ଭାରତରେ ବେତନ ସମସ୍ୟା ରହିଛି, ଡିଗ୍ରିଧାରୀଙ୍କୁ ଆକର୍ଷିତ କରୁନି କମ୍ ବେତନର ଚାକିରି

ବେଙ୍ଗାଲୁରୁ: ଭାରତରେ ଚାକିରି ନୁହେଁ, ବରଂ ବେତନକୁ ନେଇ ସମସ୍ୟା ରହିଛି। ଏହା କହିଛନ୍ତି ଇନଫୋସିସ୍‌ର ସହ ପ୍ରତି‌ଷ୍ଠାତା ଟି ବି ମୋହନଦାସ ପାଇ। ଭାରତରେ ଭଲ ଚାକିରି ସୃଷ୍ଟି ହେଉନାହିଁ। ୧୦ରୁ ୧୫ ହଜାର ଟଙ୍କା ବେତନର ଚାକିରି ଅଧିକ ସଂଖ୍ୟାରେ ସୃଷ୍ଟି ହେଉଛି, ଯେଉଁଥିପାଇଁ ଡିଗ୍ରିଧାରୀମାନେ ଆକର୍ଷିତ ହେଉନାହାନ୍ତି। ଭାରତରେ କାମର ସମସ୍ୟା ନାହିଁ, ବରଂ ବେତନର ସମସ୍ୟା ରହିଛି।ନିଯୁକ୍ତି ଆଶାୟୀଙ୍କ ଆକାଂକ୍ଷ ପୂରଣ କରିବା ପାଇଁ ଭାରତକୁ ଚୀନ ମଡେଲ ଆପଣାଇବାକୁ ପାଇ ପରାମର୍ଶ ଦେଇଛନ୍ତି। ସେ କହିଛନ୍ତି, ଶ୍ରମ ଭିତ୍ତିକ ଶିଳ୍କକୁ ଅଧିକ ସଂଖ୍ୟାରେ ବଢ଼ାଇବାକୁ ହେବ। ଉପକୂଳବର୍ତ୍ତୀ ଅଞ୍ଚଳରେ ଭିତ୍ତିଭୂମି ନିର୍ମାଣ କରିବାକୁ ହେବ। ଏଥିସହିତ ଉକ୍ତ ପ୍ରଯୁକ୍ତି ବିଶିଷ୍ଟ ଗବେଷଣା ଏବଂ ବିକାଶ କ୍ଷେତ୍ରରେ ଅଧିକ ନିବେଶ କରିବାକୁ ପଡ଼ିବ। ଉଦାହରଣ ଦେଇ ସେ କହିଛନ୍ତି, ଚୀନ ପ୍ରଥମେ ଏହାର ଶ୍ରମଭିତ୍ତିକ ଶିଳ୍ପକୁ ଉନ୍ମୁକ୍ତ କରି ସାରା ବିଶ୍ବକୁ ସେଥିରେ ନିବେଶ କରିବା ଲାଗି ଆହ୍ବାନ କରିଲା। ଏହାପରେ ଏକ ରପ୍ତାନିଭିତ୍ତିକ ଅର୍ଥନୀତି ଆରମ୍ଭ କରିଦେଲା। ଭାରତରେ ଶ୍ରମଭିତ୍ତିକ ଶିଳ୍ପକୁ ପ୍ରୋତ୍ସାହନ ଦିଆଯାଇନାହିଁ। ଏଥିପାଇଁ ଆମର ଉପଯୁକ୍ତ ନୀତି ନାହିଁ। ତେଣୁ ଆମେ ଆମର ବଳକା ଶ୍ରମିକଙ୍କୁ କାର୍ଯ୍ୟ ଯୋଗାଇ ପାରୁନାହେଁ ବୋଲି ଶ୍ରୀ ପାଇ କହିଛନ୍ତି।

ସମ୍ବନ୍ଧିତ ଖବର