ନୂଆଦିଲ୍ଲୀ: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆସନ୍ତା ୧ ତାରିଖରେ ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ବଜେଟ୍ ଆଗତ କରିବେ। ଅର୍ଥନୀତିରେ ଏବେ ମାନ୍ଦାବସ୍ଥା ଲାଗି ରହିଥିବାରୁ ସ୍ଥିତିରେ ଉନ୍ନତି ଆଣିବା ପାଇଁ ଅର୍ଥମନ୍ତ୍ରୀ କେତେଗୁଡ଼ିଏ ସୁଧାରଧର୍ମୀ ଘୋଷଣା କରି ଅଭିବୃଦ୍ଧି, ନିବେଶ ଏବଂ ବ୍ୟୟରେ ଉନ୍ନତି ଆଣିବା ଲାଗି ପଦକ୍ଷେପ ନେବେ ବୋଲି ଆଶା ରହିଛି। ଆର୍ଥିକ ଦୃଷ୍ଟିରୁ ସରକାରଙ୍କ ନିକଟରେ ଯଦିଓ ସେତେଟା ସୁଯୋଗ ନାହିଁ ତଥାପି ଅର୍ଥମନ୍ତ୍ରୀ ନିବେଶକଙ୍କୁ କିଛିଟା ରିହାତି ଏବଂ ଗ୍ରାହକଙ୍କୁ ପ୍ରୋତ୍ସାହନ ଦେବେ ବୋଲି ଅର୍ଥନୀତିଜ୍ଞମାନେ ମତ ଦେଉଛନ୍ତି।
ଦୀର୍ଘମିଆଦି ପୁଞ୍ଜିଲାଭ ଟିକସ ପ୍ରତ୍ୟାହାର: ପୁଞ୍ଜି ବଜାରର ନିବେଶକମାନେ ଦୀର୍ଘମିଆଦି ପୁଞ୍ଜି ଲାଭ ଟିକସକୁ ଅର୍ଥମନ୍ତ୍ରୀ ବଜେଟରେ ପ୍ରତ୍ୟାହାର କରିବେ ବୋଲି ଆଶା ରଖିଛନ୍ତି। ୧୪ ବର୍ଷର ବ୍ୟବଧାନ ପରେ ୨୦୧୮ ଫେବ୍ରୁଆରି ୧ ତାରିଖରେ ସରକାର ଏହି ଟିକସର ପୁନଃପ୍ରଚଳନ କରିଥିଲେ। ତେବେ ଏହାକୁ ପ୍ରତ୍ୟାହାର କରିଲେ ଷ୍ଟକ୍, ବଣ୍ଡ୍ ଆଦି କ୍ରୟରେ ନିବେଶକଙ୍କ ଆଗ୍ରହ ଫେରିବ। ଏହି ଟିକସକୁ ପୁନଃଲାଗୁ କରିବା ଦ୍ବାରା ସରକାରଙ୍କୁ ସେତେଟା ଅଧିକ ରାଜସ୍ବ ମଳିନାହିଁ। କିନ୍ତୁ ଅନ୍ୟପକ୍ଷରେ ନିବେଶକଙ୍କ ମନୋଭାବ ଖରାପ ହୋଇଯାଇଛି। ବମ୍ବେ ଷ୍ଟକ ଏକ୍ସଚେଞ୍ଜର ଏସ୍ ଆଣ୍ଡ ପି ଅଲ୍ କ୍ୟାପ୍ ସୂଚୀରେ ଥିବା ୯୦୦ କମ୍ପାନିଙ୍କ ମଧ୍ୟରୁ ପାଖାପାଖି ତିନି ଚତୁର୍ଥାଂଶ କମ୍ପାନିର ରିଟର୍ଣ୍ଣ ୨୦୧୮ ଏବଂ ୨୦୧୯ରେ ଋଣାତ୍ମକ ରହିଥିବାରୁ ସରକାର ଉପରୋକ୍ତ ଟିକସ ସମ୍ପର୍କରେ ପୁନର୍ବିଚାର କରିପାରନ୍ତି ବୋଲି ଅନୁମାନ କରାଯାଉଛି। ଷ୍ଟକ୍ ମାର୍କେଟରେ ପୁଞ୍ଜି ଖଟାଇଥିବା ବ୍ୟକ୍ତିମାନଙ୍କଠାରୁ ଏକାଧିକ ଟିକସ ଆଦାୟ କରାଯାଉଛି। ସେଗୁଡ଼ିକ ମଧ୍ୟରେ ସିକ୍ୟୁରିଟିଜ୍ କାରବାର ଟିକସ, ପୁଞ୍ଜି ଲାଭ ଟିକସ, ଷ୍ଟାମ୍ପ୍ ଡ୍ୟୁଟି ଆଦି ପ୍ରଦାନ କରୁଛନ୍ତି। ସରକାର ଏସବୁ ଟିକସକୁ ବ୍ୟବସ୍ଥିତ କରିଲେ ଅଧିକରୁ ଅଧିକ ନିବେଶକ ପୁଞ୍ଜି ଖଟାଇବେ।
