ମହିନ୍ଦ୍ରାର ଇଲେକ୍ଟ୍ରିକ୍ ୩ ଚକିଆ ଗାଡ଼ି ‘ଟ୍ରିଓ’

ଭୁବନେଶ୍ବର: ମହିନ୍ଦ୍ରା ଇଲେକ୍ଟ୍ରିକ୍ ମୋବିଲିଟି ଲିମିଟେଡ୍ ପକ୍ଷରୁ ଭୁବନେଶ୍ବର ଓ ବାଲେଶ୍ବରରେ ନୂଆ ଇଲେକ୍ଟ୍ରିକ୍ ୩ ଚକିଆ ଯାନ ଟ୍ରିଓକୁ ଉନ୍ମୋଚନ କରାଯାଇଛି। ଟ୍ରିଓ ସେମି ହାର୍ଡ ଟପ୍ (ଏସ୍ଏଚ୍‌ଟି) ମଡେଲ୍‌ର ଏକ୍ସ ସୋ’ରୁମ୍ ମୂଲ୍ୟ ୨ ଲକ୍ଷ ୭୫ ହଜାର ଟଙ୍କା ରହିଛି। ଖୁବ୍‌ଶୀଘ୍ର ଏହା ରାଜ୍ୟର ଅନ୍ୟ ସହରଗୁଡ଼ିକରେ ମଧ୍ୟ ଉପଲବ୍ଧ ହେବ। ଏହାକୁ ବ୍ୟକ୍ତିଗତ କାମ ପାଇଁ ଏବଂ ବିଭିନ୍ନ ସଂସ୍ଥାରେ ବ୍ୟବହାର କରାଯାଇପାରିବ। କଂପାନିର ସିଇଓ ମହେଶ ବାବୁ କହିଛନ୍ତି ଯେ, ଲିଥିଅମ୍ ଆୟନ୍ ବ୍ୟାଟେରି ଥିବା ପ୍ରଥମ ତିନି ଚକିଆ ଇଲେକ୍ଟ୍ରିକ୍ ଗାଡ଼ି ହେଉଛି ଟ୍ରିଓ। ଏହାର ରକ୍ଷଣାବେକ୍ଷଣ ଓ ଏହାକୁ ଚଲାଇବାରେ ବହୁତ କମ୍ ଖର୍ଛ ହେବ। ଗ୍ରାହକମାନେ ପ୍ରତି କିଲୋମିଟର ପିଛା ଅଧିକ ଆୟ କରିପାରିବେ ବୋଲି ସେ କହିଛନ୍ତି। ଫୁଲ୍ ଚାର୍ଜ ହେଲେ ଏହି ଗାଡ଼ି ୧୩୦ କିମି ଯାତ୍ରା କରିପାରିବ। ଏଥିରେ କ୍ଲଚ୍‌ ନାହିଁ। ଏହା କୌଣସି ଶବ୍ଦ କିମ୍ବା କମ୍ପନ ସୃଷ୍ଟି କରେ ନାହିଁ। ଏହା ମାତ୍ର ୩ ଘଣ୍ଟା ୫୦ ମିନିଟ୍‌ରେ ଫୁଲ୍ ଚାର୍ଜ ହୋଇଯିବ। କଂପାନି ପକ୍ଷରୁ ଏହା ପାଇଁ ଉତ୍କୃଷ୍ଟ ବିକ୍ରି ପରବର୍ତୀ ସେବା ପ୍ରଦାନ କରାଯିବ।

ସମ୍ବନ୍ଧିତ ଖବର