ନୂଆଦିଲ୍ଲୀ: ଭାରତର ମୋବାଇଲ୍ ପେମେଣ୍ଟ୍ ବଜାରରେ ଆଗକୁ ବଡ଼ ଧରଣର ଲଢ଼େଇ ଦେଖିବାକୁ ମିଳିବ। ଲୋକପ୍ରିୟ ମୋବାଇଲ୍ ମେସେଜିଂ ଆପ୍ ହ୍ବାଟସ୍ଆପ୍ ପକ୍ଷରୁ ଚଳିତ ବର୍ଷ ପେମେଣ୍ଟ୍ ସେବା ଆରମ୍ଭ କରାଯିବ। ଏହି ବଜାରର ସିଂହ ଭାଗ ଏବେ ପେଟିଏମ୍, ଗୁଗୁଲ୍, ଆମାଜନ୍ ଓ ଫ୍ଲିପ୍କାର୍ଟ ପାଖରେ ରହିଛି। ଫେସ୍ବୁକ୍ ମାଲିକାନାରେ ଥିବା ହ୍ବାଟସ୍ଆପ୍ର ଆଗମନ ପରେ ବଜାର ଭାଗ ପାଇଁ କଂପାନିଗୁଡ଼ିକ ଭିତରେ ତୀବ୍ର ପ୍ରତିଦ୍ବନ୍ଦ୍ବିତା ଦେଖିବାକୁ ମିଳିବ ବୋଲି ଅନୁମାନ କରାଯାଉଛି।
ହ୍ବାଟସ୍ଆପ୍ର ବହୁ ପ୍ରତୀକ୍ଷିତ ପେମେଣ୍ଟ ସେବା ଚଳିତବର୍ଷ ଭାରତରେ ଆରମ୍ଭ ହେବ। ଗତବର୍ଷ ଏହି ସେବା ପାଇଁ ଯଦିଓ ଘୋଷଣା କରାଯାଇଥିଲା ତଥାପି ସୀମିତ ମାତ୍ରାରେ ଏହାର ପରୀକ୍ଷଣ କରାଯାଇ ଆସୁଛି। ତେବେ ନୂଆଦିଲ୍ଲୀଠାରେ ଏକ କାର୍ଯ୍ୟକ୍ରମରେ ଯୋଗଦେବା ଅବସରରେ ହ୍ବାଟ୍ସଆପ୍ର ଗ୍ଲୋବାଲ ହେଡ୍ ୱିଲ କାଥ୍କାର୍ଟ କହିଛନ୍ତି, ଭାରତରେ ଡିଜିଟାଲ ଅନ୍ତର୍ଭୁକ୍ତୀକରଣକୁ ପ୍ରୋତ୍ସାହନ ଦେବା ପାଇଁ ଚଳିତବର୍ଷ ଆମେ ପେମେଣ୍ଟ୍ ସେବା ଦେଶବ୍ୟାପୀ ଆରମ୍ଭ କରିବୁ। ସମସ୍ତ ନିୟାମକ ସଂସ୍ଥାର ନିୟମକୁ ପୂରଣ କରିବା ପରେ ଏହି ସେବା ଆରମ୍ଭ ହେବ। ଭାରତରେ କମ୍ପାନି ଡିଜିଟାଲ ପେମେଣ୍ଟ୍ ଢାଞ୍ଚା ନିୟମାବଳୀକୁ ପୂରଣ କରିବାରେ ବିଫଳ ହେବାରୁ ଏହାର ବିଧିବଦ୍ଧ ସେବା ଆରମ୍ଭ କରାଯାଇ ନଥିଲା। କିନ୍ତୁ ପରୀକ୍ଷାମୂଳକ ଭାବେ ସେବା ଆରମ୍ଭ କରିବା ପାଇଁ କମ୍ପାନିକୁ ଅନୁମତି ଦିଆଯାଇଥିଲା। ଗତବର୍ଷ ଜୁନରେ କମ୍ପାନି ଏହା ଘୋଷଣା କରିଥିଲା ଯେ, ଭାରତରେ ୧ ନିୟୁତ ଗ୍ରାହକ ଏହାର ପେମେଣ୍ଟ ସେବାର ପରୀକ୍ଷଣ କରୁଛନ୍ତି। ଭାରତରେ ପେମେଣ୍ଟ ସେବାକୁ ପୂରାମାତ୍ରାରେ ଆରମ୍ଭ କରିବା ପୂର୍ବରୁ ଡାଟା ସଂରକ୍ଷଣ ପାଇଁ ଭାରତୀୟ ରିଜର୍ଭ ବ୍ୟାଙ୍କ କରିଥିବା ନିୟମକୁ ପାଳନ କରାଯିବ ବୋଲି ଦେଶର ସର୍ବୋଚ୍ଚ ଅଦାଲତକୁ କମ୍ପାନି ଜଣାଇଥିଲା। ଭାରତରେ ହ୍ବାଟ୍ସଆପ୍ ସେବା ଆରମ୍ଭ କରିଲେ ଏହି କମ୍ପାନି ସିଧାସଳଖ ପେଟିଏମ୍ ଓ ଅନ୍ୟ କଂପାନି ସହିତ ପ୍ରତିଯୋଗିତା କରିବ। ଭାରତରେ ହ୍ବାଟ୍ସଆପ୍ ସକ୍ରିୟ ୟୁଜରଙ୍କ ସଂଖ୍ୟା ୩୦ କୋଟିରୁ ଅଧିକ ରହିଛି। ପେମେଣ୍ଟ ସେବା ଆରମ୍ଭ ହେଲେ ଖୁବ୍ କମ୍ ଦିନ ମଧ୍ୟରେ ଏହି କମ୍ପାନି ପେଟିଏମ୍କୁ ଟପିଯିବ ବୋଲି ଅନୁମାନ କରାଯାଉଛି। ଭାରତରେ ପେଟିଏମ୍ର ୨୩ କୋଟି ଗ୍ରାହକ ଅଛନ୍ତି।
