ନୂଆଦିଲ୍ଲୀ: ବିନା ଟିକସର ଦେଶ ଭାବେ ସମଗ୍ର ବିଶ୍ୱରେ ଜଣାଶୁଣା ଉପସାଗରୀୟ ଦେଶଗୁଡ଼ିକରେ ଟିକସ ଲଗାଇବା ଯୁଗ ଆରମ୍ଭ ହୋଇଛି। ତେଲରୁ ହେଉଥିବା ଆୟ ବହୁତ କମିଯିବା ପରେ ଅର୍ଥନୀତିକୁ ବଞ୍ଚାଇ ରଖିବା ପାଇଁ ଉପସାଗରୀୟ ଦେଶଗୁଡ଼ିକ ଟିକସ ଲଗାଇବାକୁ ବାଧ୍ୟ ହୋଇଛନ୍ତି। ପ୍ରଥମ ରାଷ୍ଟ୍ର ଭାବେ ୟୁଏଇ ପକ୍ଷରୁ ତମାଖୁ ଏବଂ ମୃଦୁ ପାନୀୟ ଉପରେ ଟିକସ ଲଗାଇବା ଆରମ୍ଭ କରାଯାଇଛି। ଏହି ରାଷ୍ଟ୍ର ଜାନୁଆରି ପରଠାରୁ ୫% ହାରରେ ଭାଟ୍ ଲାଗୁ କରିବ। ଉପସାଗରୀୟ ରାଷ୍ଟ୍ର ସମୂହରେ ଥିବା ୬ଟି ରାଷ୍ଟ୍ର ମଧ୍ୟରୁ ଏଭଳି ଟିକସ ପଦକ୍ଷେପ ଗ୍ରହଣ କରିବାରେ ୟୁଏଇ ଆଗରେ ରହିଛି। ସାଉଦି ଆରବ ମଧ୍ୟ ଆସନ୍ତା ବର୍ଷ ଜାନୁଆରି ପହିଲାରୁ ଭାଟ୍ ଲାଗୁ କରିବ ବୋଲି ପ୍ରକାଶ କରିଛି। ଅନ୍ୟ ଆରବ ଦେଶ ଯଥା ବାହାରେନ୍, କୁଏତ୍, ଓମାନ୍ ଏବଂ କତାର୍ ମଧ୍ୟ ଟିକସ ଲଗାଇବାକୁ ବାଧ୍ୟ ହେବେ ବୋଲି ବିଶେଷଜ୍ଞମାନେ ପୂର୍ବାନୁମାନ କରିଛନ୍ତି। ୨୦୧୪ ପରଠାରୁ ଅଶୋଧିତ ତୈଳ ମୂଲ୍ୟରେ ବଡ଼ ଧରଣର ହ୍ରାସ ହେବା ପରେ ସେଥିରେ ଆଉ ସୁଧାର ହେଉନାହିଁ। ସାରା ବିଶ୍ୱ ସ୍ୱଚ୍ଛ ଇନ୍ଧନ ଆଡ଼କୁ ମୁହାଁଉଥିବାରୁ ପେଟ୍ରୋଲ୍ ଏବଂ ଡିଜେଲ୍ର ଭବିଷ୍ୟତ ମଧ୍ୟ ଏତେଟା ଭଲ ନାହିଁ। ତେଣୁ ନିଜ ଦେଶର ଅର୍ଥନୀତିକୁ ଯେ କୌଣସି ଉପାୟରେ ବଞ୍ଚାଇ ରଖିବା ପାଇଁ ଉପସାଗରୀୟ ରାଷ୍ଟ୍ରଗୁଡ଼ିକ ଟିକସ ଲଗାଇବା ଆରମ୍ଭ କରିଛନ୍ତି।
ଉପସାଗରୀୟ ଦେଶରେ ଟିକସ ଯୁଗ ଆରମ୍ଭ
/sambad/media/post_attachments/wp-content/uploads/2017/10/tax.jpg)