ଖାଉଟିଙ୍କୁ ନୂଆ ବର୍ଷ ଭେଟି, ଶସ୍ତା ହେଲା ଏଲପିଜି ସିଲିଣ୍ଡର

ନୂଆଦିଲ୍ଲୀ : ରାଷ୍ଟ୍ରାୟତ ତେଲ କମ୍ପାନିମାନେ ଦେଶର ସାଧାରଣ ଖାଉଟିଙ୍କ ପାଇଁ ନୂଆ ବର୍ଷ ଭେଟି ଘୋଷଣା କରିଛନ୍ତି । ସବସୀଡି ଯୁକ୍ତ ୧୪.୨ କିଲୋଗ୍ରାମ ଏଲପିଜି ସିଲିଣ୍ଡର ଦର ୫ଟଙ୍କା ୯୧ ପଇସା ହ୍ରାସ କରାଯାଇଥିବାବେଳେ ଅଣସବସୀଡି ସିଲିଣ୍ଡର ଦର ୧୨୦ ଟଙ୍କା ୫୦ ପଇସା ହ୍ରାସ କରାଯାଇଛି । ଏହି ହ୍ରାସ ପରେ ଦିଲ୍ଲୀରେ ଅଣସବସୀଡି ସିଲିଣ୍ଡର ଦର ଟ.୪୯୪.୯୯କୁ ହ୍ରାସ ପାଇଥିବାବେଳେ ଅଣସବସୀଡି ସିଲିଣ୍ଡର ଦର ଟ.୬୮୯ ଟଙ୍କାକୁ ହ୍ରାସ ପାଇଛି ।

ଗତ ଡିସେମ୍ବର ୧ ତାରିଖରେ ମଧ୍ୟ ରୋଷେଇ ଗ୍ୟାସ ସିଲିଣ୍ଡର ଦର ହ୍ରାସ ପାଇଥିଲା । ଅଣସବସୀଡି ସିଲିଣ୍ଡର ଦର ୧୩୩ ଟଙ୍କା ହ୍ରାସ ପାଇଥିଲା । ଗତ ଜୁନ ମାସଠାରୁ କ୍ରମାଗତ ଏଲପିଜି ସିଲିଣ୍ଡର ଦର ବୃଦ୍ଧି ପାଇଚାଲିଥିବାରୁ ସାରା ଦେଶରେ ଅସନ୍ତୋଷ ଦେଖାଦେଇଥିଲା । ଜୁନଠାରୁ ଡିସେମ୍ବର ମଧ୍ୟରେ କ୍ରମାଗତ ୬ ଥର ଏଲପିିଜିର ଦରବୃଦ୍ଧି କରାଯାଇଥିଲା । ଅନ୍ତର୍ଜାତୀୟ ସ୍ତରରେ ତେଲଦର ବୃଦ୍ଧି ଓ ଡଲାର ତୁଳନାରେ ଟଙ୍କା ଦୁର୍ବଳ ହେବା ଫଳରେ ତେଲ କମ୍ପାନିମାନେ ଦର ବୃଦ୍ଧି କରିଥିଲେ । ଏବେ ତେଲଦର କମୁଥିବାରୁ ଓ ଡଲାର ତୁଳନାରେ ଟଙ୍କା ସୁଦୃଢ ହୋଇଥିବାରୁ ଏଲପିଜି ଦର କମାଯାଇଛି ବୋଲି ତେଲ କମ୍ପାନିମାନେ କହିଛନ୍ତି ।

ସମ୍ବନ୍ଧିତ ଖବର