‌କେନ୍ଦ୍ରର ୟୁ-ଟର୍ଣ୍ଣ: ଗହମ ରପ୍ତାନି ବନ୍ଦ, ଜି-୭ ଦେଶଙ୍କ ସମାଲୋଚନା

ନୂଆଦିଲ୍ଲୀ: ଦେଶରେ ଦରଦାମ ବୃଦ୍ଧି ପାଉଥିବାରୁ ସରକାର ଗହମ ରପ୍ତାନି ନିଷିଦ୍ଧ କରିଛନ୍ତି। ଏହି ନିଷେଧାଦେଶକୁ ତତ୍କାଳ ଲାଗୁ କରାଯାଇଛି। ଗତକାଲି ନିଷେଧାଦେଶ ସଂକ୍ରାନ୍ତ ବିଜ୍ଞପ୍ତି ଜାରି ହେବା ପୂର୍ବରୁ ଗହମ ରପ୍ତାନି ପାଇଁ ଯେଉଁ ଏଲ୍‌ଓସି ବା ଲେଟର ଅଫ କ୍ରେଡିଟ୍ ଜାରି କରାଯାଇଛି ତାହାକୁ ଅନୁମତି ଦିଆଯିବ ବୋଲି ସରକାର କହିଛନ୍ତି। ଏହାବ୍ୟତୀତ ଅନ୍ୟ ଦେଶର ଅନୁରୋଧ ମିଳିଲେ ସରକାର ଗହମ ରପ୍ତାନିକୁ ଅନୁମତି ଦେବେ ବୋଲି ବହିର୍ବାଣିଜ୍ୟ ମହାନିର୍ଦ୍ଦେଶାଳୟ ପକ୍ଷରୁ ଜାରି ବିଜ୍ଞପ୍ତିରେ କୁହାଯାଇଛି। ଦେଶର ଖାଦ୍ୟ ସୁରକ୍ଷା ଏବଂ ପଡ଼ୋଶୀ ଦେଶ ସହିତ ଖାଦ୍ୟାଭାବର ସମ୍ମୁଖୀନ ହୋଇଥିବା ଦେଶର ଆବଶ୍ୟକତା ପୂରଣ ପାଇଁ ଭାରତ ଏଭଳି ନିଷ୍ପତ୍ତି ନେଇଛି ବୋଲି ସରକାର କହିଛନ୍ତି।

ଚଳିତ ସପ୍ତାହରେ ସରକାର ଅଧିକ ଗହମ ରପ୍ତାନି ପାଇଁ ନିଷ୍ପତ୍ତି ନେଇଥିଲେ। ମରକୋ, ଟ୍ୟୁନିସିଆ, ଇଣ୍ଡୋନେସିଆ, ଫିଲିପାଇନ୍ସ, ଥାଇଲାଣ୍ଡ, ଭିଏତନାମ, ତୁର୍କୀ, ଆଲଜେରିଆ ଏବଂ ଲେବାନନ ଆଦି ଦେଶକୁ ବାଣିଜ୍ୟ ପ୍ରତିନିଧିମାନଙ୍କୁ ସରକାର ପଠାଇ ସେଠାକୁ ଗହମ ରପ୍ତାନି ବୃଦ୍ଧିର ସମ୍ଭାବନା ସଂପର୍କରେ ଅନୁଧ୍ୟାନ କରିବେ ବୋଲି କହିଥିଲେ। ୨୦୨୨-୨୩ ବର୍ଷ ପାଇଁ ଭାରତ ୧୦ ନିୟୁତ ଟନର ଗହମ ରପ୍ତାନି ଲକ୍ଷ୍ୟ ରଖିଥିଲା। ରୁଷ-ୟୁକ୍ରେନ ଯୁଦ୍ଧ ଯୋଗୁ ସେହି ଅଞ୍ଚଳରୁ ଗହମ ରପ୍ତାନି ବାଧାପ୍ରାପ୍ତ ହୋଇଥିବାରୁ ଭାରତ ଏହାର ସୁଯୋଗ ନେବାକୁ ବସିଥିଲା। ଗହମ ଆମଦାନିକାରୀ ରାଷ୍ଟ୍ରଙ୍କ ଆସ୍ଥା ଭାଜନ ହେବା ପାଇଁ ମାନ ବଜାୟ ରଖିବା ପାଇଁ ଚାଷୀ, ବ୍ୟବସାୟୀ ଓ ରପ୍ତାନିକାରୀଙ୍କୁ ସରକାର ପରାମର୍ଶ ଦେଇଥିଲେ। ଏହା ପୂର୍ବରୁ ମଧ୍ୟ ଦେଶର ଖାଦ୍ୟ ସଚିବ ସୁଧାଂଶୁ ପାଣ୍ଡେ କହିଥିଲେ ଦେଶରେ ପର୍ଯ୍ୟାପ୍ତ ମାତ୍ରାର ଗହମ ଗଚ୍ଛିତ ରହିଛି। ତେଣୁ ଗହମ ରପ୍ତାନି ଉପରେ କଟକଣା ଜାରି ହେବାର ଯୋଜନା ନାହିଁ। ନିକଟରେ ଜର୍ମାନୀ ଗସ୍ତରେ ଥିବାବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଥିଲେ, ବିଶ୍ବରେ ଗହମ ଅଭାବ ଦେଖାଦେଇଥିବାବେଳେ ଭାରତୀୟ କୃଷକମାନେ ବିଶ୍ବବାସୀଙ୍କୁ ଖାଦ୍ୟ ଯୋଗାଇବାକୁ ଆଗେଇ ଆସିଛନ୍ତି। ମାନବ ଜାତି ଯେତେବେଳେ ସମସ୍ୟାରେ ପଡ଼ିଥାଏ ଭାରତ ସେତେବେଳେ ସମାଧାନ ଯୋଗାଇ ଥାଏ ବୋଲି ସେ କହିଥିଲେ। କିନ୍ତୁ ସରକାର ଏବେ ଗହମ ରପ୍ତାନି ପ୍ରସଙ୍ଗରେ ୟୁ-ଟର୍ଣ୍ଣ ନେଇଛନ୍ତି। ଭାରତ ବିଶ୍ବର ଦ୍ବିତୀୟ ବୃହତ୍‌ ଗହମ ଉତ୍ପାଦନକାରୀ ଦେଶ। ତେଣୁ ବର୍ତ୍ତମାନ ସ୍ଥିତିରେ ବିଭିନ୍ନ ଦେଶ ଚାହିଦା ପୂରଣ ପାଇଁ ଭାରତ ଉପରେ ନିର୍ଭର କରୁଛନ୍ତି। ଅନ୍ୟପକ୍ଷ‌ରେ ମାର୍ଚ୍ଚରେ ତାପମାତ୍ରା ଅଧିକ ରହିବା କାରଣରୁ ଚଳିତବର୍ଷ ଗହମ ଚାଷ ବାଧାପ୍ରାପ୍ତ ହୋଇଛି। ଏଥିସହିତ ଏପ୍ରିଲରେ ଦେଶର ଖୁଚୁରା ମୁଦ୍ରାସ୍ଫୀତି ୭.୭୯ ପ୍ରତିଶତକୁ ବୃଦ୍ଧି ପାଇ ୮ ବର୍ଷର ସର୍ବୋଚ୍ଚ ସ୍ତରରେ ପହଞ୍ଚିବା ମଧ୍ୟ ସରକାରଙ୍କୁ ଚିନ୍ତାରେ ପକାଇଛି। ଗତ ୫ ବର୍ଷ ହେଲା ଭାରତ ରେକର୍ଡ ଗହମ ଉତ୍ପାଦନ କରୁଥିଲା। ଚଳିତବର୍ଷ ଭାରତର ଗହମ ଉତ୍ପାଦନ ୧୧୧.୩ ନିୟୁତ ଟନ ରହିବ ବୋଲି ସରକାର ଗତ ଫେବ୍ରୁଆରିରେ ଆକଳନ କରିଥିଲେ। କିନ୍ତୁ ଏହା ୧୦୫ ନିୟୁତ ଟନକୁ ହ୍ରାସ ପାଇବ ବୋଲି ଏବେ ଆକଳନ କରାଯାଉଛି।

