ନୂଆଦିଲ୍ଲୀ: ଦୁର୍ନୀତିଗ୍ରସ୍ତ ଟିକସ ଅଧିକାରୀଙ୍କ ବିରୋଧରେ କେନ୍ଦ୍ର ସରକାର କଠୋର କାର୍ଯ୍ୟାନୁଷ୍ଠାନ ଜାରି ରଖିଛନ୍ତି। ଆଉ ୨୧ ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କୁ ସରକାର ବାଧ୍ୟତାମୂଳକ ଅବସର ପ୍ରଦାନ କରିଛନ୍ତି। ଏହା ପୂର୍ବରୁ ଚାରି ଥର ଏଭଳି ପଦକ୍ଷେପ ଗ୍ରହଣ କରି ଅନେକ ଟିକସ ଅଧିକାରୀଙ୍କୁ ବିଦା କରାଯାଇଛି। ଏଥର ବିଦା ହୋଇଥିବା ଅଧିକାରୀମାନେ ମୁମ୍ବାଇ, ଥାନେ, ବିଶାଖାପାଟଣା, ହାଇଦ୍ରାବାଦ, ରାଜମୁଣ୍ଡାରି, ହଜାରିବାଗ, ନାଗପୁର, ରାଜକୋଟ, ଯୋଧପୁର, ମାଧୋପୋର, ବିକାନେର, ଭୋପାଳ ଓ ଇନ୍ଦୋରରେ କାର୍ଯ୍ୟ କରୁଥିଲେ। ଆୟକର ଓ କଂପାନି ଟିକସ ଆଦାୟ ଦାୟିତ୍ବରେ ଥିବା କେନ୍ଦ୍ରୀୟ ପ୍ରତ୍ୟକ୍ଷ କର ବୋର୍ଡ (ସିବିଡିଟି) ତରଫରୁ ୨୧ ଜଣ ଗ୍ରୁପ୍ ବି ଆୟକର ଅଧିକାରୀଙ୍କୁ ବିଦା କରାଯାଇଛି। ସେମାନଙ୍କ ବିରୋଧରେ ସାର୍ବଜନୀନ ସ୍ବାର୍ଥକୁ କ୍ଷତି ପହଞ୍ଚାଇବା, ଦୁର୍ନୀତି କରିବା, ଅନ୍ୟାନ୍ୟ ଅଭିଯୋଗ ଏବଂ ସିବିଆଇ ଦ୍ବାରା ଧରାପଡ଼ିବା ଭଳି ଅଭିଯୋଗ ରହିଥିଲା। ଚଳିତ ବର୍ଷ ଜୁନ୍ ପରଠାରୁ ଦୁର୍ନୀତିଗ୍ରସ୍ତ ଟିକସ ଅଧିକାରୀଙ୍କ ବିରୋଧରେ ସରକାର କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପ୍ରକ୍ରିୟା ଆରମ୍ଭ କରିଥିଲେ। ଇତି ମଧ୍ୟରେ ୮୫ ଜଣ ଅଧିକାରୀଙ୍କୁ ବିଦା କରାଯାଇଛି। ସେମାନଙ୍କ ମଧ୍ୟରେ ୬୪ ଜଣ ଉଚ୍ଚ ପଦସ୍ଥ କର୍ମଚାରୀ ଥିଲେ ଓ ୧୨ ଜଣ ସିବିଡିଟି ପାଇଁ କାର୍ଯ୍ୟ କରୁଥିଲେ।
ଶେଷ ଥର ଲାଗି ସେପ୍ଟେମ୍ବରରେ ପରୋକ୍ଷ ଟିକସ ଆଦାୟ କ୍ଷେତ୍ରରେ ସିବିଆଇସି ପାଇଁ କାର୍ଯ୍ୟ କରୁଥିବା ୧୫ ଜଣ ଅଧିକାରୀଙ୍କୁ ବିଦା କରାଯାଇଥିଲା। ଚଳିତ ବର୍ଷ ସ୍ବାଧୀନତା ଦିବସ ଅଭିଭାଷଣ ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଥିଲେ ଯେ, ଟିକସ ବିଭାଗରେ କାର୍ଯ୍ୟ କରୁଥିବା ଯେଉଁ ଅଧିକାରୀମାନେ ନିଜ ପଦବୀର ଅପବ୍ୟବହାର କରୁଛନ୍ତି ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ପ୍ରଧାନମନ୍ତ୍ରୀଙ୍କ ସେହି ବକ୍ତବ୍ୟ ଆଧାରରେ ଦୁର୍ନୀତିଗ୍ରସ୍ତ ଟିକସ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି।
ଅତୀତରେ ଯେଉଁ ସବୁ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ପ୍ରଦାନ କରାଯାଇଛି ସେମାନଙ୍କ ନାମରେ ସିବିଆଇ ମାମଲା ରୁଜୁ କରିଥିଲା। ଜଣେ ଅଧିକାରୀ ୫୦ ହଜାର ଟଙ୍କା ଲାଞ୍ଚ ଦେଇଥିବା ମାମଲା ମଧ୍ୟ ସାମ୍ନା ଆସିଥିଲା। ଥାନେର ଜଣେ ଅଧିକାରୀ ବ୍ୟାଙ୍କ ଲକର୍ରେ ୨୦ ଲକ୍ଷ ଟଙ୍କା ରଖିଥିବା ବେଳେ ନିଜ ପତ୍ନୀଙ୍କ ନାମରେ ୪୦ ଲକ୍ଷ ଟଙ୍କାର ସ୍ଥବର ଓ ଅସ୍ଥାବର ସମ୍ପତ୍ତି ରଖିଥିଲେ। ଗତ ଜୁନ୍ରେ ସିବିଆଇସିର ୧୫ ଆୟୁକ୍ତ ସ୍ତରର ଅଧିକାରୀଙ୍କୁ ବିଦା କରାଯାଇଥିଲା। ଏହା ପରେ ୧୨ ଜଣ ଆଇଆର୍ଏସ୍ ଅଧିକାରୀଙ୍କୁ ବିଦା କରାଗଲା। ଅଗଷ୍ଟରେ ୨୨ ଜଣ ସିବିଆଇସି ଅଧିକାରୀଙ୍କୁ ବିଦା କରାଯାଇଥିଲା।