ଗୃହ କ୍ରେତାଙ୍କୁ ପ୍ରୋତ୍ସାହନ: ମାନ୍ଦାବସ୍ଥା ସମୟରେ ଦେଶର ରିଅଲ୍ ଇଷ୍ଟେଟ୍ ଶିଳ୍ପ ଘୋର ସଙ୍କଟ ମଧ୍ୟରେ ରହିଛି। କୋଟି କୋଟି ଘର ନିର୍ମାଣ ହୋଇ ପଡ଼ି ରହିଥିଲେ ମଧ୍ୟ ସେଗୁଡ଼ିକୁ କିଣିବା ପାଇଁ ଗ୍ରାହକ ଆଗ୍ରହ ଦେଖାଉନାହାନ୍ତି। ରିଅଲ ଇଷ୍ଟେଟ ସଂସ୍ଥାକୁ ଋଣ ଦେଇଥିବା ବ୍ୟାଙ୍କ ଗୁଡ଼ିକ ମଧ୍ୟ ଏଥିଯୋଗୁ ଅସୁବିଧାରେ ଅଛନ୍ତି। ତେଣୁ ଅର୍ଥମନ୍ତ୍ରୀ ତାଙ୍କର ଆସନ୍ତା ବଜେଟ୍ରେ ଘର କିଣୁଥିବା ବ୍ୟକ୍ତିମାନଙ୍କୁ କିଛିଟା ପ୍ରୋତ୍ସାହନ ଦେଇ ଏହି ଶିଳ୍ପରେ ସୁଧାର ଆଣିବା ଲାଗି ଉଦ୍ୟମ କରିବେ ବୋଲି ବିଶେଷଜ୍ଞମାନେ ଆଶା ରଖିଛନ୍ତି। ଏହି ପ୍ରୋତ୍ସାହନ ଟିକସ ରିହାତି ଆକାରରେ ମଧ୍ୟ ଆସିପାରେ।
ଆୟକର ହ୍ରାସ: ଅର୍ଥନୀତିର ମୋଟ ଜିଡିପିରେ ବ୍ୟୟର ଯୋଗଦାନ ପ୍ରାୟ ୬୦ ପ୍ରତିଶ୍ରତ। ମାନ୍ଦାବସ୍ଥା କାରଣରୁ ଲୋକଙ୍କ ବ୍ୟୟ ପ୍ରଭାବିତ ହୋଇଛି। ବିଶେଷକରି ଲୋକମାନେ ଘର ଏବଂ କାର ଭଳି ସାମଗ୍ରୀ କ୍ରୟ କରିବାକୁ ପଛଘୁଞ୍ଚା ଦେଉଛନ୍ତି। ତେଣୁ ଅର୍ଥମନ୍ତ୍ରୀ ତାଙ୍କ ବଜେଟରେ ବ୍ୟକ୍ତିଗତ ଆୟକରରେ ଲୋକଙ୍କୁ କିଛିଟା ଛାଡ଼ ଦେଇ ବ୍ୟୟ ବୃଦ୍ଧି କରିବା ଦିଗରେ ପଦକ୍ଷେପ ନେବେ ବୋଲି ବିଭିନ୍ନ ମହଲ ଆଶା ରହିଛନ୍ତି। ବ୍ୟକ୍ତିଗତ ଆୟକରରେ ରିହାତି ମିଳିଲେ ଲୋକଙ୍କ ହାତରେ ଅଧିକ ଅର୍ଥ ଉପଲବ୍ଧ ହେବ। ଏହାହେଲେ ସେମାନେ ଅଧିକରୁ ଅଧିକ ଅର୍ଥ ଖର୍ଚ୍ଚ କରିବାକୁ ସମର୍ଥ ହେବେ। ଫଳରେ ଅର୍ଥନୀତିରେ ଉତ୍ସାହ ଫେରିବ। ରିଅଲ ଇଷ୍ଟେଟ ଠାରୁ ଆରମ୍ଭ କରି ଅଟୋମୋବାଇଲ ଏବଂ ଅନ୍ୟ କମ୍ପାନି ଗୁଡ଼ିକ ମଧ୍ୟ ଏହାଦ୍ବାରା ଉପକୃତ ହେବେ। ଗ୍ରାମୀଣ ଅର୍ଥନୀତିକୁ ସୁଦୃଢ଼ କରିବେ: ଅର୍ଥମନ୍ତ୍ରୀ ଗ୍ରାମୀଣ ଅର୍ଥନୀତିକୁ ସୁଦୃଢ଼ କରିବା ପାଇଁ କୃଷି ଏବଂ ଗ୍ରାମାଞ୍ଚଳ ଲୋକଙ୍କ ଆୟରେ ଉନ୍ନତି ଆଣିବା ଲାଗି ବଜେଟରେ ପଦକ୍ଷେପ ନେଇପାରନ୍ତି। ଏହା ହେଲେ କେବଳ ଗ୍ରାମାଞ୍ଚଳର ଲୋକମାନେ ଅଧିକ ଖର୍ଚ୍ଚ କରିବାକୁ ସମର୍ଥ ହେବେ ତାହା ନୁହେଁ, ଏହି ଅର୍ଥନୀତି ଉପରେ ନିର୍ଭରଶୀଳ ଦୁଇ ଚକିଆ ଯାନ କମ୍ପାନି, କୃଷି ଉପକରଣ ନିର୍ମାତା ଏବଂ ଏଫଏମସିଜି କମ୍ପାନି ଗୁଡ଼ିକ ମଧ୍ୟ ଲାଭବାନ ହେବେ। କୃଷି ବୀମା, ସ୍ବାସ୍ଥ୍ୟ ଏବଂ ପେନସନ ଯୋଜନା ଆଦିକୁ ମଜଭୁତ କରିବା ପାଇଁ ଅର୍ଥମନ୍ତ୍ରୀ ପଦକ୍ଷେପ ନେଇପାରନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/01/nirmala-sitharaman-dna.jpg)