ନୂଆଦିଲ୍ଲୀ: ଦେଶରେ ଟିକସଦାତାଙ୍କ ସଂଖ୍ୟା ବଢ଼ାଇବା ପାଇଁ ସରକାର ଆୟକର ବିଭାଗକୁ ଟାର୍ଗେଟ୍ ଦେଇଛନ୍ତି। ଆଉ ୧.୨୫ କୋଟି ନୂଆ ଟିକସଦାତାଙ୍କୁ ସାମିଲ କରିବାକୁ ଆୟକର ବିଭାଗକୁ କୁହାଯାଇଛି।
ଆୟକର ବିଭାଗର ସର୍ବୋଚ୍ଚ ନୀତି ନିର୍ଧାରଣକାରୀ ସଂସ୍ଥା କେନ୍ଦ୍ରୀୟ ପ୍ରତ୍ୟକ୍ଷ କର ବୋର୍ଡ (ସିବିଡିଟି) ପକ୍ଷରୁ ଆୟକର ବିଭାଗକୁ ୨୦୧୭-୧୮ ଆର୍ଥିକ ବର୍ଷରେ ଟିକସଦାତାଙ୍କ ସଂଖ୍ୟା ବଢ଼ାଇବା ପାଇଁ କୁହାଯାଇଛି। ଏହି ଲକ୍ଷ୍ୟ ଉପରେ ଗୁରୁତ୍ୱର ସହ କାମ କରିବାକୁ ନିର୍ଦେଶ ଦିଆଯାଇଛି।
ଯେଉଁମାନେ ଆଜି ପର୍ଯ୍ୟନ୍ତ କେବେ ବି ଆୟକର ରିଟର୍ଣ୍ଣ ଦାଖଲ କରିନାହାନ୍ତି, ସେଭଳି ୧.୨୫ କୋଟି ଟିକସଦାତାଙ୍କୁ ସାମିଲ କରିବାକୁ ଆୟକର ବିଭାଗ ପକ୍ଷରୁ କୁହାଯାଇଛି। ଯେଉଁମାନେ ଯୋଗ୍ୟ କିନ୍ତୁ ଟିକସ ପ୍ରଦାନ କରୁନାହାନ୍ତି ସେମାନଙ୍କୁ ସାମିଲ କରିବା ଉପରେ ପ୍ରାଧାନ୍ୟ ଦିଆଯିବ। ଟିକସ ଅଧିକାରୀମାନେ ସେଭଳି ଲୋକମାନଙ୍କୁ ଟିକସ ପରିସରଭୁକ୍ତ କରିବେ ଏବଂ ସେମାନଙ୍କୁ ଆୟକର ରିଟର୍ଣ୍ଣ ଦାଖଲ କରିବାକୁ କହିବେ।
ହାଇଦ୍ରାବାଦ ଏବଂ ପୁନେର ଟିକସ ଅଧିକାରୀମାନଙ୍କୁ ଅଧିକ ଟାର୍ଗେଟ୍ ଦିଆଯାଇଛି। ହାଇଦ୍ରାବାଦକୁ ୧୨.୮ ଲକ୍ଷ ଟିକସଦାତାଙ୍କୁ ଯୋଡ଼ିବାର ଦାୟିତ୍ୱ ଦିଆଯାଇଥିବା ବେଳେ ପୁନେକୁ ୧୧.୮ ଲକ୍ଷ ଟିକସଦାତାଙ୍କୁ ସାମିଲ କରିବାକୁ କୁହାଯାଇଛି। ଏହା ବାଦ ଚେନ୍ନାଇକୁ ୧୦.୪୭ ଲକ୍ଷ ଏବଂ ଚଣ୍ଡିଗଡ଼କୁ ୧୦.୪୧ ଲକ୍ଷ ନୂଆ ଟିକସଦାତା ଯୋଡ଼ିବାକୁ କୁହାଯାଇଛି।
ଏକ ସଂଗଠିତ ଅର୍ଥନୀତି ବିଶିଷ୍ଟ ଦେଶରେ ଟିକସଦାତାଙ୍କ ସଂଖ୍ୟା ଏକ ଉତ୍ତମ ସ୍ତରରେ ରହିବା ଦରକାର। ମାତ୍ର ଭାରତ ଏ କ୍ଷେତ୍ରରେ ବହୁତ ପଛରେ ରହିଛି। ଟିକସଦାତାଙ୍କ ସଂଖ୍ୟା ବଢ଼ାଇ ଅର୍ଥନୀତିକୁ ଅଧିକ ସଂଗଠିତ କରିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି। ଏହା ଜରିଆରେ ଟିକସ ଠକଙ୍କ ପରିମାଣ କମ୍ ହୋଇପାରିବ। ଅଧିକ ଲୋକ ଟିକସକୁ ନେଇ ସଚେତନ ହୋଇପାରିବେ ବୋଲି ସରକାର ଆଶା ରଖିଛନ୍ତି।
ଆୟକରଦାତା ସଂଖ୍ୟା ବଢ଼ାଇବା ପାଇଁ ବିଭାଗକୁ ଟାର୍ଗେଟ୍
/sambad/media/post_attachments/wp-content/uploads/2017/09/it.jpg)