଗ୍ରୀକ ଆର୍ଥିକ ସହଯୋଗୀତା ବା ଆରସିଇପି ଚୁକ୍ତିରେ ସ୍ୱାକ୍ଷର କରିବାକୁ ମନା କରିଦେଇଛି । ଥାଇଲାଣ୍ଡର ବ୍ୟାଙ୍କକଠାରେ ଅନୁଷ୍ଠିତ ଆରସିଇପି ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ଘୋଷଣା କରିଛନ୍ତି ।
ମୋଦୀ କହିଛନ୍ତି ଯେ ଏହି ଚୁକ୍ତିରେ ଭାରତର ଦାବି ଓ ଚିନ୍ତାକୁ ଗ୍ରହଣ କରାଯାଇନାହିଁ । ଏହା ଭାରତର ସ୍ୱାର୍ଥର ପରିପନ୍ଥୀ । ଏଣୁ ଏଥିରେ ଅଂଶଗ୍ରହଣ କରିବା ଭାରତ ପକ୍ଷରେ ସମ୍ଭବ ନୁହେଁ ।
ସେ କହିଛନ୍ତି ଯେ ବିଶ୍ୱରେ ମୁକ୍ତ ବାଣିଜ୍ୟ ଓ ନିୟମ ଭିତ୍ତିକ ବିଶ୍ୱବ୍ୟବସ୍ଥା ସପକ୍ଷରେ ଭାରତ ସବୁବେଳେ ରହିଆସିଛି । ଏହାକୁ ଦୃଷ୍ଟିରେ ରଖି ୭ ବର୍ଷ ତଳେ ଭାରତ ଆରସିଇପି ଆଲୋଚନାରେ ସକ୍ରିୟ ଅଂଶଗ୍ରହଣ କରିଥିଲା । କିନ୍ତୁ ବର୍ତ୍ତମାନର ପରିବର୍ତ୍ତିତ ବିଶ୍ୱ ଅର୍ଥନୀତି ଦୃଷ୍ଟିରୁ ଏବେ ଭାରତ ପକ୍ଷେ ଏଥିରେ ସ୍ୱାକ୍ଷର କରିବା ସମ୍ଭବ ନୁହେଁ ।
ସୂଚନାଯୋଗ୍ୟ ଯେ ଏସୀୟ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ମୁକ୍ତ ବାଣିଜ୍ୟ ଲାଗି ଏହି ଆରସିଇପିର ପରିକଳ୍ପନା କରାଯାଇଛି । ଏହି ପ୍ରସ୍ତାବିତ ମୁକ୍ତ ବାଣିଜ୍ୟଚୁକ୍ତିରେ ଦକ୍ଷିଣ-ପୂର୍ବ ଏସିଆର ୧୦ଟି ଆସିଆନ ରାଷ୍ଟ୍ର, ଚୀନ, ଭାରତ, ଜାପାନ, ଦକ୍ଷିଣ କୋରିଆ, ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡକୁ ସାମିଲ କରାଯାଇଛି । କିନ୍ତୁ ଏଥିରେ ସ୍ୱାକ୍ଷର କଲେ ଭାରତୀୟ ଶିଳ୍ପ ସଂସ୍ଥାଗୁଡ଼ିକ ଦୁର୍ବଳ ହେବା ସହ ଚୀନ ଲାଭରେ ରହିବ ବୋଲି ଭାରତ ଆଶଙ୍କା କରୁଛି ।

ସମ୍ବନ୍ଧିତ ଖବର