ଯଶୋବନ୍ତଙ୍କୁ ଜେଟ୍‌ଲିଙ୍କ କଟାକ୍ଷ: ୮୦ ବର୍ଷ ବୟସରେ ବି ଆଶାୟୀ!

ନୂଆଦିଲ୍ଲୀ: ଅର୍ଥନୀତିରେ ବିପର୍ଯ୍ୟୟ ଆଣିଥିବା ଅଭିଯୋଗ କରି ପୂର୍ବତନ ଅର୍ଥମନ୍ତ୍ରୀ ଯଶୋବନ୍ତ ସିହ୍ନା ବର୍ତ୍ତମାନର ଅର୍ଥମନ୍ତ୍ରୀ ଅରୁଣ ଜେଟ୍‌ଲିଙ୍କ ଉପରେ ଯେଉଁ ସମାଲୋଚନା କରିଥିଲେ ଆଜି ତାହାର ଜବାବ ଖୁବ୍‌ ରୋଚକ ଢ଼ଙ୍ଗରେ ରଖିଛନ୍ତି ଜେଟ୍‌ଲି।
ଜେଟ୍‌ଲି କହିଛନ୍ତି ଯେ ମୁଁ ଶୀଘ୍ର ସଂସ୍କାର ଆଣିପାରିଲି ବୋଲି ମୋତେ ସମାଲୋଚନା କରାଯାଉଛି। ଏକ ପୁସ୍ତକ ଉନ୍ମୋଚନ କାର୍ଯ୍ୟକ୍ରମରେ ଅତିଥି ଭାବେ ଯୋଗ ଦେଇ ସେ କହିଛନ୍ତି ଯେ ବିମୁଦ୍ରାକରଣ ପରେ ଏତେ ଶୀଘ୍ର କାହିଁକି ମୁଁ ଜିଏସ୍‌ଟି ଲାଗୁ କଲି, ସେଥିପାଇଁ ମୋତେ ବଡ଼ ଧରଣର ସମାଲୋଚନାର ଶିକାର ହେବାକୁ ପଡ଼ିଛି। ସେ ଯଶୋବନ୍ତଙ୍କୁ ଆକ୍ଷେପ କରି କହିଛନ୍ତି ଯେ ୮୦ ବର୍ଷ ବୟସର ନିଯୁକ୍ତି ଆଶାୟୀ ନିଜର ଅତୀତକୁ ଭୁଲି ଯାଉଛନ୍ତି।
ଯଶୋବନ୍ତ ସିହ୍ନାଙ୍କ ସ୍ତମ୍ଭ ଏକ ଇଂରାଜି ସମ୍ବାଦପତ୍ରରେ ପ୍ରକାଶ ପାଇବା ପରେ ଗତକାଲି କଂଗ୍ରେସ ଉପାଧ୍ୟକ୍ଷ ରାହୁଲ ଗାନ୍ଧୀ, ପୂର୍ବତନ ଅର୍ଥମନ୍ତ୍ରୀ ପି ଚିଦମ୍ବରମ୍‌ ଏବଂ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲ୍‌ ଜେଟ୍‌ଲିଙ୍କୁ ତୀବ୍ର ସମାଲୋଚନା କରିଥିଲେ।
ଉଭୟ ଯଶୋବନ୍ତ ଏବଂ ଚିଦମ୍ବରମଙ୍କୁ କଡ଼ା ଜବାବ ଦେବାକୁ ଯାଇ ଜେଟ୍‌ଲି କହିଥିଲେ ଯେ ମୁଁ ଏଠାରେ ନିଶ୍ଚିତ ଭାବେ ସ୍ୱୀକାର କରିବି ଯେ ମୋର ଏଭଳି ସ୍ଥିତି ହୋଇନାହିଁ ଯେ ମୁଁ ପୂର୍ବତନ ଅର୍ଥମନ୍ତ୍ରୀ ହୋଇଯିବି କିମ୍ବା ପୂର୍ବତନ ଅର୍ଥମନ୍ତ୍ରୀ ହୋଇ ସ୍ତମ୍ଭ ଲେଖିବି। ୟୁପିଏ ଅମଳରେ ଅର୍ଥମନ୍ତ୍ରୀ ଭାବେ କାମ କରିଥିବା ଚିଦମ୍ବରମ୍‌ଙ୍କୁ ଜେଟ୍‌ଲି ‘ନୀତି ନିର୍ଧାରଣ ସ୍ଥାଣୁତା’ କଥା ମନେ ପକାଇଦେଇଛନ୍ତି। ସମାଲୋଚକମାନଙ୍କ ମୁହଁ ବନ୍ଦ କରିବା ପାଇଁ ସେ କହିଛନ୍ତି ଯେ ଅର୍ଥନୀତିକୁ ଠିକ୍‌ ବାଟକୁ ଆଣିବା ପାଇଁ ଦୁର୍ନୀତିର ମୁକାବିଲା କରିବା ପାଇଁ ସରକାର ଅନେକ ପଦକ୍ଷେପ ଗ୍ରହଣ କରିଛନ୍ତି। ଆମ ସରକାର ନିଷ୍ପତ୍ତି ଗ୍ରହଣ କରୁଛି ବୋଲି ଜେଟ୍‌ଲି କହିଛନ୍ତି। କଂଗ୍ରେସକୁ ଭର୍ତ୍ସନା କରି ଜେଟ୍‌ଲି କହିଛନ୍ତି ଯେ ଯେଉଁମାନେ କେନ୍ଦ୍ର ସ୍ଥଳରେ ରହୁଥିଲେ ଏବେ ସେମାନେ ସେ ସ୍ଥାନ ଛାଡ଼ି ଅନ୍ୟ ଦଳ ପାଇଁ ଚିୟର ଲିଡର୍‌ କାମ କରୁଛନ୍ତି। ଲେଖିଥିବା ସ୍ତମ୍ଭ ଉପରେ ପ୍ରତିକି୍ରୟା ମଗାଯିବାରୁ ଯଶୋବନ୍ତ ଆଜି କହିଥିଲେ ଯେ ଅର୍ଥନୀତିର ବିପର୍ଯ୍ୟୟ ପାଇଁ ୟୁପିଏକୁ ଦାୟୀ କରିବା ଠିକ୍‌ ହେବନାହିଁ।

ସମ୍ବନ୍ଧିତ ଖବର