ନୂଆଦିଲ୍ଲୀ,: ହରିଦ୍ୱାର ସେ ହର୍ ଦ୍ୱାର୍ ତକ୍ ବା ହରିଦ୍ୱାରରୁ ପ୍ରତ୍ୟେକ ଦ୍ୱାର ପର୍ଯ୍ୟନ୍ତ ନିଜର ଉତ୍ପାଦ ପହଞ୍ଚାଇବା ପାଇଁ ପତଞ୍ଜଳି ଆୟୁର୍ବେଦ ଇ-କମର୍ସ କମ୍ପାନିଙ୍କ ସହିତ ସହଯୋଗିତା ସ୍ଥାପନ କରିଛି। ଅନ୍ଲାଇନ୍ରେ ଉତ୍ପାଦ ବିକ୍ରିର ପରୀକ୍ଷଣ ସମୟରେ କମ୍ପାନିକୁ ଭଲ ଫଳାଫଳ ମିଳିଛି। ଗତ ଡିସେମ୍ବରରେ କମ୍ପାନି ଅନ୍ଲାଇନ୍ରେ ୧୦ କୋଟି ଟଙ୍କାର ସାମଗ୍ରୀ ବିକ୍ରି କରିଛି, ଗୋଟିଏ ମାସରେ କୌଣସି ଏକ ଏଫ୍ଏମ୍ସିଜି କମ୍ପାନିର ଅନ୍ଲାଇନ୍ ବିକ୍ରି କ୍ଷେତ୍ରରେ ଏହା ସର୍ବାଧିକ ବୋଲି ପତଞ୍ଜଳି କହିଛି। ଏହାକୁ ଦୃଷ୍ଟିରେ ରଖି କମ୍ପାନି ଏ କ୍ଷେତ୍ରରେ ଆଉ ଏକ ପାଦେ ଆଗକୁ ବଢ଼ିଛି। ପ୍ରମୁଖ ଅନ୍ଲାଇନ୍ କମ୍ପାନି ସହିତ ପତଞ୍ଜଳି ଏ ନେଇ ରାଜିନାମା କରିବା ସହିତ ସେମାନଙ୍କୁ ପତଞ୍ଜଳି ଉତ୍ପାଦର ଅନ୍ଲାଇନ୍ ବିକ୍ରି ଅନୁମତି ପ୍ରଦାନ କରିଛି।
କମ୍ପାନି ଆଗାମୀ ନଭେମ୍ବର ବା ଦୀପାବଳି ସୁଦ୍ଧା ଗ୍ରାହକଙ୍କ ପାଇଁ ପୋଷାକ ଓ ଜୋତା ଉପଲବ୍ଧ କରାଇବା ଯୋଜନା ରଖିଛି। ପତଞ୍ଜଳି ପରିଧାନ ନେଇ କାର୍ଯ୍ୟ ଆରମ୍ଭ ହୋଇଯାଇଛି। ଏସବୁ ଉତ୍ପାଦକୁ ଚଳିତବର୍ଷ ନଭେମ୍ବର କିମ୍ବା ଆସନ୍ତା ଜାନୁଆରି ସୁଦ୍ଧା ଉପଲବ୍ଧ କରାଯିବ ବୋଲି ରାମଦେବ ସାମ୍ବାଦିକମାନଙ୍କ ସହ କଥାବାର୍ତା ବେଳେ କହିଛନ୍ତି। କମ୍ପାନି ପ୍ରାୟ ୩୦୦୦ ପ୍ରକାରର ପୋଷାକ ଆଣିବ। ଏଥିରେ ପିଲାମାନଙ୍କ ପୋଷାକ, ଯୋଗପୋଷାକ ଏବଂ ଖେଳପୋଷାକ ଆଦି ରହିବ ବୋଲି ସେ କହିଛନ୍ତି। ରାମଦେବ କହିଛନ୍ତି ଯେ, ପାରମ୍ପରିକ ରିଟେଲ ମାର୍କେଟ ସହିତ ଗ୍ରାହକଙ୍କୁ ଅନ୍ଲାଇନ୍ ମାଧ୍ୟମରେ ସହଜରେ ଏବଂ ଭଲଭାବରେ ଉତ୍ପାଦ ଯୋଗାଇ ଦେବା ଲାଗି ଏହା କରାଯାଇଛି। ନୀତି ଏବଂ ବ୍ୟବସାୟିକ ନୈତିକତାରେ ସାଲିସ ନକରି ପତଞ୍ଜଳି ଏହାର ଉତ୍ପାଦକୁ ପ୍ରତ୍ୟେକ ଘରେ ପହଞ୍ଚାଇବା ଲାଗି ଉଦ୍ୟମ କରିଛି ବୋଲି ସେ କହିଛନ୍ତି। ଦୈନିକ ୧ ନିୟୁତ ଅର୍ଡର ହାସଲ କରି ଉତ୍ପାଦ ବିକ୍ରି କରିବା ଲାଗି ଏକ ବାତାବରଣ ପତଞ୍ଜଳି ସୃଷ୍ଟି କରିଛି। ଆଗାମୀ ଦିନରେ କମ୍ପାନିର ମୋଟ ବିକ୍ରିରେ ଅନ୍ଲାଇନ୍ ବିକ୍ରିର ଅଂଶଧନ ୧୫ ପ୍ରତିଶତ ରହିବ ବୋଲି ସଂସ୍ଥା ପକ୍ଷରୁ ଆକଳନ କରାଯାଇଛି।
ଅନ୍ଲାଇନ୍ରେ ମିଳିବ ପତଞ୍ଜଳି ଉତ୍ପାଦ
/sambad/media/post_attachments/wp-content/uploads/2018/01/patanjali-17.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)