ଭୁବନେଶ୍ବର: ଏକ ପ୍ରମୁଖ ଲୁହାପଥର ଖଣିକୁ କଂପାନି ପାଇଁ ସଂରକ୍ଷିତ ରଖିବାକୁ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ଏନ୍ଏମ୍ଡିସି ରାଜ୍ୟ ସରକାରଙ୍କୁ ଅନୁରୋଧ କରିଛି। ୨୦୦ ନିୟୁତ ଟନ୍ରୁ ଅଧିକ ଲୁହା ପଥର ଗଚ୍ଛିତ ଥିବା ଖଣି ସଂରକ୍ଷିତ ରଖିବାକୁ ଏନ୍ଏମ୍ଡିସି କହିଛି। ଖଣ୍ଡାଧାର, ମଲାଙ୍ଗଟୋଲି, ମାଙ୍କଡ଼ନଚା, ରାମ୍କା କିମ୍ବା ପାଣ୍ଡୁଲିପୋଷି ମଧ୍ୟରୁ ଯେକୌଣସି ଗୋଟିଏ ଖଣି ପ୍ରଦାନ କରିବାକୁ କଂପାନିର ପରିଚାଳନା କର୍ତ୍ତୃପକ୍ଷ ରାଜ୍ୟ ସରକାରଙ୍କୁ ଅନୁରୋଧ କରିଥିବା ଜଣାପଡ଼ିଛି।
ଖଣ୍ଡାଧାର ଲୁହା ପଥର ଖଣି ସବୁଠାରୁ ବଡ଼ ହୋଇଥିବା ବେଳେ ଏହାର ଆକାର ହେଉଛି ୬୮ ବର୍ଗ କିଲୋମିଟର। ସେହିଭଳି ମଲାଙ୍ଗଟୋଲି ଖଣିର ଆକାର ହେଉଛି ୫୨ ବର୍ଗ କିଲୋମିଟର। ଖଣି ଓ ଖଣିଜ (ବିକାଶ ଓ ନିୟାମକ) ନିୟମର ଧାରା ୧୭ ଅନୁଯାୟୀ, ଏକ ଖଣି ସଂରକ୍ଷିତ ରଖିବାକୁ କଂପାନି ସରକାରଙ୍କୁ କହିଛି। କଂପାନିର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦେଶକ ଏନ୍ ବୈଜେନ୍ଦ୍ର କୁମାର କହିଛନ୍ତି, ବଡ଼ ଖଣି ମିଳିଲେ ଆମେ ବୃହତ ଲୁହାପଥର ପ୍ରକଳ୍ପ ସ୍ଥାପନ କରିପାରିବୁ।
୨୦୨୫ ସୁଦ୍ଧା ଦେଶ ଭିତରେ ୩୦୦ ନିୟୁତ ଟନ୍ ଇସ୍ପାତ ଉତ୍ପାଦନ କରିବାକୁ କେନ୍ଦ୍ର ସରକାର ଲକ୍ଷ୍ୟ ରଖିଥିବା ବେଳେ ଏହି ଲକ୍ଷ୍ୟ ହାସଲ କରିବା ନିମନ୍ତେ ଅଧିକ ପରିମାଣର ଲୁହା ପଥର ଉତ୍ପାଦନ କରିବାକୁ କେନ୍ଦ୍ରୀୟ ସରକାରୀ ସଂସ୍ଥାଗୁଡ଼ିକୁ କୁହାଯାଇଛି। କିଛି ବର୍ଷ ହେଲାଣି ଓଡ଼ିଶାର ଏକ ଖଣି ପାଇବାକୁ ଉଦ୍ୟମ କରୁଥିବା ଏନ୍ଏମ୍ଡିସି ୨୦୦ ନିୟୁତ ଟନ୍ ଲୁହାପଥର ଗଚ୍ଛିତ ଥିବା ବଡ଼ ଖଣି ପାଇବାକୁ ଚାହୁଛି। ୨୦୨୫ ସୁଦ୍ଧା କଂପାନି ନିଜର ଲୁହାପଥର ଉତ୍ପାଦନ କ୍ଷମତାକୁ ୬୭ ନିୟୁତ ଟନ୍କୁ ବଢ଼ାଇବାକୁ ଚାହୁଛି। ୧୯୭୨ ମସିହାରେ ଏନ୍ଏମ୍ଡିସିକୁ ମଲାଙ୍ଗଟୋଲି ଖଣି ମିଳିଥିଲା। ମାତ୍ର ଭିତ୍ତିଭୂମି ଅଭାବ ଯୋଗୁ ତାହା କାର୍ଯ୍ୟକାରୀ ହୋଇପାରିନଥିଲା। ବର୍ତ୍ତମାନ, ସ୍ଥିତିରେ ଉନ୍ନତି ହୋଇଥିବାରୁ କଂପାନି ବୃହତ ଲୁହାପଥର ପ୍ରକଳ୍ପ ପ୍ରତିଷ୍ଠା କରିବାକୁ ଆଗ୍ରହ ପ୍ରକାଶ କରିଛି। ରାଜ୍ୟ ସରକାରଙ୍କ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଯଦି ଓଡ଼ିଶାରେ ବିପୁଳ ପରିମାଣର ପୁଞ୍ଜିନିବେଶ କରିବାକୁ ଏନ୍ଏମ୍ଡିସି ପ୍ରତିଶ୍ରୁତି ଦେବ ତେବେ ଏହାକୁ ଲୁହା ପଥର ଖଣି ଦେବା ଉପରେ ସରକାର ବିଚାର କରିପାରିବେ। ଓଏମ୍ସି ସହିତ ମିଶି କଂପାନି ଏକ ଯୌଥ ଉଦ୍ୟୋଗ ସ୍ଥାପନ କରୁ ବୋଲି ଓଡ଼ିଶା ସରକାର ଚାହୁଛନ୍ତି।