ଜି-୭ ଦେଶଙ୍କ ସମାଲୋଚନା
ନୂଆଦିଲ୍ଲୀ: ଗହମ ରପ୍ତାନି ଉପରେ ଭାରତ ସରକାରଙ୍କ କଟକଣାକୁ ଜି-୭ ଦେଶଗୁଡ଼ିକ ସମାଲୋଚନା କରିଛନ୍ତି। ଯଦି ପ୍ରତ୍ୟେକ ଦେଶ ରପ୍ତାନି ଉପରେ କଟକଣା ଲଗାଇବା ଆରମ୍ଭ କରିବେ କିମ୍ବା ସେମାନଙ୍କ ବଜାରକୁ ବନ୍ଦ କରିଦେବେ ତା’ହେଲେ ଏହା ସମସ୍ୟାକୁ ଅଧିକ ଜଟିଳ କରିଦେବ‌ ବୋଲି ଜର୍ମାନୀର କୃଷିମନ୍ତ୍ରୀ ସେମ୍‌ ‌ଓଜଡେମିର ଆଜି ଷ୍ଟଟଗାର୍ଟଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି। ବର୍ତ୍ତମାନର ଜଟିଳ ମୁହୂର୍ତ୍ତରେ କୌଣସି ଦେଶ କଟକଣାମୂଳକ ପଦକ୍ଷେପ ନନେବା ପାଇଁ ଜି-୭ ଦେଶର କୃଷିମନ୍ତ୍ରୀମାନେ ବିଶ୍ବକୁ ଆହ୍ବାନ କରିଛନ୍ତି। ଭାରତ ଜି-୨୦ର ସଦସ୍ୟଭାବେ ତାହାର ଦାୟିତ୍ବ ନିଭାଉ ବୋଲି ଜର୍ମାନୀ କୃଷିମନ୍ତ୍ରୀ କହିଛନ୍ତି। ଆସନ୍ତା ଜୁନରେ ଜର୍ମାନୀରେ ଜି-୭ର ଶୀର୍ଷ ବୈଠକ ହେବ। ସେହି ବୈଠକରେ ଏହି ପ୍ରସଙ୍ଗର ଆଲୋଚନା ପାଇଁ ଜି-୭ କୃଷିମନ୍ତ୍ରୀମାନେ ସୁପାରିସ କରିବେ। ଜି-୭ ଶୀର୍ଷ ବୈଠକରେ ଯୋଗଦେବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଆମନ୍ତ୍ରଣ କରାଯାଇଛି।

ସମ୍ବନ୍ଧିତ ଖବର