ଏମାନଙ୍କ ସହ ଲଢ଼ିବ
ଭାରତର ମୋବାଇଲ୍ ପେମେଣ୍ଟ୍ ଶିଳ୍ପରେ ପୂର୍ବରୁ ଅନେକ ପ୍ରତିଷ୍ଠିତ କଂପାନି ରହିଛନ୍ତି। ସେମାନଙ୍କ ପାଖରେ ବହୁ ସଂଖ୍ୟକ ଗ୍ରାହକ ଥିବା ବେଳେ ଲୋକମାନେ ବହୁଳ ଭାବେ ଏହି ସେବାକୁ ବ୍ୟବହାର ମଧ୍ୟ କରୁଛନ୍ତି। ମୋବାଇଲ୍ ପେମେଣ୍ଟ୍ ବଜାରରେ ନିଜ ଭାଗ ସୃଷ୍ଟି କରିବାକୁ ହେଲେ ହ୍ବାଟସ୍ଆପ୍କୁ ଏହି ସବୁ କଂପାନି ସହ ପ୍ରତିଦ୍ବନ୍ଦ୍ବିତା କରିବାକୁ ପଡ଼ିବ। ପେଟିଏମ୍, ଆମାଜନ୍ ପେ, ଗୁଗୁଲ୍ ପେ ଓ ଫୋନ୍ ପେ’ ପାଖରେ ଏହି ବଜାରର ସିଂହ ଭାଗ ଅଂଶ ରହିଛି। ଏମାନଙ୍କ ବ୍ୟତୀତ ମୋବିକ୍ବିକ୍, ଏସ୍ବିଆଇ ୟୋନୋ, ସିଟି ମାଷ୍ଟର୍ ପାସ୍, ଆଇସିଆଇସିଆଇ ପକେଟ୍, ଏଚ୍ଡିଏଫ୍ସିର ପେଜାପ୍ ଓ ଭିମ୍ ଆକ୍ସିସ୍ ପେ’କୁ ମଧ୍ୟ ବହୁତ ଲୋକ ବ୍ୟବହାର କରୁଛନ୍ତି। ମୋବାଇଲ୍ ପେମେଣ୍ଟ୍ ସେବା ପ୍ରଦାନ କରୁଥିବା ଭାରତର ପ୍ରମୁଖ ଚାରି କଂପାନି ହେଉଛି:
ପେଟିଏମ୍: ୨୦୧୦ରେ ଆରମ୍ଭ ହୋଇଥିଲା ପେଟିଏମ୍। ବିମୁଦ୍ରୀକରଣ ଘୋଷଣା ପରେ ଏହି ସଂସ୍ଥାର ଲୋକପ୍ରିୟତା ବଢ଼ିଥିଲା। କୋଟି କୋଟି ମୋବାଇଲ୍ରେ ପେଟିଏମ୍ ଆପ୍ ଇନଷ୍ଟଲ୍ ଅଛି।
ଆମାଜନ୍ ପେ’: ଇ-କମର୍ସ କଂପାନି ଆମାଜନ୍ ପକ୍ଷରୁ ଆମାଜନ୍ ପେ’ ନାମକ ମୋବାଇଲ୍ ପେମେଣ୍ଟ୍ ସେବା ଆରମ୍ଭ କରାଯାଇଛି। ୨୦୧୭ରୁ ଏହା ଭାରତରେ ଉପଲବ୍ଧ ହୋଇଛି।
ଗୁଗୁଲ୍ ପେ’: ବିଶ୍ବର ବୃହତ ଇଣ୍ଟରନେଟ୍ କଂପାନି ଗୁଗୁଲ୍ ପକ୍ଷରୁ ଗୁଗୁଲ୍ ପେ’ ନାମକ ପେମେଣ୍ଟ୍ ସେବାକୁ ଆରମ୍ଭ କରାଯାଇଛି। କୋଟି କୋଟି ଲୋକଙ୍କ ମୋବାଇଲ୍ରେ ଏହି ଆପ୍ ଇନଷ୍ଟଲ୍ ଅଛି।
ଫୋନ୍ପେ: ଫ୍ଲିପ୍କାର୍ଟ ମାଲିକାନାରେ ରହିଛି ଫୋନ୍ ପେ’। ଏହି ଆପ୍ ମଧ୍ୟ ୧୦ କୋଟିରୁ ଅଧିକ ମୋବାଇଲ୍ରେ ଇନଷ୍ଟଲ୍ ଥିବା ଜଣାପଡ଼ିଛି। ଏଥିରେ ଲୋକମାନେ ୟୁପିଆଇ ପେମେଣ୍ଟ୍ ଠାରୁ ଆରମ୍ଭ କରି ମୋବାଇଲ୍ ରିଚାର୍ଜ ଆଦି ବହୁତ କିଛି କାର୍ଯ୍ୟ କରିପାରୁଛନ୍ତି।